ଦ୍ୱିତୀୟ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର ସ୍ମାରକୀ ବକ୍ତୃତା ଆୟୋଜିତ

ଭୁବନେଶ୍ବର: ବିଶ୍ୱପ୍ରସିଦ୍ଧ ନୃତତ୍ତ୍ୱବିତ୍ ତଥା ଶିକ୍ଷାବିତ୍ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ରଙ୍କ ଜନ୍ମବାର୍ଷିକୀ ପାଳନ ଉପଲକ୍ଷେ ତାଙ୍କ ନାମରେ ନାମିତ ମେମୋରିଆଲ୍ ଟ୍ରଷ୍ଟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ସ୍ନାତକତ୍ତୋର ବିଭାଗର ମିଳିତ ଆନୁକୂଲ୍ୟରେ ଦ୍ୱିତୀୟ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର ସ୍ମାରକୀ ବକ୍ତୃତା ଆଜି ଆୟୋଜିତ ହୋଇଯାଇଛି।

ଆଜି ‘ହି‌ଷ୍ଟୋରିକାଲ୍ ରଙ୍ଗସ୍ ଆଣ୍ଡ୍ ଦ ଆଫ୍ଟରମାଥ୍: ଜର୍ଣ୍ଣି ଅଫ୍ ଏ ଟ୍ରାଇବ୍’ ଶୀର୍ଷକ ଦ୍ୱିତୀୟ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରିଛନ୍ତି ସିଲଂ ସ୍ଥିତ ଉତ୍ତର ପୂର୍ବାଞ୍ଚଳ ପାର୍ବତ୍ୟ ବିଶ୍ୱବିଦ୍ୟାଳୟର  ପ୍ରଫେସର ଗୀତିକା ରଂଜନ। ସର୍ବଭାରତୀୟ ଓ ଆନ୍ତର୍ଜାତିକ ସ୍ତରରେ ଜଣେ ବିଶିଷ୍ଟ ନୃତତ୍ତ୍ୱ ବିଜ୍ଞାନୀ ଭାବରେ ତାଙ୍କର ସ୍ୱନାମ ରହିଛି। ଏହା ପୂର୍ବରୁ କରୋନା ମହାମାରୀ ପାଇଁ ଅନଲାଇନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ପି ସି ଯୋଶୀଙ୍କ ଦ୍ୱାରା ପ୍ରଥମ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର ସ୍ମାରକୀ ବକ୍ତୃତା ପ୍ରଦତ୍ତ ହୋଇଥିଲା।

ଆଜି ଦ୍ୱିତୀୟ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରି ପ୍ରଫେସର ରଂଜନ ଉତ୍ତରପ୍ରଦେଶର ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ ଭୋକାସାଙ୍କ ବିଷୟରେ ଆଲୋକପାତ କରିଥିଲେ। ସ୍ଥିତିରେ ଉନ୍ନତି ଆଣିବା ପାଇଁ ଯୋଜନା ପ୍ରଣୟନ ଓ ଏବଂ ଯୋଜନା ସ୍ଵତ୍ତ୍ୱେ ଭୋକାସା ଜନଜାତି କିଭଳି ଦୁର୍ବଳ ତଥା ଅସୁରକ୍ଷିତ ସେହିଁ ସମ୍ବନ୍ଧରେ ସୂଚନା ପ୍ରଦାନ କରି ନୀତି ନିର୍ଧାରଣ ଏବଂ କାର୍ଯ୍ୟକାରିତାରେ କେତେକ ଐତିହାସିକ ତ୍ରୁଟି ପରବର୍ତ୍ତୀ ଉନ୍ନତିମୂଳକ ଯୋଜନାକୁ ଆକ୍ରାନ୍ତ କରିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ।

ଲକ୍ଷ୍ମଣ କୁମାର ମହାପାତ୍ର ସ୍ମାରକୀ ବକ୍ତୃତା ଉତ୍ସବରେ ନୃତତ୍ତ୍ୱ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର କାହ୍ନୁ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ରଙ୍କ ଛାତ୍ରୀ ତଥା ନୃତତ୍ତ୍ୱ ବିଜ୍ଞାନ ବିଭାଗର ପ୍ରାକ୍ତନ ମୁଖ୍ୟ ତଥା ସମ୍ପ୍ରତି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସାବିତା ଆଚାର୍ଯ୍ୟ। ଏହି ଅବସରରେ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ରଙ୍କ ବୌଦ୍ଧିକ ଉତ୍ତରାଧିକାର ସମ୍ବନ୍ଧରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଏନ ସି ଦାଶ ବିଶେଷ ଆଲୋଚନା କରିଥିଲେ। ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ଓ ସାମାଜିକ ବିଜ୍ଞାନର ବିଶିଷ୍ଟ ବିଦ୍ୱାନ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଚଳିତ ବର୍ଷ ପ୍ରାରମ୍ଭରେ ଲକ୍ଷ୍ମଣ କୁମାର ମହାପାତ୍ର ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ପ୍ରଫେସର ମହାପାତ୍ରଙ୍କ ବାସଭବନ ୧୬, ସତ୍ୟନଗରଠାରେ ଲକ୍ଷ୍ମଣ କୁମାର ମହାପାତ୍ର କେନ୍ଦ୍ର ଏବଂ ପାଠାଗାର ସ୍ଥାପନ କରାଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ସ୍ନାତକତ୍ତୋର ବିଭାଗର ପୂର୍ବତନ ଛାତ୍ର ତଥା ସମ୍ପ୍ରତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ଲକ୍ଷ୍ମଣ କୁମାର ମହାପାତ୍ର ମେମୋରିଆଲ୍ ଟ୍ରଷ୍ଟ ଏବଂ ବକୁଳ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଲକ୍ଷ୍ମଣ କୁମାର ମହାପାତ୍ର କେନ୍ଦ୍ର ହେଉଛି ସାମାଜିକ ଏବଂ ନୃତତ୍ତ୍ୱ ବିଜ୍ଞାନ ସମ୍ବନ୍ଧିତ ଲକ୍ଷ୍ମଣ କୁମାର ମହାପାତ୍ର କେନ୍ଦ୍ର ବର୍ତମାନ ଏକ ରେଫରେନ୍ସ ଲାଇବ୍ରେରୀ ବା ତଥ୍ୟଲବ୍ଧ ପାଠାଗାର ଭାବରେ କାର୍ଯ୍ୟ କରୁଛି।

ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର (୧୯୨୯-୨୦୨୦) ଜଣେ ବିଶ୍ୱପ୍ରସିଦ୍ଧ ନୃତତ୍ତ୍ୱବିତ୍ ତଥା ଶିକ୍ଷାବିତ୍ ଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ନୃତତ୍ତ୍ୱ ବିଜ୍ଞାନ ବିଭାଗରର ଖ୍ୟାତି ଓ ପ୍ରସିଦ୍ଧି ଦିଗରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ତାଙ୍କ ଉଦ୍ୟମ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଭାରତର ଦୁଇଟି ପ୍ରମୁଖ ନୃତତ୍ତ୍ୱ ଉଚ୍ଚତର ଶିକ୍ଷା କେନ୍ଦ୍ର ମଧ୍ୟରୁ ଅନ୍ୟତମ ଭାବରେ ପରିଗଣିତ ହୋଇପାରିଛି। ଦକ୍ଷିଣ ପୂର୍ବ ଏସିଆନ୍ ଷ୍ଟଡିଜ୍ ଏବଂ ସାମ୍ପ୍ରତିକ ବିକାଶମୂଳକ ନୃତତ୍ତ୍ୱ ବିଜ୍ଞାନ ଓ ଜନସଂଖ୍ୟାମୂଳକ ନୃତତ୍ତ୍ୱ ବିଜ୍ଞାନ କ୍ଷେତ୍ରରେ ଉଲ୍ଳେଖଜନକ ଗବେଷଣା ପାଇଁ ସେ ଚିର ସ୍ମରଣୀୟ ହୋଇ ରହିଛନ୍ତି। ସେ ଉତ୍କଳ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ତଥା ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ ନିର୍ବାହ କରିଥିଲେ।

ସମ୍ବନ୍ଧିତ ଖବର