ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ନାମଲେଖା ସ୍ଥଗିତ : ଆଜି ପ୍ରକାଶ ପାଇବନି ଖାଲି ସିଟ୍ ତାଲିକା, ସର୍ବଭାରତୀୟ ନାମଲେଖା ସ୍ଥଗିତ ଯୋଗୁଁ ବିଳମ୍ବ
ଭୁବନେଶ୍ୱର : ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକରେ ଖାଲି ପଡ଼ିଥିବା ସିଟ୍ରେ ନାମଲେଖା ନିର୍ଦ୍ଧାରିତ ସମୟରେ ସରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଖାଲିଥିବା ସିଟ୍ ସମେତ ସର୍ବଭାରତୀୟ କୋଟାରୁ ବଳିଥିବା ସିଟ୍କୁ ମିଶାଇ ଓଜେଇଇ ପକ୍ଷରୁ ଜୁଲାଇ ୨୪ରେ ଖାଲି ସିଟ୍ ତାଲିକା ବାହାରିବା କଥା। ହେଲେ ତାହା ହେବ ନାହିଁ। ସର୍ବଭାରତୀୟ କୋଟାରେ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ବିଳମ୍ବ ହେଉଥିବାରୁ ଏଭଳି ସମସ୍ୟା ଉପୁଜିଛି। କେବେ ବାହାରିବ ସେନେଇ ଆମ ପାଖରେ କୌଣସି ଖବର ନ ଥିବା ଓଜେଇଇ ସଚିବ ରଞ୍ଜନ କୁମାର ଜେନା କହିଛନ୍ତି।
ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଜୁଲାଇ ୨୪ରେ ଖାଲି ସିଟ୍ ତାଲିକା ପ୍ରକାଶ ପାଇବା କଥା। ଜୁଲାଇ ୨୪ ଓ ୨୫ ତାରିଖରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥାନ୍ତେ। ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ହୋଇଥାନ୍ତା। ୨୭ରୁ ୩୦ ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍ରେ ନାମଲେଖାଇବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅଗଷ୍ଟ ୪ରୁ ୮ ତାରିଖ ମଧ୍ୟରେ ସ୍ପଟ୍ କାଉନସେଲିଂ କରାଯିବାକୁ ସ୍ଥିର ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟରେ ନାମଲେଖା ସରିବ ନାହିଁ। ଆହୁରି ୫ ଦିନ ବିଳମ୍ବ ହେବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ସର୍ବଭାରତୀୟ କୋଟାରେ ଚାଲିଥିବା କାଉନସେଲିଂ ଉପରେ ବମ୍ବେ ହାଇକୋର୍ଟ(ନାଗପୁର ବେଞ୍ଚ) ରୋକ୍ ଲଗାଇଛନ୍ତି। ଯେଉଁଥିପାଇଁ ସର୍ବଭାରତୀୟ କୋଟାରେ ସଂରକ୍ଷିତ ଥିବା ସିଟ୍ ପାଇଁ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ହୋଇ ନାହିଁ। ଗତ ୨୦ ତାରିଖରେ ହାଇକୋର୍ଟଙ୍କ ନିର୍ଦେଶ ପରେ କାଉନସେଲିଂ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଜୁଲାଇ ୨୬ରେ ରାୟ ଆସିବା ପରେ ପରବର୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ।
ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ରାଜ୍ୟ କୋଟା ସିଟ୍ରେ ନାମଲେଖାକୁ ଏବେ ସ୍ଥଗିତ ରଖାଯାଇଛି। ଛାତ୍ରଛାତ୍ରୀ ଓଜେଇଇ ଓ୍ଵବସାଇଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୭ଟି ସରକାରୀ ଓ ଗୋଟିଏ ଘରୋଇ ମେଡିକାଲ କଲେଜରେ ରାଜ୍ୟ କୋଟାରେ ଥିବା ୧୧୩୩ ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ ପାଇଁ ନାମଲେଖା ପାଇଁ ଓଜେଇଇ କାଉନସେଲିଂ କରୁଛି। ସର୍ବାରତୀୟ କୋଟାରେ ୧୬୭ଟି ସିଟ୍ ପୂରଣ ହେବ। ରାଜ୍ୟ କୋଟାରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜର ୨୦୩, ବ୍ରହ୍ମପୁରସ୍ଥିତ ଏମ୍କେସିଜିର ୨୦୧, ସମ୍ବଲପୁରସ୍ଥିତ ବୁର୍ଲା ମେଡିକାଲର ୧୨୦, ବାରିପଦା ମେଡିକାଲ କଲେଜର ୭୮, କୋରାପୁଟ ମେଡିକାଲ କଲେଜର ୮୦, ବାଲେଶ୍ୱର ମେଡିକାଲ କଲେଜର ୮୧, ବଲାଙ୍ଗୀର ମେଡିକାଲ କଲେଜର ୮୦ଟି ଏମ୍ବିବିଏସ୍ ସିଟ୍ ପୂରଣ ହୋଇଛି। ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜର ୪୩ଟି ଏମ୍ବିବିଏସ୍ ସିଟ୍ ପୂରଣ ହୋଇଥିବା ଜଣାପଡ଼ିଛି। କଟକସ୍ଥିତ ଏସ୍ସିବି ଡେଣ୍ଟାଲ କଲେଜର ୩୨ ଓ ହାଇଟେକ୍ ଡେଣ୍ଟାଲ କଲେଜର ୪ଟି ସିଟ୍ ପୂରଣ ହୋଇଛି।