ଭୁବନେଶ୍ବର: ଦେଶ ସ୍ବାଧୀନ ହୋଇସାରିଥାଏ। କଟକରୁ ଭୁବନେଶ୍ବରକୁ ରାଜଧାନୀ ସ୍ଥାନାନ୍ତର ମଧ୍ୟ ହୋଇସାରିଥାଏ। ୧୯୫୨ ମସିହା କଥା। ସଚିବାଳୟ ନୂଆ ନୂଆ କାର୍ଯ୍ୟ କରୁଥାଏ। ରାଜଧାନୀରେ ସେତେବେଳେ ବିଶେଷ ଘର ନଥିଲା। ଖଣ୍ଡ ଖଣ୍ଡ ହୋଇ ବିଭିନ୍ନ ଗାଁମାନ ଥିଲା। ସରକାରୀ କର୍ମଚାରୀ ରହିବା ନିମନ୍ତେ କିଛି କିଛି ସ୍ଥାନରେ ସରକାରୀ ଘର ନିର୍ମିତ ହୋଇଥିଲା। କିନ୍ତୁ ଅସମାଜିକ ଲୋକଙ୍କ ଉପଦ୍ରବ ଯୋଗୁଁ ଏଠାରେ କେହି ରହିବାକୁ ପସନ୍ଦ କରୁନଥିଲେ। ବାହାର ଲୋକମାନେ କଟକରେ ରହି ନିତିଦିନ ଭୁବନେଶ୍ବରକୁ ଯା’ ଆସ କରୁଥିଲେ। ସରକାରୀ ଘର ସବୁ ତାଲା ପଡ଼ି ରହୁଥିଲା। ନୂଆ ନୂଆ ସରକାରୀ କର୍ମଚାରୀମାନେ ରହିବା ପାଇଁ ୟୁନିଟ୍-୮ ଡିଏଭି ସ୍କୁଲ ପଛପାଖେ ସେହି ସମୟରେ ଏକ ବ୍ୟାଚଲର୍ ବାରାକ୍ କରାଯାଇଥିଲା। ସେଠାରେ କିଛି କର୍ମଚାରୀ ରହୁଥିଲେ। କିନ୍ତୁ ପରିବାର ସହ ରହିବାକୁ ସରକାରୀ କର୍ମଚାରୀଙ୍କ ପାଇଁ ଭୁବନେଶ୍ବରରେ ବିଶେଷ ଘର ମିଳୁନଥିଲା। ସେତେବେଳେ କିଛି ସରକାରୀ କର୍ମଚାରୀ ଆସି ନୂଆପଲ୍ଲୀ ଗାଁ ଶେଷ ମୁଣ୍ଡରେ ନାଳନର୍ଦ୍ଦମା ଅଞ୍ଚଳକୁ ପୋତି ଘର ତିଆରି କରି ରହିଥିଲେ। ଜୀବିତାବସ୍ଥାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଅଞ୍ଚଳର ନାମ ରଖିଥିଲେ ‘ଶାସ୍ତ୍ରୀନଗର’।
ସଂସ୍କୃତି ଗବେଷକ ଗୋଲକ ବିହାରୀ ସିଂହ କହିଛନ୍ତି, ସଚିବାଳୟରେ ସୂଚନା ଓ ଲୋକସମ୍ପର୍କ ବିଭାଗରେ ରବୀନ୍ଦ୍ର ରଥ ବୋଲି ଜଣେ ସରକାରୀ କର୍ମଚାରୀ କାମ କରୁଥିଲେ। ତାଙ୍କ ଘର ଗୋପ ବେଦପୁର ଅଞ୍ଚଳର ସେ ହୋଇଥିବାରୁ ନିୟମିତ ରାଜଧାନୀକୁ ଯା’ ଆସ କରିବା ତାଙ୍କ ପାଇଁ କାଠିକର ପାଠ ହୋଇପଡ଼ିଥିଲା। ରାଜଧାନୀରେ ରହିବା ତାଙ୍କ ପାଇଁ ସୁବିଧା ନଥିଲା। ଏଣୁ ସେ ନିଜର କିଛି ବନ୍ଧୁ ଓ ସହକର୍ମୀଙ୍କୁ ଡାକି ଭୁବନେଶ୍ବରରେ କିଛି ଜାଗା କିଣି ଘର କରିବାକୁ ମତାଇଥିଲେ। ୧୯୫୪ ମସିହା ଆଡ଼କୁ ନୂଆପଲ୍ଲୀ ଗ୍ରାମବାସୀଙ୍କଠାରୁ ୧୨୦ ବାଟାଲିୟନ୍ ନିକଟରେ କିଛି ଜାଗା କିଣି ଦୁଇ ଜଣ ସାଙ୍ଗ ମିଶି ଘର ତିଆରି ଆରମ୍ଭ କରିଥିଲେ। ସେତେବେଳେ ସେ ସ୍ଥାନ ଅତ୍ୟନ୍ତ ଅପନ୍ତରା ଥିଲା। କିଛି ବଖରା ଘର କରି ଦୁଇ ବନ୍ଧୁ ନିଜେ ରହିବା ସହ ଲୋକମାନଙ୍କୁ ଘର ଭଡ଼ା ମଧ୍ୟ ଦେଇଥିଲେ। ସେତେବେଳେ ଘର ଭଡ଼ା ପିଛା ୫ରୁ ୧୦ ଟଙ୍କା ପଡ଼ୁଥିଲା।
ଧୀରେଧୀରେ ସେଠାକୁ ଅନ୍ୟ ଲୋକମାନେ ଆସି ଘର ତିଆରି କରି ରହିବାକୁ ଲାଗିଲେ। ସେମାନେ ରହିବା ପରେ ଡାକରେ ଚିଠି ଆସିବା ଓ ଅନ୍ୟାନ୍ୟ କାମ ପାଇଁ ଠିକଣାର ଆବଶ୍ୟକତା ପଡ଼ିବାରୁ ଅଞ୍ଚଳର ନାମ କ’ଣ ଦେବେ ବୋଲି ସମସ୍ତେ ଚିନ୍ତା କରିଥିଲେ। ସେତେବେଳେ ମହାତ୍ମା ଗାନ୍ଧୀଙ୍କ ନାମରେ ବାପୁଜୀ ନଗର ହୋଇସାରିଥାଏ। ରାଜଧାନୀର ଅନ୍ୟାନ୍ୟ ଅଞ୍ଚଳର ନାମ ବିଭିନ୍ନ ରାଜବଂଶ ବା ରାଜାଙ୍କ ନାମରେ ନାମିତ ହୋଇଥାଏ। ତେବେ ଦେଶ ପାଇଁ କିଛି ବଡ଼ କରିଥିବା ଜୀବିତ ଜଣେ ନେତାଙ୍କ ନାମରେ ଅଞ୍ଚଳ ନାମ ରଖିବାକୁ ଚିନ୍ତା କରିଥିଲେ ରବୀନ୍ଦ୍ର ଓ ଅଞ୍ଚଳବାସୀ। ଏହି କ୍ରମରେ ସେମାନଙ୍କ ମୁଣ୍ଡକୁ ପ୍ରଥମେ ଆସିଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ନାମ। ଏଣୁ ଅଞ୍ଚଳର ନାମ ରଖିଥିଲେ ‘ଶାସ୍ତ୍ରୀନଗର’ ବୋଲି ଶ୍ରୀ ସିଂହ କହିଛନ୍ତି।
ତେବେ ନାମ ରଖିଦେଲେ ତ’ ହେବ ନାହିଁ। ଏହା ସମସ୍ତେ ଜାଣିବାକୁ ଦରକାର ଓ ଜନାଦୃତ ହେବା ଆବଶ୍ୟକ ଭାବି ଏହି ଅଞ୍ଚଳର ଲୋକମାନେ ନିଜ ବନ୍ଧୁବାନ୍ଧବ ଓ କିଛି ସ୍କୁଲ ଛାତ୍ରଙ୍କୁ ସେମାନଙ୍କ ପାଖକୁ ଚିଠି ଲେଖିବାକୁ କହିଥିଲେ। ଠିକଣାରେ ଲେଖିବାକୁ କହୁଥିଲେ, ୧୨୦ ବାଟାଲିୟନ୍ ନିକଟ ଶାସ୍ତ୍ରୀନଗର। ରବୀନ୍ଦ୍ର ରଥଙ୍କ ବଡ଼ ପୁଅଙ୍କ ସହ ଗୋଟିଏ ସ୍କୁଲରେ ନିଜେ ଗୋଲକ ବିହାରୀ ସିଂହ, ଭୁବନେଶ୍ବର ବେହେରା ଓ ସୁରେଶଚନ୍ଦ୍ର ରଥ ପ୍ରମୁଖ ପଢ଼ୁଥିବାରୁ ଶ୍ରୀ ରଥଙ୍କ କହିବା ଅନୁସାରେ ସେମାନେ ଚିଠି ଲେଖି ଏହି ଅଞ୍ଚଳକୁ ପଠାଉଥିଲେ। ଏଥିସହ ଅଞ୍ଚଳବାସୀ ଚିଠି ପାଇବା ଓ ଅଞ୍ଚଳକୁ ଚିହ୍ନାଇବା ପାଇଁ ୧୨୦ ବାଟାଲିୟନ୍ ପାଖରେ ଠିଆ ହୋଇ ଡାକ କର୍ମଚାରୀଙ୍କୁ ଶାସ୍ତ୍ରୀନଗର ପାଇଁ ବାଟ କଢ଼ାଇ ଦେଉଥିଲେ। ଏମିତି ଚିଠିପତ୍ର ଦେଇ ଡାକଘର ମାଧ୍ୟମରେ ଏହି ଅଞ୍ଚଳର ନାମ ‘ଶାସ୍ତ୍ରୀନଗର’ ଭାବେ ପରିଚିତ ହୋଇଥିଲା। ୧୯୮୪ ମସିହା ଆଡ଼କୁ ଏହି ଅଞ୍ଚଳର ନାମ ଶାସ୍ତ୍ରୀନଗର ଭାବେ ବିଡିଏ ପକ୍ଷରୁ ମଧ୍ୟ ଅନୁମୋଦନ ମିଳିଯାଇଥିଲା। ଅଞ୍ଚଳବାସୀ ଶାସ୍ତ୍ରୀଙ୍କୁ ମନେପକାଇବା ଉଦ୍ଦେଶ୍ୟରେ ୨୦୧୮ ମସିହା ଆଡ଼କୁ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/654sf654fh654hf65fh.jpg)