ବରୀ-ବିଂଝାରପୁର ରାସ୍ତାରେ ଶତାଧିକ ଗୁପ୍ତ ଟେଣ୍ଡର୍‌: ୧.୩୮କୋଟିର ରାସ୍ତା ଶୋଚନୀୟ!

ଆର୍‌ଡି ଡିଭିଜନ୍ କେଳେଙ୍କାରୀ, ଦଶହଜାର ତଳକୁ ଶହଶହ କାମ !

ଯାଜପୁର : ବନ୍ୟା ଓ ବାତ୍ୟା ସମୟରେ ଯାଜପୁର-୧ ଡିଭିଜନ୍ ପକ୍ଷରୁ ଶହ ଶହ କେ-୨(୧୦ହଜାର ଟଙ୍କାରୁ କମ) କାମ ଆଳରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ଘଟଣା ଲୋକଲୋଚନକୁ ଆସିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ରାସ୍ତାରେ ଶହ ଶହ ଗୁପ୍ତଟେଣ୍ଡର ଏଫ-୨( ୫ଲକ୍ଷ ଟଙ୍କାରୁ କମ୍) କରାଯାଇଛି। ଯାଜପୁର ଓ ବିଂଝାରପୁର ସବଡିଭିଜନ ଅଧୀନସ୍ଥ ବରୀ- ବିଂଝାରପୁର ରାସ୍ତାରେ ଗତବର୍ଷ ୯୫ଟି କେ-୨ ହୋଇଥିବାବେଳେ ଖୋଲା ଟେଣ୍ଡରରେ ୧୩ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ଦର୍ଶାଯାଇଛି। ଗତ ୬ବର୍ଷ ମଧ୍ୟରେ ଏହି ୧୦କିମି ରାସ୍ତା ଉପରେ ୧କୋଟି ୩୮ ଲକ୍ଷ ଟଙ୍କାରୁ ଅଧିକ ଅନୁଦାନ ବ୍ୟୟ କରାଯାଇଛି। ତଥାପି ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର।

ବିଂଝାରପୁର ସବଡିଭିଜନ୍ ଅଧୀନସ୍ଥ ଏହି ଗୋଟିଏ ରାସ୍ତାରେ ଗତବର୍ଷ ବନ୍ୟା ସମୟରେ ଏଗ୍ରିମେଣ୍ଟ ନମ୍ବର ୭୨୮ ରୁ ୮୨୨ ପର୍ଯ୍ୟନ୍ତ ମୋଟ ୯୫ଟି କେ-୨ ଜରିଆରେ ଅସ୍ଥାୟୀ ମରାମତି କରାଯାଇ ମୋଟ ୮ ଲକ୍ଷ ୪୭ ହଜାର ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି। ଏହାସତ୍ତ୍ବେ ୨୦୨୦-୨୧ ଆର୍ଥିକ ବର୍ଷରେ ବନ୍ୟାରେ ରାସ୍ତା ନଷ୍ଟ ହୋଇଥିବା ଦର୍ଶାଇ ରାସ୍ତା ମରାମତି ନାମରେ ଏଗ୍ରିମେଣ୍ଟ ନମ୍ବର ୫୮ରେ ୧୩ ଲକ୍ଷ ୩୮ ହଜାର ୮୪୭ ଟଙ୍କା ବ୍ୟୟ କରାଯାଇଛି। ଏହି ରାସ୍ତା ଉପରେ ନିୟମିତ ଗୁପ୍ତଟେଣ୍ଡର ବର୍ଷ ବର୍ଷ ଧରି ଚାଲିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଗୋଟିଏ ଗୁପ୍ତ ଟେଣ୍ଡର ଜରିଆରେ ୪ ଲକ୍ଷ ଟଙ୍କା ମରାମତିରେ ବ୍ୟୟ ହୋଇଥିବା ଦର୍ଶାଯାଇଛି। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ୪ଟି ଗୁପ୍ତଟେଣ୍ଡର ବାବଦରେ ୧୬ ଲକ୍ଷ ୭୬ ହଜାର ୪୨୮ ଟଙ୍କା, ୨୦୧୬-୧୭ରେ ୫ ଟି ଗୁପ୍ତଟେଣ୍ଡର ଜରିଆରେ ୧୯ ଲକ୍ଷ ୭୧ ହଜାର ୬୩୨ ଟଙ୍କା, ୨୦୧୫-୧୬ରେ ୧୮ ଟି ଗୁପ୍ତ ଟେଣ୍ଡର କରାଯାଇ ୩୬ ଲକ୍ଷ ୩୩ ହଜାର ୪୭୩ ଟଙ୍କା , ୨୦୧୪-୧୫ରେ ୮୧ ଟି ଗୁପ୍ତଟେଣ୍ଡର କରାଯାଇ ୩୯ ଲକ୍ଷ ୮୪ ହଜାର ୩୨୧ ଟଙ୍କା ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଉଲ୍ଲେଖ ଅଛି। ମୋଟାମୋଟି ଏହି ରାସ୍ତା ଉପରେ ଗତ ୬ବର୍ଷରେ ୯୫ଟି କେ-୨, ୧୦୯ଟି ଗୁପ୍ତଟେଣ୍ଡର(ଏଫ-୨) ଓ ଗୋଟିଏ ଖୋଲା ଟେଣ୍ଡର ଜରିଆରେ ୧କୋଟି ୩୮ଲକ୍ଷ ୫୧ହଜାର ୭୦୧ଟଙ୍କା ବ୍ୟୟ କରାଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର