ସେକେଣ୍ଡାରି ବୋର୍ଡ ଦୁର୍ନୀତି : କ୍ୟାସ୍‌ ବୁକ୍ ନଥାଇ ବର୍ଷକୁ ଶହେକୋଟିର କାରବାର

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମାଟ୍ରିକ୍ ପରୀକ୍ଷା ମାଧ୍ୟମରେ ଓଡ଼ିଶାର ଲକ୍ଷଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ଗଢ଼ୁଛି। ପରୀକ୍ଷାରେ ସ୍ବଚ୍ଛତା, ସାଧୁତା ଉପାୟ ଅବଲମ୍ବନ କରିବାକୁ ଏହି ଅନୁଷ୍ଠାନ ପ୍ରବର୍ତ୍ତାଉଛି। ଅସାଧୁ ଉପାୟ ଅବଲମ୍ବନ କରୁଥିବା ପିଲାଙ୍କୁ ଏହି ଅନୁଷ୍ଠାନ ଦଣ୍ଡିତ କରୁଛି। ହେଲେ ଏହି ଅନୁଷ୍ଠାନର ସ୍ବଚ୍ଛତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନ କୌଣସି ବ୍ୟକ୍ତିବ‌ିଶେଷ ଉଠାଇ ନାହାନ୍ତି। ପ୍ରଶ୍ନ ଉଠାଇଛନ୍ତି ବୋର୍ଡ‌ର ବାର୍ଷିକ କାରବାର ଅଡିଟ୍ କରୁଥିବା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ। ବୋର୍ଡ ବର୍ଷକୁ ଶହେକୋଟି ଟଙ୍କାରୁ ଅଧିକ କାରବାର କରୁଥିଲେ ମଧ୍ୟ ଏହାର କ୍ୟାସ୍ ବୁକ୍ ନ ଥିବା ଅଡିଟ୍ ରିପୋର୍ଟରେ ପ୍ରକାଶ ପାଇଛି। ଏହାଦ୍ବାରା ଖୋଲାଖୋଲି ଭାବେ ଦୁର୍ନୀତିକୁ ପ୍ରୋତ୍ସାହନ ‌ଦିଆଯାଉଥିବା ପ୍ରତିଫଳିତ ହେଉଛି।

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ବର୍ଷକୁ ଶହେ କୋଟି ଟଙ୍କାର କାରବାର କରୁଥିବା ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଆର୍ଥିକ ନେଣଦେଣର କୌଣସି କ୍ୟାସ୍ ବୁକ୍ ନାହିଁ। ଏହା ଆଜିକାଲି କଥା ନୁହେଁ। ପାଖାପାଖି ୩/୪ବର୍ଷ ହେବ ବିନା କ୍ୟାସ୍‌ ବୁକ୍‌ରେ ଆର୍ଥିକ କାରବାର ଚାଲୁଥିବା ସୂଚନା ମିଳିଛି। କୌଣସି ସରକାରୀ କାର୍ଯ୍ୟାଳୟର ଆୟ ଓ ବ୍ୟୟ ହିସାବ ପାଇଁ କ୍ୟାସ୍‌ବୁକ୍ ଏକ ପ୍ରମୁଖ ଓ ମୌଳିକ ବ୍ୟବସ୍ଥା ହୋଇଥିବାବେଳେ ବୋର୍ଡ ଭଳି ସଂସ୍ଥାର କ୍ୟାସ୍‌ ବୁକ୍ ନଥିବାକୁ ନେଇ ବିଶ୍ମୟ ପ୍ରକାଶ କରିଛନ୍ତି ଅଡିଟ୍ କରୁଥିବା ଅଧିକାରୀମାନେ। ଏହାଦ୍ବାରା ବୋର୍ଡରେ ବହୁ ଆର୍ଥିକ ଅନିୟମିତତା ହେଉଥିବା ସୂଚନା ମିଳିଛି। ବିଭିନ୍ନ ସମୟରେ ବ୍ୟାଙ୍କ କାରବାରରେ ହେର୍‌ଫେର ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ତୁରନ୍ତ କ୍ୟାସ୍‌ ବୁକ୍ ଠିକ୍‌ରେ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ ହେୟଜ୍ଞାନ କରୁଛନ୍ତି। ଏ ସଂକ୍ରାନ୍ତରେ ‌ବୋର୍ଡର ସଂପାଦକ ଶ୍ରୀକାନ୍ତ ତରାଇ, କ୍ୟାସ୍‌ ବୁକ୍ ସଂକ୍ରାନ୍ତରେ କିଛି ସୂଚନା ଦିଆଯିବ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର