ଯୁକ୍ତ୨ ବିକଳ୍ପ ମୂଲ୍ୟାୟନ: ଚିନ୍ତାରେ ବିଶେଷଜ୍ଞ କମିଟି, ଆଜି ବସିବ ଦ୍ବିତୀୟ ବୈଠକ

୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘର ବିକଳ୍ପ ପ୍ରସ୍ତାବ
ବେସରକାରୀ ରାଜ୍ୟ ଦରମାପ୍ରାପ୍ତ ଶିକ୍ଷକ ସଂଘର ୱେବିନାର

ଭୁବନେଶ୍ବର : ଯୁକ୍ତ୨ ମୂଲ୍ୟାୟନ ପାଇଁ ନିର୍ଦ୍ଧାରିତ ମାପଦଣ୍ଡ ପ୍ରସ୍ତୁତ ଲାଗି ଗଠିତ ବିଶେଷଜ୍ଞ କମିଟିର ଦ୍ବିତୀୟ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ। ପ୍ରଥମ ବୈଠକ ପରେ ବିଶେଷଜ୍ଞ କମିଟିର ସଦସ୍ୟମାନେ ବିଭିନ୍ନ ମହଲରୁ ମତାମତ ସଂଗ୍ରହ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାବିତ୍‌ଙ୍କ ତାଲିକା ପ୍ରସ୍ତୁତ କରାଯାଇ ମତାମତ ସଂଗ୍ରହ ହୋଇଛି। ଥିଓରି ମାର୍କିଂ ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯିବ, ସେ ସମ୍ପର୍କରେ ବିଚାରବିମର୍ଶ କରାଯାଇଛି। ଡିଗ୍ରି ଓ ଜୁନିୟର କଲେଜ ଅଧ୍ୟାପକଙ୍କ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସରଙ୍କ ମତ ନିଆଯାଇଛି। ଯାହାକୁ ଆଧାର କରି ଶୁକ୍ରବାର ବୈଠକରେ ବ୍ୟାପକ ଆଲୋଚନା କରାଯିବ।

ଅନ୍ୟପକ୍ଷରେ ଓଡ଼ିଶା ବେସରକାରୀ ରାଜ୍ୟ ଦରମାପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ଏକ ୱେବିନାର୍‌ ମାଧ୍ୟମରେ ଶିକ୍ଷାବିତ୍‌, ଛାତ୍ରଛାତ୍ରୀଙ୍କଠାରୁ ମତାମତ ସଂଗ୍ରହ ହୋଇଛି। ସଂଘର ରାଜ୍ୟ ଆବାହକ କମଳ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ଉଚ୍ଚଶିକ୍ଷା ନିର୍ଦେଶାଳୟର ପୂର୍ବତନ ନିର୍ଦେଶକ ପ୍ରଫେସର ସତ୍ୟକାମ ମିଶ୍ର ଭାଗ ନେଇ ମୂଲ୍ୟାୟନ ନୀତି ନିର୍ଦ୍ଧାରଣରେ ସୃଷ୍ଟି ହେବାକୁ ଥିବା ଦ୍ବନ୍ଦ୍ବ ଉପରେ ଆଲୋକପାତ କରିଥିଲେ। ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟନ ସହ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏକ ବିକଳ୍ପ ପରୀକ୍ଷା ପଦ୍ଧତି ଅବଲମ୍ବନ କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ କୈଳାଶ ଚନ୍ଦ୍ର ରାଉତ, ନିଖିଳ ଓଡ଼ିଶା ବେସରକାରୀ କଲେଜ ଶିକ୍ଷକ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଫେସର ଅଜୟ ସାମଲ, ଶିକ୍ଷକ ନେତା ଯୁଧିଷ୍ଠିର ଖଟୁଆ, ପ୍ରଭାତ କୁମାର ରାଉତରାୟ, ରତ୍ନାକର ରାୟ, ଲକ୍ଷ୍ମୀଧର ପ୍ରଧାନ, ଗୀତାରାଣୀ ଦାଶ, ନମିତା ମହାନ୍ତି, ପ୍ରେମାନନ୍ଦ ପଟେଲ୍‌, ଖଗେଶ୍ବର ଦାସ, ନିଶିଗନ୍ଧା ପଣ୍ଡା, ଶଙ୍କର ପ୍ରସାଦ ନାୟକ ପ୍ରମୁଖ ସାମିଲ ହୋଇ ସୁଚିନ୍ତିତ ମତାମତ ଦେଇଥିଲେ। ବିଭିନ୍ନ କଲେଜ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇ ମତ ରଖିଥିଲେ। ସଂଘ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ ଶିକ୍ଷାବିତ୍‌, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

ସେହିପରି ନିଖିଳ ଉତ୍କଳ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ(୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ହୋଇଥିବା ଆଲୋଚନାଚକ୍ରରେ ବିକଳ୍ପ ମୂଲ୍ୟାୟନ ନେଇ ସରକାରଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି। ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଶିକ୍ଷକ ସଙ୍ଗଠନ, ଛାତ୍ର ସଙ୍ଗଠନ, ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀଙ୍କ ସହ ବିଚାରବିମର୍ଶ କରାଯାଉ। ମାଟ୍ରିକ୍‌ ପରୀକ୍ଷାର ବାଧ୍ୟତାମୂଳକ ବିଷୟର ମାର୍କ ସହ ଯୁକ୍ତ୨ ଇଚ୍ଛାଧୀନ ବିଷୟରେ ପରୀକ୍ଷା କରି ଛାତ୍ରଛାତ୍ରୀଙ୍କ ଦକ୍ଷତା ବାର୍ଷିକ ମୂଲ୍ୟାୟନ ଲାଗି ବିଚାର ହୋଇଥିଲା। ଅତି ସାଧାରଣ ପରିସ୍ଥିତିରେ ଯଦି ପରୀକ୍ଷା କରାଯାଇପାରିବ ନାହିଁ, ତେବେ ମାଟ୍ରିକ୍‌ ପରୀକ୍ଷାକୁ ଆଧାର କରାଯାଇ ଉଚ୍ଚଶିକ୍ଷାରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି। ଏହି ବୈଠକରେ ବିଶ୍ବ ଶିକ୍ଷକ ସଂଘ ସଭାପତି ଅମୀୟ ମହାନ୍ତି, ଗୋଲକ ବିହାରୀ ନାଥ, କମଳ ପ୍ରସାଦ ମହାପାତ୍ର, ବୀରେନ୍ଦ୍ର କୁମାର ନାୟକ, ସୁରେନ୍ଦ୍ର ମହାନ୍ତି, ରବିନାରାୟଣ ପାତ୍ର, ସୁରେନ୍ଦ୍ର ଜେନା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର