ହାଟଡିହି: ଇ-କେୱାଇସିରୁ ରାସନ ଦୁର୍ନୀତିର ସାଂଘାତିକ ଗୁମର ଖୋଲୁଛି। ବାଲେଶ୍ବର ଜିଲ୍ଲାର ବାଲିଆପାଳ ପରେ ଏବେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ରେ ମାଳମାଳ ସରକାରୀ ଚାକିରିଆ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ସାଜି ରାସନ ଉଠାଉଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ତାଲିକାରେ ରାସନ ସାମଗ୍ରୀ ନେଉଥିବା ୧୩୫ଜଣ ସରକାରୀ ଚାକିରିଆଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରେ ଶିକ୍ଷକ, ପୁଲିସ, ସ୍ବାସ୍ଥ୍ୟ ଓ ଜିଲ୍ଲା ମଙ୍ଗଳ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ରହିଛନ୍ତି। ଧରାପଡ଼ିବା ଭୟରେ ଏବେ ବି ଅନେକ ଇ-କେୱାଇସି କରୁନଥିବା ଜଣାପଡ଼ିଛି। ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ତାଲିକାରେ ଦୁଇଜଣ ଶିକ୍ଷକ, ଦୁଇଜଣ ସ୍ୱାସ୍ଥ୍ୟକର୍ମୀ, ୬ଜଣ ଅଙ୍ଗନବାଡ଼ି କର୍ମୀ, ଦୁଇଜଣ ଶିକ୍ଷା ବିଭାଗରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୪ଜଣ ପୁଲିସ କନେଷ୍ଟବଳ, ୨୬ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଦୁଇଜଣ କଲେଜ ପିଇଟି, ୧୪ଜଣ ମଙ୍ଗଳ ବିଭାଗ କର୍ମଚାରୀ ଏବଂ ୯ଜଣ ସ୍ୱାସ୍ଥ୍ୟ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି। ମୋଟ ୧୩୫ଜଣ ସରକାରୀ କର୍ମଚାରୀଙ୍କ ପରିବାରର ୫୧୪ଜଣ ସଦସ୍ୟଙ୍କ ନାମରେ ରାସନ ସାମଗ୍ରୀ ଉଠାଯାଉଥିବା ଜଣାପଡ଼ିଛି।
ହାଟଡିହି ବ୍ଲକ୍ ଅକରୁଆ ପଞ୍ଚାୟତରେ ସର୍ବାଧିକ ୮ଜଣ, ଆମ୍ବୋ ପଞ୍ଚାୟତରେ ୩ଜଣ, ଅଁରାରେ ଜଣେ, ବଡ଼ରମ୍ପାସରେ ୪ଜଣ, ବାଲିବରେଇରେ ୭ଜଣ, ବଞ୍ଚୋରେ ୫ଜଣ, ଡଅଁରରେ ୩ଜଣ, ଧନୁର୍ଜୟପୁରରେ ୪ଜଣ, ଢେଙ୍କାରେ ୩ଜଣ, ହାବଳେଶ୍ବରରେ ଦୁଇଜଣ, ହଦଗଡ଼ରେ ଜଣେ, ହାଟଡିହିରେ ୩ଜଣ, ଜମ୍ଭିରାରେ ଜଣେ, କେ.ବାଲିପାଳରେ ଦୁଇଜଣ, କଳିଗାଁରେ ୩ଜଣ, ମରୈଗାଁରେ ୭ଜଣ, ଓରାଳିରେ ୫ଜଣ, ପଢ଼ିଆରିପଲ୍ଲୀରେ ଦୁଇଜଣ, ପଞ୍ଚୁଗୋଛିଆରେ ଦୁଇଜଣ, ଷଡ଼ଙ୍ଗରେ ଜଣେ, ସଢ଼ାରେ ଦୁଇଜଣ, ଶାଳଣିଆଁରେ ୩ଜଣ, ସମଣାରେ ଦୁଇଜଣ, ଶାସଙ୍ଗରେ ୬ଜଣ ଏବଂ ସୁଲଣ ପଞ୍ଚାୟତରେ ୪ଜଣ ସରକାରୀ କର୍ମଚାରୀ ରାସନ ସାମଗ୍ରୀ ଉଠାଉଛନ୍ତି। ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ନାମ ତାଲିକାରୁ ତୁରନ୍ତ ବାଦ୍ ଦେବାକୁ ନିର୍ଦେଶ ଆସିଥିବା ହାଟଡିହି ବ୍ଲକ୍ ଯୋଗାଣ ଅଧିକାରୀ ସତ୍ୟନାରାୟଣ ପଟ୍ଟନାୟକ କହିଛନ୍ତି। ସେହିପରି ବର୍ଷବର୍ଷ ଧରି ବେଆଇନ ଭାବେ ରାସନ ନେଉଥିବା ଏହି ସରକାରୀ କର୍ମଚାରୀମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଚରାଯିବାରୁ ସେ ସଂପର୍କରେ କିଛି ନିର୍ଦେଶ ସରକାରଙ୍କ ପକ୍ଷରୁ ଆସିନଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଆୟକର ଦେଉଥିବା ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ତାଲିକା ଆସିବ। ଏହି ତାଲିକାରେ ଆହୁରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବ ବୋଲି ଆଶଙ୍କା କରାଯାଉଛି।