ଟିଟିଲାଗଡ଼ ପହଞ୍ଚିଲା ଦ୍ବିତୀୟ ପ୍ରବାସୀ ଶ୍ରମିକ ଏକ୍ସପ୍ରେସ

ଟିଟିଲାଗଡ଼ : ରବିବାର ମହାରାଷ୍ଟ୍ରର ପନଭେଲରୁ ପ୍ରଥମ ପ୍ରବାସୀ ଓଡ଼ିଆ ଶ୍ରମିକ ଏକ୍ସପ୍ରେସ ଟ୍ରେନ ଟିଟିଲାଗଡ଼ ପହଞ୍ଚିଥିଲା। ସୋମବାର ଆଉ ଏକ ଟ୍ରେନ୍‌ ଏଠାରେ ପହଞ୍ଚିଛି। ସୋମବାର ବିଜୟୱାଡ଼ା ନିକଟସ୍ଥ ରାୟନାପାଡୁ ଷ୍ଟେସନରୁ ଏହି ସ୍ୱତନ୍ତ୍ର ଟ୍ରେନ ବାହାରିଥିଲା। ଦିନ ପ୍ରାୟ ଅଢ଼େଇଟା ବେଳେ ପହଞ୍ଚିବାକୁ ଥିବା ଏହି ଟ୍ରେନଟି ପ୍ରାୟ ତିନିଘଣ୍ଟା ବିଳମ୍ୱରେ ପହଞ୍ଚିଥିଲା। ୨୨ଟି ବଗି ବିଶିଷ୍ଟ ଏହି ଟ୍ରେନ୍‌ରେ ରାଜ୍ୟର ୧୩ଟି ଜିଲ୍ଲାରୁ ୧୨୦୯ ଜଣ ଶ୍ରମିକ ଆସିଥିଲେ। ଏମାନଙ୍କ ମଧ୍ୟରେ ଥିଲେ ବଲାଙ୍ଗୀର ଜିଲ୍ଲାର ୧୨୦, ବାଲେଶ୍ୱରର ଜଣେ, ବରଗଡ଼ ଜିଲ୍ଲାର ୧୨, ଭଦ୍ରକ ଜିଲ୍ଲାର ୪, କଟକର ୧୨, ଗଜପତିର ୧୮୬, ଗଞ୍ଜା‌ମର ୨୩୦, ଯାଜପୁରର ୯, କଳାହାଣ୍ଡିର ୧୦, କୋରାପୁଟର ୩୮, ନୂଆପଡ଼ାର ୫୬୫, ପୁରୀର ୯ ଓ ରାୟଗଡ଼ା ଜିଲ୍ଲାର ୮ ଜଣ ଶ୍ରମିକ। ଟ୍ରେନ୍‌ ପହଞ୍ଚିବା ପୂର୍ବରୁ ଗତକାଲି ଭଳି ଷ୍ଟେସନ ପରିସରକୁ ସାନିଟାଇଜ କରାଯିବା ସହ ଶ୍ରମିକମାନେ କିପରି ସୁରୁଖୁରୁରେ ତାଙ୍କ ଗନ୍ତବ୍ୟ ସ୍ଥାନକୁ ଯାଇ ପାରିବେ ସେ ନେଇ ପ୍ରଶାସନ ତାର କାର୍ଯ୍ୟ ଆରମ୍ଭ କରି ଦେଇଥିଲା।

ଟ୍ରେନ ପହଞ୍ଚିବା ପରେ ସମସ୍ତ ପ୍ରବାସୀ ଶ୍ରମିକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ସେମାନଙ୍କୁ ଖାଦ୍ୟପେୟ ଦେଇ ଜିଲ୍ଲା ପାଇଁ ନିର୍ଦ୍ଧାରିତ ବସ୍‌ରେ ଚଢ଼ାଇ ଦିଆଯାଇଥିଲା। ଆଜି ମଧ୍ୟ ଟ୍ରେନ ପହଞ୍ଚିବା ପୂର୍ବରୁ ଷ୍ଟେସନ ପରିସରକୁ ସାନିଟାଇଜ୍‌ କରାଯାଇଥିଲା। ନିଜ ନିଜ ଜିଲ୍ଲାକୁ ଯିବା ପରେ ଏହି ଶ୍ରମିକମାନେ ସଙ୍ଗରୋଧ କେନ୍ଦ୍ରରେ ରହିବେ ଏବଂ ସେତିକିବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ତଥା ସ୍ୱାବ୍‌ ଟେଷ୍ଟ ମଧ୍ୟ କରାଯିବ ବୋଲି କୁହାଯାଇଛି।

ଆଜି ଏହି ଟ୍ରେନ ଆସିବା ନେଇ ଟିଟିଲାଗଡ଼ରେ ଦିନ ୧୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଥିଲା। ଏଥିପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ଆର୍‌ପିଏଫ୍‌ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରା ଯାଇଥିଲା। ଏସବୁର ତଦାରଖ ପାଇଁ ବଲାଙ୍ଗୀର ଜିଲ୍ଲା କରୋନା ପର୍ଯ୍ୟବେକ୍ଷକ ସୁଶୀଲ ଲୋହାନୀ, ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁଲାଲ, ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ ସଚିବ ବେଣୁଧର ବେହେରା, ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଏସପି ମଡକର ସନ୍ଦିପ ସଂପତ, ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ, ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଏସ୍‌ଡିଆଇପିଆରଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର