ଭୁବନେଶ୍ବର: ଲୋକସେବା ଭବନ କନ୍ଭେନସନ୍ ସେଣ୍ଟରରେ ଚାଲିଥିବା ଦୁଇଦିନିଆ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ ଆଜି ଶେଷ ହୋଇଛି। ଉଦ୍ଯାପନୀ ସମାରୋହରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ରାମାୟଣ ଯୁଗର ଉଦାହରଣ ଦେଇ କହିଥିଲେ, ମହାବୀର ହନୁମାନ ହେଉଛନ୍ତି ଜଣେ ବଡ଼ ମଧ୍ୟସ୍ଥି। କାରଣ ସେ ସତ୍ୟ ଓ ନ୍ୟାୟର ମଧ୍ୟସ୍ଥତା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ମଧ୍ୟସ୍ଥତାର ପ୍ରାସଙ୍ଗିକତା ଅତୀବ ପୁରାତନ। ଏହାକୁ ବର୍ତ୍ତମାନ ସମୟରେ ଉପଯୋଗୀ କରିବାର ଆବଶ୍ୟକତା ରହିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେଇ କହିଥିଲେ, ଓଡ଼ିଶା ମାଟି ହେଉଛି ମଧ୍ୟସ୍ଥତାର ମାଟି। ଆମର ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ହେଉଛି ମଧ୍ୟସ୍ଥତାର ଏକ ନିଚ୍ଛକ ପ୍ରଦର୍ଶନ। ଆମ ଦେଶରେ ଏବେ ପ୍ରାୟ ୪ କୋଟି ବିଭିନ୍ନ ମାମଲା ରହିଛି। ଏହାକୁ ସମାଧାନ କରିବାରେ ମଧ୍ୟସ୍ଥତା ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ। ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲା ଶୂନକୁ ଆଣିବା ତଥା ହ୍ରାସ କରିବା ଭାରତୀୟ ନ୍ୟାୟ ବ୍ୟବସ୍ଥାର ମୂଳ ଲକ୍ଷ୍ୟ ହେବା ଦରକାର। ବିଭିନ୍ନ ସ୍ଥାନରେ ଭଦ୍ର ଓ ସଚେତନ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିଥାନ୍ତି। ଏବେ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମଧ୍ୟସ୍ଥତା ଭଳି ପଦକ୍ଷେପଗୁଡ଼ିକ ସାମାଜିକ ଜୀବନକୁ ଅଧିକ ସହଜ କରୁଛି। ଶ୍ରୀ ପ୍ରଧାନ ଏହି ଅବସରରେ ବିଭିନ୍ନ ରାଜ୍ୟରେ ମାତୃଭାଷାରେ ଆଇନଗତ ମାମଲାର ଶୁଣାଣି କରିବା, ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରଖିବା, ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ସରିଲା ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ
ମଧ୍ୟସ୍ଥତା ମାଧ୍ୟମରେ ବିଚାରାଧୀନ ମାମଲା ଶୂନକୁ ଆଣିବା ଲକ୍ଷ୍ୟ ହେବା ଦରକାର: ଧର୍ମେନ୍ଦ୍ର
କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଅତିଥି ଭାବେ ଯୋଗଦେଇ କହିଥିଲେ, ମଧ୍ୟସ୍ଥତା ବିଭିନ୍ନ କ୍ଷେତ୍ରରେ ରହୁଥିବା ମାମଲାରେ ବିବାଦ ସମାଧାନର ବିକଳ୍ପ ବ୍ୟବସ୍ଥା। ଏହି ସମ୍ମିଳନୀରୁ ଆଲୋଚିତ ନିଷ୍କର୍ଷ ଆଧାରରେ ଦେଶରେ ମଧ୍ୟସ୍ଥତା ବ୍ୟବସ୍ଥାରେ ଉନ୍ନତି ପାଇଁ ସମସ୍ତ ପ୍ରୟାସ କରାଯିବ। ସେହିପରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହ କହିଥିଲେ, ଆଇନଗତ ମାମଲାରେ ଜଣେ ଜିତେ ଓ ଜଣେ ହାରେ। ତେଣୁ ଜଣେ ଦୁଃଖ ପାଏ। କିନ୍ତୁ ମଧ୍ୟସ୍ଥତା ଜରିଆରେ ହୋଇଥିବା ମାମଲାର ସମାଧାନରେ ଉଭୟ ପକ୍ଷ ସନ୍ତୁଷ୍ଟ ହୋଇଥାନ୍ତି।
ସୁପ୍ରମିକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଆଇନଗତ ମାମଲା ଫଇସଲାରେ ମଧ୍ୟସ୍ଥତାର ଆବଶ୍ୟକତା ସମ୍ପର୍କରେ ମତ ରଖି କହିଥିଲେ, ଦେଶରେ ବିଭିନ୍ନ ଆଇନଗତ ମାମଲା ବଢ଼ିଚାଲିଛି। ବିଶେଷକରି ସମାଜର ଅବହେଳିତ ବର୍ଗର ଲୋକେ ସେମାନଙ୍କର ନ୍ୟାଯ୍ୟ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ସମ୍ମିଳନୀରେ ଯୋଗ ଦେଇଥିବା ବିଚାରପତି, ଆଇନଜୀବୀ, ମହାଧିବକ୍ତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଏ ସଂପର୍କରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ତୃଣମୂଳ ସ୍ତରରେ ରହୁଥିବା ସମସ୍ୟାକୁ ସମାଧାନ କରିବାରେ ସମସ୍ତେ ସମ୍ମିଳିତ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ କହିଥିଲେ, ରାଜନୈତିକ ହେଉ ବା ଅନ୍ୟ କ୍ଷେତ୍ରରେ ବିବାଦ ଉପୁଜିବା ପୂର୍ବରୁ ମଧ୍ୟସ୍ଥତାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି। ମଧ୍ୟସ୍ଥତା ପାଇଁ ସଂସ୍ଥାଗତ ଦକ୍ଷତା ବୃଦ୍ଧିର ଆବଶ୍ୟକତା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ମେଘାଳୟରେ ଅନୁଷ୍ଠିତ ହେବାକୁ ଥିବା ୩ୟ ମଧ୍ୟସ୍ଥତା ସମ୍ମିଳନୀ ପାଇଁ ସେ ସଫଳତା କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ ସାହୁ, ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର, ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗାହୀ, କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ସରକାରଙ୍କ ମହାଧିବକ୍ତା ପିତାମ୍ବର ଆଚାର୍ଯ୍ୟ ସଭା ପରିଚାଳନା କରିଥିଲେ। ଆଜି ୫ଟି ଅଧିବେଶନରେ ସୁପ୍ରିମକୋର୍ଟର ବିଚାରପତି, ଦେଶର ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତିମାନେ ଯୋଗଦେଇ ମଧ୍ୟସ୍ଥତା ଦ୍ବାରା କିପରି ବିଭିନ୍ନ ବିବାଦର ସମାଧାନ କରାଯାଇପାରିବ, ସେ ନେଇ ଆଲୋଚନା କରିଥିଲେ ଏବଂ ପରାମର୍ଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/29/sfsfsxc-2025-09-29-03-30-06.jpg)