କଟକ: ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକା ଓ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ହଟଚମଟ ଆରମ୍ଭ ହୋଇଛି। କଟକରୁ ଉଦ୍ଧାର ହୋଇଥିବା ବାଂଲାଦେଶ ଢାକାର ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତ ଗୋଟିଏ ଦିନରେ ୧୫ ଥର ଦୁଷ୍କର୍ମ କରିବା ଭଳି ତଥ୍ୟ ସାମନାକୁ ଆସିଛି। ଏହାକୁ ନେଇ କଟକ କମିସନରେଟ୍ ପୁଲିସ ତନାଘନା ଆରମ୍ଭ କରିବା ସହିତ ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ଦଲାଲମାନେ ହେଉଛନ୍ତି ଲିଟନ ଦାସ, ମୌସୁମୀ, ବାବୁ ଦାସ, ଗୋପୀ ଓ ମାୟା। ପୁଲିସ ବିଏନ୍ଏସ୍ର ଧାରା ୧୪୩ (୪), ୧୪୪(୧), ୩(୫),୬୪(୧), ୬ ପୋକସୋ ଏବଂ ୫ ଆଇଟିପି ଆକ୍ଟରେ ମାମଲା(୩୦୭/୨୪) ରୁଜୁ କରିଛି।
ସୂଚନା ଅନୁଯାୟୀ, ଏହି ନାବାଳିକାଙ୍କୁ ଭାରତରେ ଚାକିରି ଦେବାର ଲୋଭ ଦେଖାଇ ଦୁଇ ଜଣ ଦଲାଲ ପଶ୍ଚିମବଙ୍ଗ ଆଣିଥିଲେ। ବାଂଲାଦେଶ ସୀମାରେ ଜଙ୍ଗଲ ଭିତରେ ଥିବା ଗଳା ରାସ୍ତାରେ ସୀମା ପାର୍ କରାଇଥିଲେ। କଲିକତାରେ ପହଞ୍ଚିବା ପରେ ସେଠାରେ ଆଉ ଦୁଇ ଜଣ ଦଲାଲ ଚାକିରି ଦେବା ବଦଳରେ ଦେହ ବ୍ୟବସାୟରେ ନିୟୋଜିତ କରିଥିଲେ। ସେଠୁ ଆଉ ଜଣେ ଦଲାଲ ଭୁବନେଶ୍ବର ଆଣିଥିଲା। ଭୁବନେଶ୍ବରରେ ମଧ୍ୟ ଦେହ ବ୍ୟବସାୟରେ ତାଙ୍କୁ ନିୟୋଜିତ କରିଥିଲା। ପୀଡ଼ିତା ଦେଇଥିବା ବୟାନ ଅନୁଯାୟୀ, ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଗ୍ରାହକମାନେ ଦଲାଲଙ୍କୁ ପ୍ରତି ଥର ଦେଢ଼ରୁ ୨ ହଜାର ଟଙ୍କା ଦେଉଥିଲେ। ଦିନକୁ ପାଖାପାଖି ୧୦ରୁ ୧୫ ଜଣ ଗ୍ରାହକ ଆସୁଥିଲେ। ପୀଡ଼ିତା ଏକ ପ୍ରକାର ଅସହାୟ ହୋଇପଡ଼ିଥିଲେ। ଶେଷରେ ସଦର ଥାନା ଅନ୍ତର୍ଗତ ଗୋପାଳପୁରକୁ ଦଲାଲ ଆଣିଥିବା ବେଳେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ପୀଡ଼ିତା ପୁଲିସର ଦ୍ବାରସ୍ଥ ହେବାକୁ ନିଷ୍ପତ୍ତି ନେଇଥିଲେ। ପୁଲିସ ଗଲା ୯ ତାରିଖ ରାତିରେ ତାଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ସିଡବ୍ଲୁସିରେ ହାଜର କରିବା ପରେ ବସୁନ୍ଧରାରେ ଥଇଥାନ କରାଯାଇଥିଲା। କିନ୍ତୁ ୨୨ ତାରିଖ ସୁଦ୍ଧା ଏ ନେଇ ପୁଲିସ କୌଣସି ପ୍ରକାର ଆପରାଧିକ ମାମଲା ରୁଜୁ କରିନଥିଲା। ୨୩ ତାରିଖରେ ଏହି ସମ୍ବେଦନଶୀଳ ପ୍ରସଂଗରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଉଭୟ ପୁଲିସ ଓ ଜିଲ୍ଲା ପ୍ରଶାସନ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଅନ୍ୟପଟେ ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାସ ଏ ନେଇ ରାଜ୍ୟ ମାନବାଧିକାର କମିସନରେ ମାମଲା ଦାୟର କରିଛନ୍ତି। ଏଭଳି ବେଆଇନ ଅନୁପ୍ରବେଶ ଓ ଯୌନ କାର୍ଯ୍ୟକଳାପରେ ଲିପ୍ତ ପ୍ରସଂଗ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଘଟଣା ତଦନ୍ତ ପାଇଁ ଆବେଦନ କରିଛନ୍ତି। ଏହା ସହିତ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରି ହସ୍ତକ୍ଷେପ ଲୋଡ଼ିଛନ୍ତି। ଅନ୍ୟପଟେ ସିଡବ୍ଲୁସି ପକ୍ଷରୁ ଶନିବାର ଦିନ ଏକ ଲିଖିତ ରିପୋର୍ଟ କଟକ ଡିସିପିଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା। ଏହି ରିପୋର୍ଟକୁ ଭିତ୍ତି କରି ଡିସିପି ମଧୁପାଟଣା ଥାନା ଆଇଆଇସିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଚାକିରି ଲୋଭ ଦେଖାଇ ଜଙ୍ଗଲ ରାସ୍ତାରେ ସୀମା ପାର୍ କରାଉଛନ୍ତି ଦଲାଲ
୫ ଦଲାଲଙ୍କ ବିରୋଧରେ ମାମଲା ରୁଜୁ
ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ: ପୁଲିସ କମିସନର୍
କେନ୍ଦ୍ରୀୟ ଏଜେନ୍ସିଙ୍କ ସହଯୋଗ ଲୋଡ଼ିଲା ପୁଲିସ
ମାନବାଧିକାର କମିସନରେ ମାମଲା
କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିବା ଅନୁଯାୟୀ, ସିଡବ୍ଲୁସିଙ୍କ ନିକଟରେ ପୀଡ଼ିତାଙ୍କୁ ହାଜର କରାଯାଇଥିଲା। ସିଡବ୍ଲୁସି ଘଟଣା ସଂକ୍ରାନ୍ତରେ ଏକ ରିପୋର୍ଟ ଦେଇଛନ୍ତି। ପୁଲିସର ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିଲେ ବାଂଲାଦେଶ ରାଷ୍ଟ୍ରଦୂତଙ୍କ ସହିତ ରାଜ୍ୟ ସରକାରଙ୍କ ମାଧ୍ୟମରେ ଯୋଗାଯୋଗ କରାଯିବ। ଏହା ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏ ସଂକ୍ରାନ୍ତରେ ପୁଲିସର ରିପୋର୍ଟ ଆସିଲେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ସିନ୍ଦେ ସୂଚନା ଦେଇଛନ୍ତି। କଟକ ଡିସିପି ଜଗମୋହନ ମୀନା କହିଛନ୍ତି ଯେ ସିଡବ୍ଲୁସି ଶନିବାର ଏ ସଂକ୍ରାନ୍ତରେ ଆମକୁ ଅବଗତ କରିଥିଲା। ଏହାକୁ ମଧୁପାଟଣା ଆଇଆଇସିଙ୍କ ନିକଟକୁ ପଠାଇବା ସହିତ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତାଙ୍କୁ କାଉନସେଲିଂ ସମୟରେ ତାଙ୍କୁ ଯୌନ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଚାକିରି ଦେବାର ଲୋଭ ଦେଖାଯାଇଥିବା ସଂକ୍ରାନ୍ତରେ ପୀଡ଼ିତା ଅଭିଯୋଗପତ୍ରରେ ଲେଖିଛନ୍ତି। ତାଙ୍କୁ ବିଭିନ୍ନ ହୋଟେଲ୍ ଓ ଲଜକୁ ନିଆଯାଇଥିଲା। ତାଙ୍କୁ ବାଂଲାଦେଶକୁ ଫେରାଇବା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ପୀଡ଼ିତା ଯେଉଁ ୫ ଜଣଙ୍କ ନାଁ ଏତଲାରେ ଲେଖିଛନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମୀନା ସୂଚନା ଦେଇଛନ୍ତି। ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ କହିଛନ୍ତି ଯେ ପୀଡ଼ିତା ଅସହାୟ ଅବସ୍ଥାରେ ବୁଲିବା ବେଳେ ତାଙ୍କୁ ପୁଲିସ ଉଦ୍ଧାର କରିଥିଲା। ପ୍ରଥମେ ଘଟଣା ସଂକ୍ରାନ୍ତରେ ପୀଡ଼ିତା କିଛି କହି ନଥିଲେ। ପୀଡ଼ିତାଙ୍କ ଠିକଣା ଜାଣିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ନିଆଯାଉଛି। ଏହା ସ୍ପଷ୍ଟ ହେବା ପରେ ବାଂଲାଦେଶ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ପଠାଯିବାର ବ୍ୟବସ୍ଥା କରାଯିବ। ଏସଓପି ଅନୁଯାୟୀ ସବୁକିଛି କରାଯାଉଛି। ସମସ୍ତ ଅଭିଯୁକ୍ତଙ୍କ ଚେହେରା ବି ପୁଲିସକୁ ପୀଡ଼ିତା କହିଛନ୍ତି। ସେମାନଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ସିଂହ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/24/L3f3Iglksp6hz2iYqLQz.jpg)