ରାୟଗଡ଼ା : ଅସୁସ୍ଥତା କାରଣରୁ ଆଜି ଆଉ ଜଣେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତକ ୬୫ବର୍ଷୀୟ ପାୱେଲ୍ ଆନ୍ଥେମ ବୋଲି ସୂଚନା ମିଳିଛି। କିଛି ଘଣ୍ଟା ପୂର୍ବରୁ ବନ୍ଧୁ ବ୍ଲାଦ୍ମିର୍ ବିଦାନୋଭାଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ସଂଧ୍ୟାରେ ପାୱେଲ୍ ଆନ୍ଥେମଙ୍କ ମୃତ୍ୟୁ ଜିଲ୍ଲା ପୁଲିସ୍ ସହ ପ୍ରଶାସନକୁ ଚିନ୍ତାରେ ପକାଇଛି। ଦୁଇ ବନ୍ଧୁ ଏକାଠି ଭାରତ ଆସିଥିଲେ। କିଛି ଦିନ ତଳେ ଓଡ଼ିଶା ପରିଭ୍ରମଣରେ ଆସି ବୁଧବାର ରାୟଗଡ଼ାରେ ପହଞ୍ଚିଥିଲେ।
ରାୟଗଡ଼ାର ଏକ ହୋଟେଲରେ ରହୁଥିବା ରୁଷୀୟ ପର୍ଯ୍ୟଟକ ପାୱେଲ୍ ଆନ୍ଥେମ୍ ଶନିବାର ସଂଧ୍ୟାରେ ଅସୁସ୍ଥତା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। କେଉଁ ପରିସ୍ଥିତରେ ମୃତ୍ୟୁ ହୋଇଛି ସ୍ପଷ୍ଟ ହୋଇପାରିନି। ଅନ୍ୟପକ୍ଷରେ ଗୁରୁବାର ସଂଧ୍ୟାରେ ମୃତ୍ୟୁବରଣ କରିଥିବା ବ୍ଲାଦ୍ମିର୍ ବିଦାନୋଭାଙ୍କ ଶେଷକୃତ୍ୟ ଶନିବାର ସଂଧ୍ୟାରେ ଶେଷ ହୋଇଛି।
ଗୁରୁବାର ସଂଧ୍ୟାରେ ବ୍ଲାଦ୍ମିରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ଶେଷକୃତ୍ୟ ପାଇଁ ରୁଷ ରାଷ୍ଟ୍ରଦୂତଙ୍କ ସହ ରାୟଗଡ଼ା ପୁଲିସ୍ ଓ ଜିଲ୍ଲା ପ୍ରଶାସନ ଯୋଗାଯୋଗ କରିଥିଲା। ତେବେ ବ୍ଲାଦ୍ମିରଙ୍କ ପୁଅ ଭାରତ ଆସିବା ସମ୍ଭବ ନଥିବାରୁ ରାଷ୍ଟ୍ରଦୂତଙ୍କ ଜରିଆରେ ଶବ ବ୍ୟବଚ୍ଛେଦ ଓ ଶେଷକୃତ୍ୟ ପାଇଁ ସମ୍ମତି ପ୍ରଦାନ କରିଥିଲେ। ପ୍ରାଥମିକ ତଦନ୍ତରୁ ହୃଦ୍ଘାତରେ ହିଁ ବ୍ଲାଦ୍ମିର ପ୍ରାଣ ହରାଇଥିବା ପୁଲିସ୍ କହିଛି। ସାଥୀ ପର୍ଯ୍ୟଟକଙ୍କ ଉପସ୍ଥିତିରେ ରାୟଗଡ଼ା ପୁଲିସ୍ ଶବ ବ୍ୟବଚ୍ଛେଦ ପରେ ସିରିଗୁଡ଼ା ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରିଛି। ଏହି ଘଟଣାର କିଛି ସମୟ ପରେ ହିଁ ଦ୍ବିତୀୟ ରୁଷ ପର୍ଯ୍ୟଟକ ପାୱେଲ୍ ଆନ୍ଥେମଙ୍କ ମୃତ୍ୟୁ ହୋଇଛି। ଉଭୟେ ହୋଟେଲରେ ଗୋଟିଏ ରୁମ୍ରେ ରହୁଥିଲେ।