ହାଇକୋର୍ଟରେ ପହଞ୍ଚିଲା ଗୁପ୍ତ ଟେଣ୍ଡର ମାମଲା: ଅଦାଲତ ଅବମାନନା ମାମଲା ରୁଜୁ

କେନ୍ଦୁଝର : ଜଳସମ୍ପଦ ବିଭାଗ ଗୁପ୍ତ ଟେଣ୍ଡର ମାମଲା‌ ଇତିମଧ୍ୟରେ ହାଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାମ ଓଡ଼ିଶା ୟଙ୍ଗ ଏଣ୍ଟରପ୍ରିନର୍ସ ଆସୋସିଏସନ୍‌ (ଓୟେ)କୁ ପଠାଯିବା କଥା। ମାତ୍ର କୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇ ନଥିବାରୁ ‘ନାସନାଲ ଇଞ୍ଜିନିୟରିଂ‘ ନାମକ ଏକ ଠିକାସଂସ୍ଥା ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଓଡ଼ିଶାରେ କ୍ଷୁଦ୍ରଶିଳ୍ପ ନିଗମ ସହ ‘ଓୟେ’ ଅନୁବନ୍ଧିତ। ‘ଓୟେ’ ‌ହେଉଛି ମେକାନିକାଲ୍‌ କାମ କରୁଥିବା ଠିକାସଂସ୍ଥାମାନଙ୍କ ଏକ ସଂଘ। ଏହି ସଂଘ ସହ ଜଡ଼ିତ ବିଭିନ୍ନ ଠିକାସଂସ୍ଥା ରାଜ୍ୟ ସରକାରଙ୍କ ପାଖରୁ ବିଭିନ୍ନ ସମୟରେ କାର୍ଯ୍ୟ ନ ପାଇବା କାରଣରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧ ମାର୍ଚ୍ଚ ୪ ତାରିଖରେ ଡବ୍ଲୁପିସି ୧୭୫୪୨ ନମ୍ବର ମାମଲାର ବିଚାର କରି ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ। ରାଜ୍ୟ ସରକାରଙ୍କ ଅଧୀନରେ ହେଉଥିବା ବିଭିନ୍ନ ମେକାନିକାଲ୍‌ କାମ ଯଦି ୧୦ ହଜାରରୁ ୫ ଲକ୍ଷ ଟଙ୍କା ବ୍ୟୟରେ ହେଉଥାଏ, ତେବେ ଏ ସଂପର୍କରେ ସଂପୃକ୍ତ ବିଭାଗ ଓୟେକୁ ଇମେଲ୍‌ କିମ୍ବା ନୋଟିସ୍‌ ଆକାରରେ ଅବଗତ କରିବେ। ପରେ ଓୟେ ପକ୍ଷରୁ ଏହି କାର୍ଯ୍ୟ ବିଭିନ୍ନ ଅନୁଷ୍ଠାନକୁ କ୍ରମାନ୍ବୟରେ ଦିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

୨୦୨୧ ଏପ୍ରିଲ ୨୮ରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ମାନିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କରେ ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ୨୦୨୧ ମସିହା ଏପ୍ରିଲ ୨୮ ତାରିଖରେ ଜଳସମ୍ପଦ ବିଭାଗ ପକ୍ଷରୁ ଚିଠି ନମ୍ବର-୧୩୦୩୯ରେ ୫ ଲକ୍ଷ ଟଙ୍କାରୁ କମ୍‌ କାମ ଥିଲେ ଓୟେକୁ ଜଣାଇବାକୁ ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଏହି ନିର୍ଦ୍ଦେଶନାମାକୁ ବେଖାତିର କରାଯାଇଛି। ଜୁନ୍‌ ୨୯ ତାରିଖରେ ନାସନାଲ ଇଞ୍ଜିନିୟରିଂ ପକ୍ଷରୁ ହାଇକୋର୍ଟରେ ଏ ନେଇ ଏକ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ଡବ୍ଲୁପିସି ନମ୍ବର-୨୩୯୭୯/ ୨୯.୬.୨୧ ମାମଲାରେ ରାଜ୍ୟ ସରକାରଙ୍କ ସମେତ ଶାଳପଡ଼ା ଡିଭିଜନ୍‌ ନିର୍ବାହୀ ଯନ୍ତ୍ରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଜଳସମ୍ପଦ ବିଭାଗର କେନ୍ଦୁଝର ଜିଲ୍ଲା ଶାଳପଡ଼ା ମେକାନିକାଲ ଡିଭିଜନ୍‌ ଦ୍ବାରା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାର ମେକାନିକାଲ କାର୍ଯ୍ୟ ନିୟନ୍ତ୍ରିତ ହେଉଛି। ବିଶେଷ କରି ଚେକ୍‌ଡ୍ୟାମ୍‌ ଓ ଡ୍ୟାମ୍‌ ମରାମତି କାର୍ଯ୍ୟ କରାଯାଉଛି। ପ୍ରତିବର୍ଷ ବର୍ଷା ପୂର୍ବରୁ ଏହି ୪ ଜିଲ୍ଲାରେ ଥିବା ବିଭିନ୍ନ ଡ୍ୟାମ୍‌ ଏବଂ ଚେକ୍‌ଡ୍ୟାମ୍‌ ମରାମତି ହୋଇଥ‌ାଏ। ଚଳିତବର୍ଷ କେନ୍ଦୁଝର ଜିଲ୍ଲାର ବିଦ୍ୟାଧରପୁର ଡ୍ୟାମ୍‌, କାନ୍‌ଝାରୀ ଡ୍ୟାମ୍‌, ରେମାଳ ଡ୍ୟାମ, ହଦଗଡ଼ ଡ୍ୟାମ୍‌, ମୟୂରଭଞ୍ଜ ଜିଲ୍ଲାର ସୁନେଇ ଡ୍ୟାମ୍‌, ନେସା ଡ୍ୟାମ୍‌, ଖଡ଼ିଖାଇ ଡ୍ୟାମ୍‌ ଆଦିର ମରାମତି ଆବଶ୍ୟକ ଥିଲା। ଡ୍ୟାମ୍‌ ମରାମତି ବାବଦରେ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହାଇକୋର୍ଟଙ୍କ ନିୟମ ଅନୁସାରେ, ଏ ନେଇ ଓୟେକୁ ଜଣାଇବା କଥା ନଚେତ୍‌ ଖୋଲା ଟେଣ୍ଡର ହେବା କଥା। ମାତ୍ର ସମସ୍ତ ନିୟମକୁ ବେଖାତିର କରି ଶାଳପଡ଼ା ମେକାନିକାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଲୁଚାଛପାରେ ୩ କୋଟି ଟଙ୍କାର କାମକୁ ୬୦ଟି ଗୁପ୍ତ ଟେଣ୍ଡର କରି ଚିହ୍ନାଜଣା ଠିକାସଂସ୍ଥାଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଏହା ଦ୍ବାରା ପ୍ରମୋଦ କୁଅଁରଙ୍କ ମାଲିକାନାରେ ଥିବା ଠିକାସଂସ୍ଥା ଦେବ ଇଞ୍ଜିନିୟରିଂ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଥିବା ଠିକାସଂସ୍ଥା ପ୍ରିୟା ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଜ୍‌ ସର୍ବାଧିକ ଫାଇଦା ପାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର