ଯାଜପୁର : ଯାଜପୁର ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ(ଚଣ୍ଡିଖୋଲ)ରେ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ଗୁପ୍ତଟେଣ୍ଡର ଜରିଆରେ ହାତେଇଛନ୍ତି କୋଟି କୋଟି ଟଙ୍କା। ମାତ୍ର ତିନିବର୍ଷ ମଧ୍ୟରେ ଜିଲ୍ଲାର ୭ବ୍ଲକ୍‌ରେ ୨୭୨ଟି ଗୁପ୍ତ ଟେଣ୍ଡର ଜରିଆରେ ୪କୋଟି ୮୮ଲକ୍ଷ ୨୧ହଜାର ୧୧୭ଟଙ୍କା ବିଲ୍ ହୋଇଛି। ଗୁପ୍ତଟେଣ୍ଡର ପାଇଁ କାର୍ଯ୍ୟ ଯାହାହେଉନା କାହିଁକି ସରକାର ୭୩ଲକ୍ଷ ଟଙ୍କା (୧୪.୯୯ ପ୍ରତିଶତ କମ୍‌) କ୍ଷତି ବି ସହିଛନ୍ତି। ପୂର୍ବରୁ ୩ଟି ବ୍ଲକ୍‌ର ୧୫୯ଟି ଗୁପ୍ତଟେଣ୍ଡର ‌କେଳେଙ୍କାରୀ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସର୍ବୋଚ୍ଚ ଯନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଆଉ ୪ଟି ବ୍ଲକ୍‌ରେ ୧୧୩ଟି ଗୁପ୍ତଟେଣ୍ଡର ହୋଇଥିବା ପଦାକୁ ଆସିଛି।

Advertisment

ଯାଜପୁର ଜିଲ୍ଲାର ୩ଟି ବ୍ଲକ୍ ବିଂଝାରପୁର, ଯାଜପୁର ଓ ଦଶରଥପୁରରେ ୩ବର୍ଷରେ ୧୫୯ଗୁପ୍ତ ଟେଣ୍ଡର କରି ୨କୋଟି ୮୨ଲକ୍ଷ ୮୦ହଜାର ୯୪୭ଟଙ୍କା ହେରଫେର ‌ହୋଇଥିବା ତଥ୍ୟ ସାମନକୁ ଆସିଥିଲା। ଏବେ ଆଉ ୪ବ୍ଲକ୍‌ରେ ୧୧୩ଟି ଗୁପ୍ତଟେଣ୍ଡର ଜରିଆରେ ୨କୋଟି ୫ଲକ୍ଷ ୪୦ହଜାର ୧୭୦ଟଙ୍କା ବିଲ୍‌ ହୋଇଥିବା ପଦାକୁ ଆସିଛି। ସେଥି ମଧ୍ୟରେ ରସୁଲପୁର ଓ ବଡ଼ଚଣାରେ ୨ବର୍ଷରେ ୫୩ଟି ଗୁପ୍ତଟେଣ୍ଡରରେ ୬୫ ଲକ୍ଷ ୮୧ହଜାର ୪୭୪ ଟଙ୍କା ବିଲ୍ ହୋଇଥିବା ବେଳେ ଧର୍ମଶାଳା ଓ ବରୀ ବ୍ଲକରେ ୩ ବର୍ଷରେ ୬୦ଟି ଗୁପ୍ତଟେଣ୍ଡର ଜରିଆରେ ୧ କୋଟି ୩୯ ଲକ୍ଷ ୫୮ ହଜାର ୬୯୬ ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି।

ପୂର୍ବରୁ ୩ ବ୍ଲକ୍‌ର ୧୫୯ ଗୁପ୍ତଟେଣ୍ଡର ନେଇ ତଦନ୍ତ ନିର୍ଦ୍ଦେଶ ହୋଇଛି
ଯନ୍ତ୍ରୀ ଓ ଠିକାକାଦରଙ୍କ ଅସାଧୁମେଣ୍ଟ ପାଇଁ ସରକାର ହରାଇଛନ୍ତି ୭୩ଲକ୍ଷ ଟଙ୍କା

ଉଲ୍ଲେଖଯୋଗ୍ୟ ଯେ ଏହି ୩ ବର୍ଷରେ ବିଂଝାରପୁର ବ୍ଲକ୍‌ରେ ୫୦ଟି ଗୁପ୍ତଟେଣ୍ଡର କରି ୬୮ଲକ୍ଷ ୧୩ହଜାର ୪୮୯ଟଙ୍କା ବିଲ୍ ହୋଇଥିବା ‌ବେଳେ ଦଶରଥପୁର ବ୍ଲକରେ ୬୩ଟି ଗୁପ୍ତଟେଣ୍ଡର କରି ୫ଜଣ ଠିକାଦାରଙ୍କ ଜରିଆରେ ୧କୋଟି ୧୯ଲକ୍ଷ ୯୧ହଜାର ୮୪୬ଟଙ୍କା ବିଲ୍ ହୋଇଛି। ସେହିପରି ଯାଜପୁର ବ୍ଲକ୍‌ରେ ୮ଜଣ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ନାମରେ ୪୬ଟି ଗୁପ୍ତଟେଣ୍ଡର କରି ୯୪ଲକ୍ଷ ୭୫ ହଜାର ୬୧୨ ଟଙ୍କା ହରିଲୁଟ୍ କରାଯାଇଛି। ଜିଲ୍ଲାର ମୋଟ ୧୦ଟି ବ୍ଲକ୍ ମଧ୍ୟରୁ ଏବେ ସୁଦ୍ଧା ହସ୍ତଗତ ହୋଇଥିବା ୭ଟି ବ୍ଲକ୍‌ରେ ଗତ୨/୩ବର୍ଷରେ ମୋଟ ୨୭୨ଟି ଗୁପ୍ତଟେଣ୍ଡର କରାଯାଇ ୪କୋଟି ୮୮ଲକ୍ଷ ୨୧ହଜାର ୧୧୭ଟଙ୍କା ବିଲ୍ ହୋଇଛି। ମୁଷ୍ଟିମେୟ ନିର୍ଦ୍ଦିଷ୍ଟ ଠିକଦାରଙ୍କ ଜରିଆରେ ଏହି ଗୁପ୍ତଟେଣ୍ଡର କରାଯାଇଛି। ଯଦି ଏହା ଖୋଲା‌ଟେଣ୍ଡର କରାଯାଇଥାନ୍ତା ସରକାର ୧୪.୯୯ ପ୍ରତିଶତ କମ୍‌ ବାବଦରେ ୭୩ଲକ୍ଷ ୧୮ହଜାର ୨୮୫ଟଙ୍କା ରାଜସ୍ବ ଅପବ୍ୟୟକୁ ରୋକି ପାରିଥାନ୍ତେ।

ସ୍ମରଣଯୋଗ୍ୟ ‘ସମ୍ବାଦରେ ୩ବର୍ଷରେ ୧୫୯ ଗୁପ୍ତଟେଣ୍ଡର ଶୀର୍ଷକ ଖବର ଉପରେ ସର୍ବୋଚ୍ଚ ଯନ୍ତ୍ରୀ ଚିଠି ନମ୍ବର ୪୮୬୩ ତା ୧୭/୬/୨୨ରେ ତଦନ୍ତ କରିବା ପାଇଁ କଟକର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୪ତାରିଖ ସୁଦ୍ଧା ଏହା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଏହାପରେ ଆଉ ୪ ବ୍ଲକ୍‌ର ୧୧୩ଟି ଗୁପ୍ତଟେଣ୍ଡର ସଂପର୍କରେ ସୂଚନା ମିଳିଛି। ଫଳରେ ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁମେଣ୍ଟ ପାଇଁ ଅଡୁଆ ବଢିଛି।