ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ସରିଲା : ବିଧାନସଭା ପାଇଁ ୨୬୧ ଓ ଲୋକସଭା ନିମନ୍ତେ ୩୭ ପ୍ରାର୍ଥୀ

୧.୬୪ କୋଟିର ମଦ, ୨୧.୭୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ବର : ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଉଭୟ ଲୋକସଭା ଓ ବିଧାନସଭା ନିମନ୍ତେ ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଯୋଗ୍ୟ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତିି। ଏହାଛଡ଼ା ଚଳିତ ନିର୍ବାଚନରେ ବିଧାନସଭା ଆସନରେ ପ୍ରଚାର ପାଇଁ ଜଣେ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ କରିପାରିବାର ସୀମା ଥିବା ବେଳେ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ସର୍ବାଧିକ ୭୦ ଲକ୍ଷ ଟଙ୍କା ଖର୍ଚ କରିପାରିବେ ବୋଲି ସେ କହିଛନ୍ତିି।

ଆଜି ସିଇଓ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ କୁମାର କହିଲେ ଯେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ୩୫ଟି ବିଧାନସଭା ଓ ୫ଟି ଲୋକସଭା (ଯଥା: ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା) ପାଇଁ ଯଥାକ୍ରମେ ୨୯୯ଜଣ ଏବଂ ୪୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେମାନଙ୍କର ନାମାଙ୍କନ ପତ୍ର ଯାଞ୍ଚ ହେବା ପରେ ବିଧାନସଭା ପାଇଁ ୩୮ଜଣଙ୍କର ଏବଂ ଲୋକସଭା ପାଇଁ ୮ଟି ନାମାଙ୍କନ ପତ୍ର ନାକଚ ହୋଇଛି। ଫଳରେ ଲୋକସଭା ପାଇଁ ୩୭ଜଣ ଏବଂ ବିଧାନସଭା ପାଇଁ ୨୬୧ଜଣଙ୍କର ନାମାଙ୍କନ ପତ୍ର କାଏମ ରହିଛି।
ସେ କହିଲେ, ଆଜିଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ। ୨୯ରେ ଦ୍ବିତୀୟ ପର୍ଯ୍ୟାୟର ନିର୍ବାଚନରେ ପ୍ରତି‌ଦ୍ବନ୍ଦ୍ବୀମାନଙ୍କର ତାଲିକା ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସଂପର୍କରେ ସୂଚନା ଦେଇ ସେ କହିଲେ, ଗତକାଲି ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିଥିଲା। ଏଥିରେ ୪ଟି ଲୋକସଭା(ଯଥା: କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ) ଓ ୨୮ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ହୋଇଥିଲା। ଆସନ୍ତାକାଲି ଅପରାହ୍ଣ ୩ଟା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ।

ସିଇଓ କାର୍ଯ୍ୟାଳୟ ସୂଚନାନୁସାରେ ଆଜି ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୫୨୫୫ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ଆଇପିସି ଧାରା ୧୦୭/୧୧୬ ଅନୁଯାୟୀ ଆଜି ସୁଦ୍ଧା ୨୭,୮୧୮ଜଣଙ୍କୁ ଅଟକ ରଖାଯାଇଛି। ବିଭିନ୍ନ ଜିଲ୍ଲା ପ୍ରଶାସନ ନିକଟରେ ଜିମା ଦିଆଯାଇଛି ୩୮୩୦ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ। ଲାଇସେନ୍ସ ନ ଥିବା ୧୧୦ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ୫ଟି କାରଖାନା ଉପରେ ଚଢ଼ଉ କରାଯାଇଛି। ଆଜି ସୁଦ୍ଧା ରାଜ୍ୟରେ ଫ୍ଲାଇ ସ୍କ୍ବାଡ୍‌ ଓ ପୁଲିସ ଜବତ କରିଛି ୨୧ ଲକ୍ଷ ୭୫ ହଜାର ୪୧୦ ଟଙ୍କା। ସେହିପରି ୧.୬୪ କୋଟିର ମଦ ଜବତ ହୋଇଛି। ଇତି ମଧ୍ୟରେ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଟେଲିଫୋନ ୦୬୭୪-୨୩୯୫୦୧୫କୁ ଆସିଥିବା ୩୮୪ଟି କଲ୍‌ ମଧ୍ୟରୁ ୧୭୭ଟି ଅଭିଯୋଗର ସମାଧାନ ପାଇଁ ଜିଲ୍ଲାମାନଙ୍କୁ ପଠାଯାଇଛି। ରାଜ୍ୟସ୍ତରୀୟ ଭୋଟର ହେଲ୍‌ପ ଲାଇନ ନଂ-୧୯୫୦କୁ ଆସିଥିବା ୧୧୭୦୬ଟି ଅଭିଯୋଗର ସମାଧାନ କରାଯାଇଛି। ସି-ଭିଜିଲ୍‌ ଆପ୍‌ ମାଧ୍ୟମରେ ଆସିଥିବା ୩୮୦ଟି ଅଭିଯୋଗ ମଧ୍ୟରୁ ୩୩୩ଟିର ସମାଧାନ ହୋଇଥିବା କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି।

ସମ୍ବନ୍ଧିତ ଖବର