କୋରାପୁଟରେ ବିଜେଡିର ଗୁପ୍ତ ବୈଠକ

କୋରାପୁଟ : କୋରାପୁଟରେ ବିଜେଡିର ଗୋଟିଏ ଗୋଷ୍ଠୀ ରବିବାର ଦିନ ଏକାଠି ହୋଇ ଗୁପ୍ତ ବୈଠକ କରିଛି। ଏହି ବୈଠକରେ ନେତୃତ୍ବ ପରିବର୍ତ୍ତନ ପାଇଁ କିଛି ନେତା ଖୋଲାଖୋଲି ସ୍ବର ଉଠାଇଥିବା ଜଣାପଡ଼ିଛି। ଜିଲ୍ଲା ବିଜେଡି ସଭାପତି ଏବଂ ଉପସଭାପତିଙ୍କ ଅନୁପସ୍ଥିତିରେ ଏହି ବୈଠକ ଆୟୋଜନ ହେବା ଏବଂ ଦଳର କିଛି ବରିଷ୍ଠ ନେତାଙ୍କ ସଂପର୍କରେ ଆଲୋଚନା କରିବା ନୂଆ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।

ରବିବାର ସକାଳେ କୋରାପୁଟ ଜିଲ୍ଲାର ୫ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀର କିଛି ଜଣାଶୁଣା ତଥା ବରିଷ୍ଠ ବିଜେଡି ନେତା‌ କୋରାପୁଟରେ ଏକାଠି ହୋଇଥିଲେ। ଯୁବ, ଛାତ୍ର ସଂଗଠନର କିଛି ନେତା ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲେ। ଦଳର ପୁରୁଖା ତଥା ଦଳ ଆରମ୍ଭ ହେବା ଦିନଠାରୁ ସଂଗଠନ ପାଇଁ କାମ କରୁଥିବା ନେତାଙ୍କୁ ଅଣଦେଖା କରାଯାଉଥିବା ଏହି ବୈଠକରେ ଆଲୋଚନା କରାଯାଇଥିଲା। ଅନ୍ୟ ଦଳ ଛାଡ଼ି ଆସି ବିଜେଡିରେ ମିଶୁଥିବା ନେତାଙ୍କୁ ବର୍ତ୍ତମାନ ଗୁରୁତ୍ବ ଦିଆଯାଉଥିବା ଖୋଲାଖୋଲି ଅଭିଯୋଗ ହୋଇଥିଲା। ଦଳର କିଛି ଛାମୁଆ ନେତାଙ୍କ କାର୍ଯ୍ୟକଳାପକୁ ନେଇ ବି ଅସନ୍ତୋଷ ବ୍ୟକ୍ତ କରାଯାଇଥିବା ଜଣାପଡ଼ିଛି।

ତେବେ, ଦଳର ନେତୃତ୍ବ ବିରୋଧରେ ଏଭଳି ଖୋଲା ଆଲୋଚନା ଚାଲିଥିବାରୁ କିଛି ନେତା ସୁଯୋଗ ଦେଖି ସେହି ବୈଠକରୁ ଚୁପଚାପ୍‌ ଚାଲି ଆସିଥିବା ଖବର ମିଳିଛି। ଏ ନେଇ ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀଙ୍କୁ ବାରମ୍ବାର ଯୋଗାଯୋଗ ସତ୍ତ୍ବେ ସେ ଫୋନ୍‌ ଉଠାଇ ନଥିଲେ। ଅନ୍ୟପକ୍ଷରେ ବିଜେଡିର ଯେଉଁ ଗୋଷ୍ଠୀ ଏହି ବୈଠକ କରାଇଥିଲା ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବାକୁ ପ୍ରସ୍ତୁତ ହେଉନାହିଁ। ମାପିଚୁପି ପ୍ରତିକ୍ରିୟା ଦେଉଥିବାରୁ ସନ୍ଦେହକୁ ବଢ଼ାଉଛି।

ସମ୍ବନ୍ଧିତ ଖବର