ଆଜିଠାରୁ ବିଧାନସଭା ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ : ଧାନକୁ ନେଇ ପୁଣି ମୁହାଁମୁହିଁ ହେବେ

ଜଙ୍ଗଲ ନିଆଁ ବି ତତାଇବ

ଭୁବନେଶ୍ବର : ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ‌ସରିଥିଲା ଫେବ୍ରୁଆରି ୨୭ରେ। ସେହି ପର୍ଯ୍ୟାୟରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲୁସ୍ତୁଲୁ ହୋଇଥିଲା। ଦିନ ଦିନ ଧରି ଗୃହ ଅଚଳ ହେଲା। ସର୍ବଦଳୀୟ ବୈଠକରେ ଧାନ କିଣାକୁ ନେଇ କିଛି ନିଷ୍ପତ୍ତି ନିଆଗଲା। ଏହି ନିଷ୍ପତ୍ତି ଆଧାରରେ ମନ୍ତ୍ରୀ ଗୃହରେ ପ୍ରତିଶ୍ରୁତି ବି ଦେଲେ। କିନ୍ତୁ ସେସବୁ ଏ ଯାଏ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନି ବୋଲି ବିରୋଧୀ ଅନୁଭବ କରୁଛନ୍ତି। ଅବସ୍ଥା ଯଥା ପୂର୍ବଂ ତଥା ପର। ଏହି ପ୍ରସଙ୍ଗକୁ ନେଇ ପୁଣି ସରକାରଙ୍କୁ ପ୍ରଭାବୀ ଢଙ୍ଗରେ ଘେରିବାକୁ ଯୋଜନା କରିଛନ୍ତି ଦୁଇ ବିରୋଧୀ ଦଳ।

୧୨ ଦିନର ଅବକାଶ ପରେ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ଏହି ଅଧିବେଶନ ଆରମ୍ଭରୁ ଧାନ କିଣା ପ୍ରସଙ୍ଗକୁ ଜୋର୍‌ଦାର୍ କରିବେ ବିରୋଧୀ ଦଳ। ସର୍ବଦଳୀୟ ବୈଠକ ନିଷ୍ପତ୍ତିକୁ ସରକାର କିପରି କାର୍ଯ୍ୟକାରୀ କରିଛନ୍ତି, ତାହାର ଗୋଟି ଗୋଟି କରି ଜବାବ ମାଗିବେ। ସରକାରଙ୍କ ଠାରୁ ଠିକ୍ ଉତ୍ତର ନ ମିଳିଲେ ଗୃହକୁ ଅଚଳ କରାଇ‌େଦବେ। ଗୃହକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନ ଥିବାରୁ ସରକାରଙ୍କ ବିରୋଧରେ କଂଗ୍ରେସ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିବାକୁ ସୂଚନା ଦେଇଛି।

ଏହା ସହ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ବିଧାନସଭା ଗୃହକୁ ମଧ୍ୟ ତତାଇବାର ସମ୍ଭାବନା ରହିଛି। ଶିମିଳିପାଳ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି ବିଜେପି ରାଜ୍ୟ ସରକାରଙ୍କ ପରିଚାଳନାଗତ ଅପରାଗତାକୁ ଉଖାରିବ। ରାଜ୍ୟ ସରକାର କି କି ପଦ‌େକ୍ଷପ ନେଇଛନ୍ତି, ତାହାର ମଧ୍ୟ ତାଲିକା ଦେବାକୁ ବିଜେଡି ପ୍ରସ୍ତୁତ ହୋଇଛି। ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍‌ କରିପାରେ କଂଗ୍ରେସ। ଆସନ୍ତା ୧୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଗୃହରେ ବିଭାଗୀୟ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୧ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରି ବିଲ୍‌ ପାରିତ ହେବ। ଅଧିବେଶନ ଏପ୍ରିଲ୍‌ ୯ ତାରିଖ ଯାଏ ଚାଲିବ।

କଂଗ୍ରେସ ବିଧାୟକ ଦଳ ନେତା ନରିସଂହ ମିଶ୍ର ସିଧାସଳଖ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି, ସରକାର ଚାଷୀଙ୍କୁ ଠକିଛନ୍ତି। ଚାଷୀ ଧାନ ବିକ୍ରି କରି ନ ପାରି ଆତ୍ମହତ୍ୟା କରିବାକୁ ବାହାରିଲେଣି। ଏ ନେଇ ସସସ୍ତ ସଦସ୍ୟ ଗୃହରେ ଉଦ୍‌ବେଗ ପ୍ରକାଶ କଲେ। ଦୁଇ ଦିନ ଗୃହ ଅଚଳ ହେଲା। ପରେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେଲା ପଞ୍ଜୀକୃତ ହୋଇଥିବା ପ୍ରକୃତ ଚାଷୀଙ୍କର ସମସ୍ତ ଧାନ ସରକାର କିଣିବେ। ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ଗୃହରେ ପ୍ରତିଶ୍ରୁତି ଦେଲେ। ଅଥଚ ଏ ପର୍ଯ୍ୟନ୍ତ ଚାଷୀଙ୍କର ଧାନ ଉଠିଲାନି। ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଉପକୂଳ ଓଡ଼ିଶାରେ ଚାଷୀଙ୍କର ହଜାର ହଜାର କ୍ବିଣ୍ଟାଲ ଧାନ ପଡ଼ିରହିଛି। ଏଭଳି ସ୍ଥିତିର ଫାଇଦା ଉଠାଉଛନ୍ତି ଦଲାଲ, ମିଲ ମାଲିକ ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ। ସେମାନେ ଏବେ ଚାଷୀଙ୍କଠାରୁ ଧାର୍ଯ୍ୟ ଏମ୍‌ଏସ୍‌ପିଠାରୁ କମ୍‌ ଦରରେ ଧାନ କିଣୁଛନ୍ତି। ଦୁଇଦିନ ତଳେ ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର ଯୋଗାଣ ମନ୍ତ୍ରୀ କହିଥିଲେ, ଚାଷୀଙ୍କର ସବୁ ଧାନ କିଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। ଏଫ୍‌ସିଆଇ ଆଇନ ଅନୁଯାୟୀ କେନ୍ଦ୍ର ସରକାର ବି ଚାଷୀଙ୍କଠାରୁ ଧାନ କିଣିବାକୁ ବାଧ୍ୟ। ଯଦି ରାଜ୍ୟ ସରକାର ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବାକୁ ଅସମର୍ଥ, ତେବେ କ’ଣ ପାଇଁ ନିଜେ ଓହରି ଯାଉନାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି, ରାଜ୍ୟ ସରକାର ଜାଣିଶୁଣି ଧାନ କିଣା ଦୁର୍ନୀତିରେ ଲିପ୍ତ ରହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଖୋଦ୍‌ ସରକାର ପବିତ୍ର ବିଧାନସଭାରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିନାହାନ୍ତି। ଏ ନେଇ ସରକାରଙ୍କ ବିରୋଧ‌େର ସ୍ବାଧିକାର ଭଙ୍ଗ ନୋଟିସ ଆସିପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି, ଧାନ କିଣା ପ୍ରସଙ୍ଗରେ ସରକାର ଯେପରି ଚାଷୀଙ୍କୁ ଭୁଆଁ ବୁଲାଇଛନ୍ତି ସେ ନେଇ ଦଳ ଗୃହରେ ସରକାରଙ୍କୁ ଘେରିବ। ଆସନ୍ତାକାଲି ଦଳୀୟ ବିଧାୟକମାନଙ୍କ ସହ ଆଲୋଚନା କରାଯାଇ ରଣନୀତି ଚୂଡ଼ାନ୍ତ ହେବ। ଶିମିଳପାଳ ଜଙ୍ଗଲ ସମେତ ଏବେ ରାଜ୍ୟର ସବୁ ଜଙ୍ଗଲରେ ନିଆଁ ଲାଗିଛି। ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ସରକାର ବିଫଳ ହୋଇଛନ୍ତି। ଜଙ୍ଗଲ ନିଆଁକୁ ନେଇ ମଧ୍ୟ ସରକାରଙ୍କୁ ଜବାବ ମଗାଯିବ ବୋଲି ଶ୍ରୀ ମାଝୀ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର