ଭୁବନେଶ୍ବର: ମେ’୨୦ରେ ରାଜ୍ୟର ୫ଟି ସଂସଦୀୟ କ୍ଷେତ୍ର (ଲୋକସଭା ଆସନ) ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ, ଆସ୍କା ଏବଂ ଏହା ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ମତଦାନ ହେବ। ଏଥିପାଇଁ ଆଜି ସଂଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇଛି। ଏଣିକି କୌଣସି ପ୍ରାର୍ଥୀ କି ଦଳ ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ପ୍ରଚାର କରିପାରିବେନି। ଏପରିକି ନିର୍ବାଚନମଣ୍ଡଳୀ ବାହାର ନେତା ବି ରହିପାରିବେନି। ସମସ୍ତ ନିର୍ବାଚନମଣ୍ଡଳୀରେ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମତଦାତା ଯେପରି ସୁରକ୍ଷିତ ପରିବେଶରେ ମତଦାନ କରିବେ ସେଥିପାଇଁ ୧୦୨କମ୍ପାନି ସିଏପିଏଫ୍‌ ନିୟୋଜିତ ହୋଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାର ଧଳ କହିଛନ୍ତି।

Advertisment

ଆଜି ସଂଧ୍ୟାରେ ପ୍ରଚାର ଶେଷ ହେବା ପରେ ଏବେ ନିର୍ବାଚନମଣ୍ଡଳୀଗୁଡ଼ିକରେ ନିରବତା ଛାଇ ଯାଇଛି। ଭୋଟରଙ୍କ ମଧ୍ୟରେ ମତଦାନକୁ ନେଇ ଉତ୍ସାହ ଅଛି ହେଲେ କେଉଁ ଦଳକୁ ମତଦାନ କରିବେ ସେନେଇ ପୂରା ନିରବ। ଭୋଟରଙ୍କ ମଧ୍ୟରେ ଏକ ଅସମ୍ଭବ ନିରବତା ଦେଖାଦେଇଛି। ତେଣୁ ପ୍ରାର୍ଥୀମାନେ ଅନ୍ଧାରୀ ବିଜେ ଅପେକ୍ଷାରେ ଥିବା କୁହାଯାଉଛି। ଏପଟେ ପୁଲିସ ପ୍ରଶାସନ ଓ ନିର୍ବାଚନ କମିସନ ବି ଅନ୍ଧାରୀ ବିଜେକୁ ରୋକିବାକୁ ଚଢ଼ଉ ଜୋରଦାର୍ କରୁଛନ୍ତି।
ଓଡ଼ିଶାରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନେର ମୋଟ୍ ୩୦୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିରେ ୫ଟି ଲୋକସଭା ଆସନରେ ୪୦ଜଣ ପ୍ରାର୍ଥୀ ଅଛନ୍ତି। ଏଥିରେ ୩୪ଜଣ ପୁରୁଷ ଏବଂ ୬ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୩୫ଟି ବିଧାନସଭା ଆସନରେ ମୋଟ୍ ୨୬୫ଜଣ ପ୍ରାର୍ଥୀ ଅଛନ୍ତି। ଏଥିରେ ୨୨୪ଜଣ ପୁରୁଷ ଏବଂ ୪୧ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସୋମବାର ୩୦୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହେବାକୁ ଥିବାରୁ ଆଜି ଓ ଆସନ୍ତାକାଲି ପାଇଁ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଜୋରଦାର୍ ପ୍ରସ୍ତୁତି କରିଛନ୍ତି। ଶେଷ ମୁହୂର୍ତ୍ତରେ ମତଦାତାଙ୍କୁ ଆକୃଷ୍ଟ କରିବା ଏବଂ ବିରୋଧୀ ଗୋଷ୍ଠୀଙ୍କୁ ମନାଇବାକୁ ସବୁ ପ୍ରକାରର ଉଦ୍ୟମ ଚଳାଇଛନ୍ତି।

୧୦୨ କମ୍ପାନି ସିଏପିଏଫ୍, ୬୦ହଜାର ପୋଲିଂ କର୍ମଚାରୀ
୯୧୪୮ଟି ବୁଥ୍‌ରୁ ୨୦% ସମ୍ବେଦନଶୀଳ, ୬୦% ବୁଥ୍‌ରେ ୱେବସ୍କ୍ରିନିଂ

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଧଳ କହିଛନ୍ତି ଯେ ୫ଟି ଲୋକସଭା ଆସନରେ ମୋଟ୍ ୯୧୪୮ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ଏଥିରୁ ୧୦୯୦ଟି ସହରାଞ୍ଚଳ‌ରେ, ୮୦୫୮ଟି ଗ୍ରାମାଞ୍ଚଳରେ ରହିଛି। ଏଠାରେ ୭୯,୬୯,୮୮୭ଜଣ ମତଦାତା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୦,୩୩,୯୯୨ଜଣ ପୁରୁଷ, ୩୯,୩୫,୦୪୪ଜଣ ମହିଳା ଓ ୮୫୧ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରେ ୨,୧୩,୧୨୯ଜଣ ୧୮-୧୯ବର୍ଷର ଯୁବ ମତଦାତା, ୨୦ରୁ ୨୯ବର୍ଷ ବୟସର ୧୬,୯୮,୫୧୬ଜଣ ମତଦାତା ଅଛନ୍ତି। ୮୫ବର୍ଷରୁ ଅଧିକ ୫୫,୮୮୨ଜଶ, ୧୦୦ବର୍ଷରୁ ଅଧିକ ୧୮୧୨ଜଣ, ୧,୦୭,୮୨୩ଜଣ ଭିନ୍ନକ୍ଷମ, ୪୬ଜଣ ପ୍ରବାସୀ, ୧୦,୬୩୦ଜଣ ସର୍ଭିସ ମତଦାତା ଅଛନ୍ତି। ସୋମବାର ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ହେଲେ ୯୩୩ଟି ବୁଥ୍‌ରେ ସକାଳ ୭ଟାରୁ ଅପରାହ୍ନ ୫ଟା ଏବଂ ୧୬୮୯ଟି ବୁଥ୍‌ରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ନିଷ୍ପତ୍ତି ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ୬୦ହଜାର ପୋଲିଂ କର୍ମଚାରୀ ମୁତୟନ ହୋଇଥିବା ବେଳେ ଏଥିରୁ ୧୭ଟି ବିଧାନସଭା ଆସନ ପାଇଁ ପୋଲିଂ କର୍ମଚାରୀ ଆଜି ବାହାରିଯାଇଛନ୍ତି। ୧୮ଟି ବିଧାନସଭା ଆସନ ପାଇଁ ପୋଲିଂ କର୍ମଚାରୀ ରବିବାର ଯିବେ। ୫ମ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୧,୬୧୧ଟି ବାଲାଟ୍ ୟୁନିଟ, ୧୧୬୧୧ଟି କଣ୍ଟ୍ରୋଲ ୟୁନିଟ, ୧୨୭୬୨ଟି ଭିଭିପାଟ୍ କମିସନ୍ ହୋଇଛି। ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୧୬୩୨ଟି ବାଲାଟ ୟୁନିଟ, ୧୧୬୩୨ଟି କଣ୍ଟ୍ରୋଲ ୟୁନିଟ ଏବଂ ୧୨୭୬୮ଟି ଭିଭିପାଟ୍ କମିସନ୍ ହୋଇଛି।

ଏହି ପର୍ଯ୍ୟାୟରେ ୨୦% ସମ୍ବେଦନଶୀଳ ବୁଥ୍‌ ଅଛି। ୬୦% ବୁଥ୍‌ରେ ଲାଇଭ୍ ୱେବ୍ ସ୍କ୍ରିନିଂ କରି ମତଦାତାଙ୍କ ଉପରେ ନଜର ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ସବୁ ବୁଥ୍‌ରେ ପୁଲିସ ମୁତୟନ ହେବେ। ସେହିପରି ୧୦ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୧୫ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ, ୩ଜଣ ପୁଲିସ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ବଲାଙ୍ଗୀର ଓ କନ୍ଧମାଳ ପାଇଁ ଜଣେ, ବରଗଡ଼ ଓ ସୁନ୍ଦରଗଡ଼ ପାଇଁ ଜଣେ ଆସ୍କା ପାଇଁ ଜଣେ ପୁଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସୋମବାର ରାଜ୍ୟରେ ମତଦାନ ହେବାକୁ ଥିବା ସ୍ଥାନଗୁଡ଼ିକରେ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ପର୍ଯ୍ୟାପ୍ତ ଓଆର୍‌ଏସ୍, ପିଇବା ପାଣି ମୁତୟନ ରଖିବାକୁ କୁହାଯାଇଛି। ପ୍ରତି ପୋଲିଂ ବୁଥ୍‌ରେ ଆଶା କର୍ମୀ ରହିବେ। ସେହିପରି ବଲାଙ୍ଗୀର ଜିଲ୍ଲାର ତୁର୍ଷା ଠାରେ ଏକ ଏୟାର ଆମ୍ବୁଲାନ୍ସ ମୁତୟନ ରହିବ। ଏଥର ପୋଲିଂ କର୍ମଚାରୀଙ୍କୁ ହେଲିକପ୍ଟରରେ ନିଆଯାଇନଥିଲେ ବି ଜରୁରୀକାଳୀନ ପରିସ୍ଥିତିରେ ଇଭିଏମ୍‌ ଆଣିବା, ସୁରକ୍ଷାକର୍ମୀଙ୍କୁ ପହଞ୍ଚାଇବାକୁ ଗୋଟିଏ ହେଲିକପ୍ଟର ମୁତୟନ କରାଯିବ। ଆସ୍କା ସଂସଦୀୟ କ୍ଷେତ୍ର ଅଧିକ ସମ୍ବେଦନଶୀଳ ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ଶ୍ରୀ ଧଳ ସୂଚନା ଦେଇଛନ୍ତି।