ସାଧାରଣ ପ୍ରଶାସନ ବିଭାଗର ‘ଓଏସ୍ଡି’ ପଦବି ଏବେ ଦଣ୍ତର ପ୍ରତୀକ
ବିଚିତ୍ର ନିଯୁକ୍ତିକୁ ନେଇ ପାୱାର୍ କରିଡର୍ରେ ଆଲୋଡ଼ନ
ଭୁବନେଶ୍ୱର : ୨୦୨୧ ମାର୍ଚ୍ଚ ମାସରେ ଆଇଏଏସ୍ ଅଫିସର୍ ସୁରେଶ ବଶିଷ୍ଠଙ୍କୁ କୃଷି ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଥିଲା। କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିଲା ପରେ ପ୍ରଥମେ ତାଙ୍କୁ କୃଷି ବିଭାଗର ସ୍ବତନ୍ତ୍ର ସଚିବ ଓ ପରେ ସଚିବ ଦାୟିତ୍ବ ଦିଆଯାଇଥିଲା। ସମ୍ଭବତଃ ଦକ୍ଷ ଅଧିକାରୀ ହୋଇଥିବାରୁ ଶ୍ରୀ ବଶିଷ୍ଠଙ୍କୁ କୃଷି ପରି ଏକ ଓଜନିଆ ବିଭାଗରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ବର୍ଷଟିଏ ପୂରିବା ଆଗରୁ ସେ ସରକାରଙ୍କ ଆସ୍ଥା ହରାଇଲେ। ଏଥର କୌଣସି ବିଭାଗକୁ ବଦଳି ନୁହେଁ, ସିଧା ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି।
ତିନି ଦିନ ତଳେ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକ୍ସେନାଙ୍କ ବଦଳି ଆଦେଶ ବାହାରିଥିଲା। ସେ ସେଠାରେ ପାଖାପାଖି ଦୁଇ ବର୍ଷ କାମ କରିଥିଲେ। ତେଣୁ ବଦଳିରେ କିଛି ଅସ୍ବାଭାବିକତା ନାହିଁ। କିନ୍ତୁ ତାଙ୍କ ବଦଳି ଆଦେଶରେ ଥିବା ଲେଖା ଚର୍ଚ୍ଚାର ଖୋରାକ ଯୋଗାଉଛି। ତୁରନ୍ତ ଦାୟିତ୍ବ ହସ୍ତାନ୍ତର କରି ଭୁବନେଶ୍ବର ଆସିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ଜିଲ୍ଲାପାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦେଇ ସେଠାରୁ ରିଲିଭ୍ ହେବାକୁ କୁହାଯାଇଥିଲା।
/sambad/media/post_attachments/wp-content/uploads/2022/01/ias-ssss.jpg)
ଏମିତି ଦୁଇଟି ବଦଳି ଆଦେଶକୁ ନେଇ ପାୱାର୍ କରିଡର୍ରେ ଏବେ ଚର୍ଚ୍ଚା। କେଉଁ ପରିସ୍ଥିତିରେ ଏହି ଦୁଇ ଅଧିକାରୀଙ୍କୁ ଏମିତି ଅତର୍କିତ ବଦଳି କରାଗଲା, ତାହାର ଖିଅ ଖୋଜୁଛନ୍ତି ସମସ୍ତେ। ଏହା ପଛରେ କିଛି ସଙ୍ଗୀନ କାରଣ ଥିବାରୁ ଅଧିକାରୀମାବେ ବେଶ୍ ମାପିଚୁପି ପାଟି ଖୋଲୁଛନ୍ତି। ପ୍ରଶ୍ନ ଉଠୁଛି, ସମ୍ବଲପୁରର ପୂର୍ବତନ ଜିଲ୍ଲାପାଳ ସାକ୍ସେନାଙ୍କ ବିରୋଧରେ କିଛି ଗୁରୁତର ଅଭିଯୋଗ ସରକାରଙ୍କ ନିକଟରେ ପହଞ୍ଚିଥିଲା କି? ସେହି ଅଭିଯୋଗର କ’ଣ ଏତେ ସାଂଘାତିକ ଥିଲା ଯେ ବଦଳି ଆଦେଶ ବାହାରୁ ବାହାରୁ ଜିଲ୍ଲା ଛାଡ଼ିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଗଲା। ଯଦି କିଛି ଅଭିଯୋଗ ଆସିଛି, ତେବେ ତାହାର ତଦନ୍ତ କିଏ କରୁଛି ନା ତାହାକୁ ଚାପି ଦେବାକୁ ଯୋଜନା ଚାଲିଛି?
ସୁରେଶ ବଶିଷ୍ଠଙ୍କ କ୍ଷେତ୍ରରେ ମଧ୍ୟ ସମାନ ଚର୍ଚ୍ଚା। ବଶିଷ୍ଠ ଏପରି କି କାର୍ଯ୍ୟ କଲେ ଯେ ତାଙ୍କୁ ସିଧାସଳଖ ଦଣ୍ଡିତ କଲା ପରି ଏକ ପଦବି ଦିଆଗଲା। ଗତ କିଛି ବର୍ଷ ହେଲା ଆଇଏଏସ୍ ଅଧିକାରୀମାନଙ୍କୁ ଦଣ୍ଡିତ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଉଥିବାର ପରମ୍ପରା ଜାରି ରହିଛି। ସେହି ପରମ୍ପରାରେ ଏବେ ବଶିଷ୍ଠଙ୍କୁ ଯୋଡ଼ି ଦିଆଯାଇଛି। ତାଙ୍କୁ ଦଣ୍ଡ ଦିଆଯାଇଥିବା କାହାରିକୁ ଅଛପା ନାହିଁ। ପ୍ରଶ୍ନ ଉଠୁଛି, ବାସ୍ତବରେ ବଶିଷ୍ଠଙ୍କ ପ୍ରଦର୍ଶନ ସନ୍ତୁଷ୍ଟ କଲାନି ନା ତାଙ୍କ ବିରୋଧରେ କିଛି ସଙ୍ଗୀନ ଅଭିଯୋଗ ରହିଛି? କୃଷି ବିଭାଗରେ ତାଙ୍କ ବ୍ୟବହାର କିଛି ଆପତ୍ତିଜନକ ଥିଲା କି?
ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ଦୁଇ ଅଧିକାରୀଙ୍କୁ ନେଇ ଚର୍ଚ୍ଚା ଚାଲୁଥିଲେ ବି ଲଗାତାର କିଛି ମାସ ହେବ ଆଇଏଏସ୍ ଅଫିସରମାନଙ୍କ ବଦଳି ଓ ନିଯୁକ୍ତି ବେଶ୍ ରହସ୍ୟଜନକ ହୋଇପଡ଼ିଛି। କିଛି ମାସ ତଳେ ବିଏମ୍ସି କମିସନର୍ ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇଥିଲା। ସେହି ସମୟରେ କୋଭିଡ୍ ଦ୍ବିତୀୟ ଲହର ଚାଲିଥିଲା ବେଳେ ବିଏମ୍ସି କମିସନର୍ଙ୍କ ଅତର୍କିତ ବଦଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏମିତିରେ ସେ ବିଏମ୍ସି ଦୁଇ ବର୍ଷ ମଧ୍ୟ ପୂରଣ କରି ନ ଥିଲେ। ତାଙ୍କ ବଦଳି ଠାରୁ ବେଶି ଚର୍ଚ୍ଚା ହୋଇଥିଲା ତାଙ୍କର ନୂଆ ନିଯୁକ୍ତିକୁ ନେଇ। ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଥିଲା। ଯଦିଓ ପରବର୍ତ୍ତୀ ସମୟରେ ତାଙ୍କୁ ଅନ୍ୟ ପଦବିରେ ନିଯୁକ୍ତି ମିଳିଛି, ତେବେ ତୃତୀୟ ମହଲାର ବିଶ୍ବସ୍ତ ଥିବା ଚୌଧୁରୀଙ୍କୁ ହଠାତ କାହିଁକି ବଦଳି କରାଗଲା, ତାହା ରହସ୍ୟ ହୋଇ ରହିଗଲା। ଚୌଧୁରୀଙ୍କ ନାମରେ ବିଡିଏର କୌଣସି କର୍ମଚାରୀ ଉପର ମହଲରେ ଅଭିଯୋଗ କରିଥିଲେ ବୋଲି ଚର୍ଚ୍ଚା ଜୋର୍ ଧରିଲା। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ସେହି ଅଭିଯୋଗ କ’ଣ ଥିଲା ଓ ତାହାର ତଦନ୍ତ ହେଲା କି ନାହିଁ, ସେ ସମ୍ପର୍କରେ କେହି ପାଟି ଫିଟାଉ ନାହାନ୍ତି।
/sambad/media/post_attachments/wp-content/uploads/2022/01/ias-1.jpg)
ଆଉ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ମଧ୍ୟ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ମିଳିଛି। ସରକାରୀ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ବିଜୟ ଅରୋରାଙ୍କୁ ସେଠାରୁ ବଦଳି କରାଯାଇ ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଛି। ତିନି ମାସ ହେଲାଣି ସେ ଓଏସ୍ଡି ଭାବେ ବସି ରହିଛନ୍ତି। ଅରୋରା ବେଶ୍ କିଛି ବର୍ଷ ହେବ କାହିଁକି ରାଜ୍ୟ ସରକାରଙ୍କ ଆସ୍ଥା ହରାଇଛନ୍ତି, ତାହା ଏକ ଆଲୋଚନାର ପ୍ରସଙ୍ଗ ପାଲଟିଛି। କୌଣସି ବଡ଼ ବିଭାଗର ଦାୟିତ୍ବ ସମ୍ଭାଳିବାକୁ ସେ ସକ୍ଷମ ନୁହନ୍ତି ନା ତାଙ୍କ ବିରୋଧରେ କିଛି ଗୁରୁତର ଅଭିଯୋଗ ରହିଛି, ତାହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ।
ବରିଷ୍ଠ ଆଇଏଏସ୍ ଅଫିସରଙ୍କ ନିଯୁକ୍ତିକୁ ନେଇ ମଧ୍ୟ ବିଚିତ୍ର ସ୍ଥିତି ଦେଖାଦେଇଛି। ବିଏମ୍ସି କମିସନର୍ ଭାବେ ସଞ୍ଜୟ ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ତାଙ୍କ ପାଇଁ ଦଣ୍ଡ ନା ପୁରସ୍କାର, ତାହା ସେ ନିଜେ ବୁଝିପାରୁ ନ ଥିବେ। ଶ୍ରୀ ସିଂହ ଏବେ ପ୍ରମୁଖ ଶାସନ ସଚିବ ପାହ୍ୟାରେ ଅଛନ୍ତି। ବିଏମ୍ସି କମିସନର୍ ପଦବିରେ ଏତେ ବରିଷ୍ଠ ଅଧିକାରୀ ପୂର୍ବରୁ କେବେ ନିଯୁକ୍ତି ପାଇ ନ ଥିଲେ। ପ୍ରଥମ ଥର ପାଇଁ ସିଂହଙ୍କୁ ଏପରି ନିଯୁକ୍ତି ମିଳିଛି। ବାସ୍ତବରେ କନିଷ୍ଠ ଅଫିସର ସ୍ତରରେ ବିଏମ୍ସି କମିସନର ହେବା ପାଇଁ ଯୋଗ୍ୟ ଅଧିକାରୀ ମିଳୁ ନାହାନ୍ତି ନା ସିଂହଙ୍କୁ ଜାଣିଶୁଣି ଅପଦସ୍ଥ କରିବାକୁ ଏହି ପଦବି ଦିଆଯାଇଛି, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଶ୍ରୀ ସିଂହ ଗତ ୮ ମାସ ଭିତରେ ଏମିତି କୌଣସି ଆଖିଦୃଶିଆ କାମ ଭୁବନେଶ୍ବରରେ କରିନାହାନ୍ତି, ଯେଉଁଥି ପାଇଁ କି ତାଙ୍କ ଦକ୍ଷତାକୁ ନେଇ ଆଲୋଚନା ହେବ।
ଆଇଏଏସ୍ ଅଫିସରମାନଙ୍କ ଭିତରେ ଗୋଷ୍ଠୀ ବିବାଦକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଚାଲିଛି। ରାଜନୈତିକ ଗୋଷ୍ଠୀ ବିବାଦ ଠାରୁ ଆଇଏଏସ୍ଙ୍କ ବିବାଦ ଅଧିକ ମାତ୍ରାରେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ପୁଣି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ପଦବିରେ ଥିବା କିଛି ଅଧିକାରୀ ଏବେ କେନ୍ଦ୍ରୀୟ ଡେପୁଟେସନ୍ରେ ଯିବାକୁ ବାହାରିଥିବାରୁ ଅମଲାତନ୍ତ୍ରିକ ମହଲରେ କିଛି ଗଡ଼ବଡ଼ ଥିବାର ସ୍ପଷ୍ଟ ଆଭାସ ମିଳୁଛି।