ପୁରୀ : ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ଶ୍ରୀବିଗ୍ରହ। ସୁସ୍ଥ ହେବାପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା। ଅନ୍ଧାକାରମୟ ପିଣ୍ଡିକୁ ଏକମାତ୍ର ଦୀପ ଆଲୋକିତ କରୁଛି। ଭଗବାନଙ୍କ ଅସୁସ୍ଥତାରେ ଶ୍ରୀମନ୍ଦିର ନିରବି ଯାଇଛି। ଅଣସର ଘରେ ବିଶ୍ରାମରେ ଥିବା ମହାପ୍ରଭୁଙ୍କ ଶରୀର ସୁସ୍ଥ ହେବାରେ ଯେପରି କୌଣସି ବିଘ୍ନ ନଘଟେ, ସେ ନେଇ ଘଣ୍ଟଘଣ୍ଟା, ସଂଗୀତ, କୀର୍ତ୍ତନ, ସବୁକିଛି ଶ୍ରୀମନ୍ଦିରରେ ବନ୍ଦ ରଖାଯାଇଛି। ଶ୍ରୀବିଗ୍ରହମାନଙ୍କୁ ସୁସ୍ଥ କରିବାପାଇଁ ସେବାରେ ଲାଗି ପଡ଼ିଛନ୍ତି ଦଇତାପତି ସେବକ। ଖଣ୍ଡିଏ ମାତ୍ର ଶୁକ୍ଳ ବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। ମହାପ୍ରଭୁଙ୍କ ଭଳି ସମସ୍ତ ଦଇତାପତି ସେବକମାନେ ମଧ୍ୟ ଶୁକ୍ଳ ବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି।
ମଙ୍ଗଳବାର ଦିନ ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଛି। ସ୍ନାନଯାତ୍ରାରୁ ମହାପ୍ରଭୁ ପରିଧାନ କରିଥିବା ଓଦା ବସ୍ତ୍ର ଫିଟାଯାଇଛି। ଏବେ ମହାପ୍ରଭୁଙ୍କୁ ପଥିଭୋଗ ଲାଗି କରାଯାଉଛି। ନାନାଦି ଫଳମୂଳ, କ୍ଷୀର, ଛେନା, ସର ଆଦିରେ ପ୍ରସ୍ତୁତ ଚକଟା ଭୋଗ ଶ୍ରୀଜିଉଙ୍କଠାରେ ଲାଗି କରାଯାଇଛି। ପରେ ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଅଣସର ପଣା ସହ ଫୁଲୁରୀ ତେଲ ଲାଗି ହେବ।
ଅନ୍ୟପଟେ ଶୁକ୍ଳ ବସ୍ତ୍ର ସହ ଧଳାରଙ୍ଗର ଫୁଲ ବି ଠାକୁରଙ୍କଠାରେ ଲାଗି ହୋଇଛି। ଅସୁସ୍ଥତା କାରଣରୁ ମହାପ୍ରଭୁଙ୍କ ପ୍ରିୟ ତୁଳସୀ ଲାଗି ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/srimandir-1.jpg)