୨ୟ ପର୍ଯ୍ୟାୟ ପଦୋନ୍ନତି ଅଦାଲତ ଆରମ୍ଭ : ଗ୍ରୁପ୍‌ ସି ଓ ଗ୍ରୁପ୍‌ ଡି କର୍ମଚାରୀଙ୍କ ପଦୋନ୍ନତି ପାଇଁ ଚରିତ୍ର ପଞ୍ଜିକା ଆବଶ୍ୟକ ନାହିଁ

ଭୁବନେଶ୍ବର : ଆଉ ଏଣିକି ଗ୍ରୁପ୍‌-ସି ଓ ଗ୍ରୁପ-ଡି କର୍ମଚାରୀଙ୍କ ପଦୋନ୍ନତି ପାଇଁ ଚରିତ୍ର ପଞ୍ଜିକା ଆବଶ୍ୟକ ପଡ଼ିବ ନାହିଁ। କର୍ମଚାରୀଙ୍କୁ ଉଚିତ ସମୟରେ ପଦୋନ୍ନତି ଦେବାକୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। କେବଳ ପ୍ରଶାସନିକ ଅଧିକାରୀ କିମ୍ବା ବିଭାଗୀୟ ମୁଖ୍ୟ ସମ୍ପୃକ୍ତ କର୍ମଚାରୀ ପଦୋନ୍ନତି ପାଇବାକୁ ଯୋଗ୍ୟ କି ନୁହେଁ ରିପୋର୍ଟ କରିବେ। ଆଜି ଦ୍ବିତୀୟ ପର୍ଯ୍ୟାୟ ପଦୋନ୍ନତି ଅଦାଲତରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ଯାହାକୁ ନେଇ କର୍ମଚାରୀ ମହଲରେ ଏବେ ଚର୍ଚ୍ଚା। ପଦୋନ୍ନତି କ୍ଷେତ୍ରରେ ଥିବା ତ୍ରିସ୍ତରୀୟ ବ୍ୟବସ୍ଥାରେ ଚରିତ୍ର ପଞ୍ଜିକା ଗୁରୁତ୍ବ ବହନ କରିଥାଏ। ଯଦି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ତେବେ ନିୟମାନୁଯାୟୀ ଚରିତ୍ର ପଞ୍ଜିକା ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ କର୍ମଚାରୀ ମହଲରେ ଦାବି ଉଠିଛି। ଏହାସହିତ ଆଜି ପ୍ରଥମ ଦିନରେ ଶତ ପ୍ରତିଶତ ଆବେଦନର ଶୁଣାଣି ହୋଇଛି।

ଗୁରୁବାର ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ପଦୋନ୍ନତି ଅଦାଲତରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ଜେନା ଓ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ୬ଟି ପୃଥକ୍‌ ସ୍ଥାନରେ ଅଧ୍ୟକ୍ଷତା କରିଥିଲେ। ମୋଟ ୪୦୩ ଜଣ ଦରଖାସ୍ତକାରୀଙ୍କ ଆବେଦନ ଉପରେ ବିଚାର କରାଯାଇ ନିଷ୍ପତ୍ତି ନିଆଯାଇଥିଲା।

ଗ୍ରୁପ୍‌-ସି ଓ ଗ୍ରୁପ୍‌-ଡି କର୍ମଚାରୀଙ୍କ ସମ୍ପର୍କରେ ସରରାକଙ୍କ ନିଷ୍ପତ୍ତିକୁ ନେଇ ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ଭିତରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେତେକ କର୍ମଚାରୀ କହିଛନ୍ତି ଯେ ନିୟମାନୁଯାୟୀ ଜଣେ କାର୍ଯ୍ୟରତ କର୍ମଚାରୀର ପଦୋନ୍ନତି ପାଇଁ ଚରିତ୍ର ପଞ୍ଜିକାକୁ ଅନୁଧ୍ୟାନ କରାଯାଏ। ସେଥିରେ କର୍ମଚାରୀର ସମୟାନୁବର୍ତ୍ତିତା, ବିଶ୍ବସନୀୟତା, ନିୟମ କାନୁନ୍‌ ଜ୍ଞାନ, ଚରିତ୍ର, ତଫସିଲଭୁକ୍ତ ଜାତି ଓ ଜନଜାତି ଲୋକଙ୍କ ପାଇଁ ଆଭିମୁଖ୍ୟକୁ ରେକର୍ଡ଼ କରାଯାଏ। ଜଣେ କର୍ମଚାରୀର ପଦୋନ୍ନତି ରିପୋର୍ଟିଂ, ରିଭ୍ୟୁ, ଆକସେପ୍ଟିଂ ଅଧିକାରୀଙ୍କ ସୁପାରିସ ଉପରେ ନିର୍ଭର କରିଥାଏ। ସରକାରଙ୍କ ନୂଆ ନିୟମ ଅନୁଯାୟୀ, ଜଣେ ରିପୋର୍ଟିଂ ଅଧିକାରୀ କର୍ମଚାରୀର ପଦୋନ୍ନତି ପାଇବା ଦରକାର କି ନାହିଁ ନିଷ୍ପତ୍ତି ନେବେ। ଆଉ କୌଣସି ବିଭାଗୀୟ ମୁଖ୍ୟଙ୍କ ମତାମତ ଆବଶ୍ୟକ ପଡ଼ିବନି। ଫଳରେ ସମ୍ପୃକ୍ତ କର୍ମଚାରୀ ଜଣକ ଏଣିକି କେବଳ ତାର ଉପରିସ୍ଥ ଅଧିକାରୀଙ୍କୁ ଖୁସି କରିବାରେ ବ୍ୟସ୍ତ ରହିବ। କୌଣସି କାରଣରୁ ଯଦି ବିଭାଗୀୟ ମୁଖ୍ୟଙ୍କ ଅସନ୍ତୋଷ ଥାଏ ତେବେ ତାହା ବିଚାରକୁ ନିଆଯିବନି। କେବଳ ଉପରିସ୍ଥ ଅଧିକାରୀଙ୍କ ମତାମତ କାଏମ ରହିବ। ଅନ୍ୟପଟେ କେତେକ ସ୍ଥଳରେ ବ୍ୟକ୍ତିଗତ ଆକ୍ରୋଶ କାରଣରୁ କର୍ମଚାରୀମାନେ ନ୍ୟାୟ ପାଇ ପାରିବେ ନାହିଁ ବୋଲି କର୍ମଚାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଦ୍ବିତୀୟ ପର୍ଯ୍ୟାୟ ଅଦାଲତର ଅବଶିଷ୍ଟ ୩ ଦିନ ଚଳିତ ମାସ ୨୮, ୨୯ ଓ ମାର୍ଚ୍ଚ ୨ ତାରିଖରେ ଅନୁଷ୍ଠିତ ହେବ। ଆସନ୍ତାକାଲି କ୍ରୀଡ଼ା, ଯୁବ ବ୍ୟାପାର, ଶ୍ରମ, ଜଳ ସମ୍ପଦ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ, ଶକ୍ତି, ବୟନ ଓ ହସ୍ତଶିଳ୍ପ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଗୃହ ଓ ନଗର ଉନ୍ନୟନ, ଇଲେକ୍ଟ୍ରୋନିକ୍‌ସ୍‌ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ କର୍ମଚାରୀମାନଙ୍କ ଆବେଦନ ଉପରେ ଶୁଣାଣି ହେବ। ଇ-ମେଲ୍‌ ମାଧ୍ୟମରେ ସ୍ବୀକୃତିପତ୍ର ସହ ଦିଆଯାଇଥିବା ସୂଚନା ଅନୁସାରେ ନିର୍ଦ୍ଧାରିତ ଅଦାଲତରେ ଦରଖାସ୍ତକାରୀମାନେ ନିଜେ ନିଜର ପକ୍ଷ ରଖିପାରିବେ। ଜଣେ କର୍ମଚାରୀଙ୍କ ପାଇଁ ଅନ୍ୟ କୌଣସି ଓକିଲ ବା ପ୍ରତିନିଧି ପକ୍ଷ ରଖିପାରିବେ ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି। ଅଦାଲତଗୁଡ଼ିକ ଯଥା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, କୃଷି ଭବନ, କଳିଙ୍ଗ ଷ୍ଟାଡିୟମ୍‌, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ଇଡକୋ ଭବନ କନଫରେନ୍‌ସ୍‌ ହଲଠାରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର