ଭୁବନେଶ୍ବର: ହାଇସ୍କୁଲ ଶିକ୍ଷା ପରେ ପାଠ ଛାଡ଼ୁଥିବା ପିଲାମାନଙ୍କୁ ଯୋଡ଼ି ରଖିବା ଲାଗି ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ପିଲାମାନେ ଯେପରି ଉଚ୍ଚଶିକ୍ଷା ପାଇପାରିବେ, ସେଥିପାଇଁ ରାଜ୍ୟର ୧୦୬ଟି ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)କୁ ଅପଗ୍ରେଡ୍ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଉକ୍ତ ୧୦୬ଟି ବିଦ୍ୟାଳୟରେ କଳା ଓ ବିଜ୍ଞାନ ବିଭାଗରେ ପାଠ୍ୟକ୍ରମ ଖୋଲାଯିବା ସହ ପିଲାଙ୍କ ନାମଲେଖା କରାଯିବ। କେଉଁ ବିଦ୍ୟାଳୟରେ କେତେ ସିଟ୍ ରହିବ, ତାହା ମଧ୍ୟ ସ୍ଥିର ହୋଇଛି। ତେବେ ଗୋଟିଏ କ୍ୟାମ୍ପସରେ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କ୍ଲାସରୁମ୍ ଶିକ୍ଷା ପ୍ରଦାନ କରିବା କଷ୍ଟକର ହେବ। କାରଣ ଅଧିକାଂଶ କ୍ୟାମ୍ପସରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ତେଣୁ ପାଳି କରି ପାଠପଢ଼ା କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଯେପରି ସୁରୁଖୁରୁରେ ସମସ୍ତ ଶ୍ରେଣୀର କ୍ଲାସରୁମ୍ ଶିକ୍ଷା ଚାଲିବ, ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠା ନିର୍ଦ୍ଦେଶାବଳୀ(ଗାଇଡ୍ଲାଇନ୍) ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଯାଇଛି।
୨୦୨୩-୨୪ ଶିକ୍ଷାବର୍ଷରୁ ହିଁ ୧୦୬ଟି ହାଇସ୍କୁଲ କ୍ୟାମ୍ପସରେ କିଭଳି ଜୁନିଅର କଲେଜ ଚାଲିବ, ତାହାର ରୂପରେଖ ପ୍ରସ୍ତୁତ କରାଯାଇଛି। ଯେଉଁ ହାଇସ୍କୁଲକୁ ଅପଗ୍ରେଡ୍ କରାଯାଇଛି, ସେଠାକାର ପ୍ରଧାନ ଶିକ୍ଷକ ଯୁକ୍ତ୨ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଗୋଟିଏ ସମୟରେ କିଭଳି ଉଭୟ ହାଇସ୍କୁଲ ଓ ଯୁକ୍ତ୨ କଲେଜ ଚାଲିବ, ସେ ଦିଗରେ ଅଧ୍ୟକ୍ଷମାନେ ପଦକ୍ଷେପ ନେବେ। ଯଦି ଆବଶ୍ୟକ କ୍ଲାସରୁମ୍ ନ ଥିବ, ଦୁଇଟି ସିଫ୍ଟରେ ପିଲାଙ୍କ ପାଠପଢ଼ା କରାଯିବ। କ୍ଲାସରୁମ୍ ନିର୍ମାଣ ହେବା ଯାଏ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଯୁକ୍ତ୨ କଲେଜ ଓ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୪ଟା ଯାଏ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲିବ। ଏକାଦଶ ଶ୍ରେଣୀ ପାଇଁ ଦୁଇଟି ସେକ୍ସନ ଖୋଲିବ ଏବଂ ପ୍ରତି ସେକ୍ସନରେ ୬୪ଜଣ ଲେଖାଏଁ ପିଲା ରହିବେ। କଳା ବିଭାଗରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼ାଯିବ। ଏଥିସହ ଇତିହାସ, ରାଜନୀତି ବିଜ୍ଞାନ, ଅର୍ଥନୀତି, ତର୍କଶାସ୍ତ୍ର, ସମାଜ ବିଜ୍ଞାନ ଓ ଓଡ଼ିଆ ବିଷୟ ମଧ୍ୟରୁ ଛାତ୍ରଛାତ୍ରୀ ୪ଟିକୁ ଇଚ୍ଛାଧୀନ ବିଷୟ ଭାବେ ଚୟନ କରି ପଢ଼ିପାରିବେ। ବିଜ୍ଞାନ ବିଭାଗରେ ମଧ୍ୟ ଓଡ଼ିଆ ଓ ଇଂରାଜୀ ବାଧ୍ୟତାମୂଳକ ହେବ। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ଗଣିତ ଇଚ୍ଛାଧୀନ ବିଷୟ ଭାବେ ରହିବ। ପ୍ରତି ଶିକ୍ଷାନୁଷ୍ଠାନରେ କଳା ପାଇଁ ୬ଟି ଓ ବିଜ୍ଞାନ ପାଇଁ ୭ଟି ପିଜିଟି ପଦ ରାଜ୍ୟ ସରକାର ସୃଷ୍ଟି କରିବେ। ସେପର୍ଯ୍ୟନ୍ତ ଅତିଥି ଅଧ୍ୟାପକରେ କାର୍ଯ୍ୟ ଚାଲିବ।
କଲେଜ ଅଧ୍ୟକ୍ଷମାନେ ଅତିଥି ଅଧ୍ୟାପକଙ୍କୁ ଚୟନ କରିବେ, ଯାହାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ତଦାରଖ କରିବେ। ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମୋଡ୍ରେ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସମ୍ପୃକ୍ତ ବିଦ୍ୟାଳୟରୁ ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯାଇ ଏକାଦଶ ଶ୍ରେଣୀରେ ନାମଲେଖା କରାଯିବ। ଅଣ-ଶିକ୍ଷକ ପଦରେ ନୂତନ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଆଉଟ୍ସୋର୍ସିଂରେ କାମ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟର କହିଛନ୍ତି ଯେ ଆଗରୁ ୬ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅପଗ୍ରେଡ୍ କରାଯାଇଥିଲା। ଏବେ ରାଜ୍ୟ ସରକାର ଆଉ ୧୦୦ ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅପଗ୍ରେଡ୍ କରିବାକୁ ଅନୁମୋଦନ କରିଛନ୍ତି। ସେଥିମଧ୍ୟରୁ ସମଗ୍ର ଶିକ୍ଷା ଅଧୀନରେ ୫୭ ଓ ୪୩ଟି ସରକାରୀ ହାଇସ୍କୁଲ ରହିଛି। ତାହାର ଏକ ଚିଠା ନିର୍ଦ୍ଦେଶାବଳୀ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଗି ପଠାଯାଇଛି।