ଜଳସମ୍ପଦ ବିଭାଗରେ ଗୁପ୍ତ ଟେଣ୍ଡର: ଦମ୍ପତିଙ୍କ ସଂସ୍ଥା ହାତେଇଛନ୍ତି ଅଧେ କାମ

ଦେବ ଇଂଜିନିୟରିଂକୁ ୫ ବ‌ର୍ଷରେ ୨.୦୪ କୋଟିର କାମ
ପ୍ରିୟା ଷ୍ଟିଲ ଇଣ୍ଡଷ୍ଟ୍ରିଜ ୪ ବର୍ଷରେ ହାତେଇଛି ୧.୨୫ କୋଟିର କାମ

କେନ୍ଦୁଝର : ଜଳ ସମ୍ପଦ ବିଭାଗରେ ବଡ଼ଧରଣର କେଳେଙ୍କାରୀ ହୋଇଛି। ଦିନକୁ ଦିନ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। କେନ୍ଦୁଝର ଜିଲ୍ଲା ଶାଳପଡ଼ା ମେକାନିକାଲ ଡିଭିଜନରେ ପ୍ରାୟ ୩ କୋଟି ଟଙ୍କାର କାମକୁ ୬୦ଟି ଗୁପ୍ତ ଟେଣ୍ଡର ମାଧ୍ୟମରେ ନିଜର ଚିହ୍ନା ପରିଚିତ କିଛି ଠିକା ସଂସ୍ଥାକୁ ଟେକି ଦିଆଯାଇଛି। ଏଥିରୁ ଏକ ଦମ୍ପତିଙ୍କ ମାଲିକାନାରେ ଥିବା ଦେବ ଇଞ୍ଜିନିୟରିଂ ଏବଂ ପ୍ରିୟା ଷ୍ଟିଲ ଇଣ୍ଡଷ୍ଟ୍ରିଜ୍‌ ନାମକ ଦୁଇଟି ଠିକା ସଂସ୍ଥା ଅଧା କାମ ପାଇଛନ୍ତି। ଦେବ ଇଞ୍ଜିନିୟରିଂର ସ୍ବତ୍ତ୍ବାଧିକାର ହେଉଛନ୍ତି ପ୍ରମୋଦ କୁଅଁର ଏବଂ ତାଙ୍କ ପତ୍ନୀଙ୍କ ନାମରେ ରହିଛି ପ୍ରିୟା ଷ୍ଟିଲ ଇଣ୍ଡଷ୍ଟ୍ରିଜ୍‌। ଏହି ଦୁଇଟି ଠିକା ସଂସ୍ଥା ପାଖାପାଖି ୨୮ଟି ଗୁପ୍ତ ଟେଣ୍ଡର ଜରିଆରେ କାମ ହାତେଇଛନ୍ତି। ପ୍ରତିବର୍ଷ ଜଳସଂପଦ ବିଭାଗରୁ ପର୍ଯ୍ୟାପ୍ତ ଲାଭ ପାଉଛନ୍ତି ଏହି ଦୁଇ ଠିକାସଂସ୍ଥା। ଦେବ ଇଂଜିନିୟରିଂ ୫ ବ‌ର୍ଷ ମଧ୍ୟରେ ୨ କୋଟି ୪ଲକ୍ଷ ୭୨ ହଜାର ୫୫୧ ଟଙ୍କାର କାମ ହାତେଇଥିବା ବେଳେ ପ୍ରିୟା ଷ୍ଟିଲ ଇଣ୍ଡଷ୍ଟ୍ରିଜ ୪ ବର୍ଷ ମଧ୍ୟରେ ୧ କୋଟି ୨୫ ଲକ୍ଷ ୬୭ ହଜାର ୫୧୫ ଟଙ୍କାର କାମ ହାତେଇନେଇଛି। ଅର୍ଥାତ୍ ଏହି ଦୁଇ ସଂସ୍ଥା ଗତ ୫ ବର୍ଷ ମଧ୍ୟରେ ୩କୋଟି ୩୦ ଲକ୍ଷ ୪୦ହଜାର ୦୬୬ ଟଙ୍କାର କାମ ହାତେଇ ନେଇଛନ୍ତି। ଦମ୍ପତିଙ୍କ ଠିକା ସଂସ୍ଥାକୁ ଅନୁକମ୍ପା ପୂର୍ବକ ଗୁପ୍ତ ଟେଣ୍ଡର ଜରିଆରେ ଏହିସବୁ କାମ ଯୋଗାଇ ଦିଆଯାଇଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୫-୧୬ ମସିହାରେ ଦେବ ଇଞ୍ଜିନିୟରିଂ ୪ଟି ଗୁପ୍ତ ଟେଣ୍ଡରରେ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କାର କାମ କରିଛି। ୨୦୧୬-୧୭ ମସିହାରେ ଏହି ସଂସ୍ଥା ୩୫ଟି ଗୁପ୍ତ ଟେଣ୍ଡର ଜରିଆରେ ପ୍ରାୟ ୯୧ ଲକ୍ଷ ୧୯ ହଜାର ୭୦୨ ଟଙ୍କାର କାମ ହାତେଇ ନେଇଛି। ୨୦୧୭-୧୮ ମସିହାରେ ଦେବ ଇଞ୍ଜିନିୟରିଂ ୧୮ଟି ଗୁପ୍ତ ଟେଣ୍ଡରରେ କାମ ହା‌‌ତେଇଥିବା ବେଳେ ଏହାର ମୂଲ୍ୟ ହେଉଛି ୬୨ ଲକ୍ଷ ୫୭ ହଜାର ୨୭ ଟଙ୍କା। ୨୦୧୮-୧୯ ମସିହାରେ ୬ଟି ଗୁପ୍ତ ଟେଣ୍ଡର ହାତେଇ ମୋଟ ୧୩ ଲକ୍ଷ ୨୩ ହଜାର ୯୪୭ ଟଙ୍କାର କାମ କରିଥିବା ବେଳେ ୨୦୧୯-୨୦ ମସିହାରେ ୧୧ଟି ଏଗ୍ରିମେଣ୍ଟ ମାଧ୍ୟମରେ ୩୬ ଲକ୍ଷ ୨୧ ହଜାର ୮୭୫ ଟଙ୍କାର କାମ କରିଛି। ଦେବ ଇଞ୍ଜିନିୟରିଂର ସତ୍ତ୍ବାଧିକାରୀ ପ୍ରମୋଦ କୁଅଁର ଅତି ଚତୁରତାର ସହିତ କାର୍ଯ୍ୟ କରିଛନ୍ତି। ଗୋଟିଏ ପଟେ ନିଜେ ପ୍ରତିବର୍ଷ କୋଟି କୋଟି ଟଙ୍କାର କାମ ଏଗ୍ରିମେଣ୍ଟ ହିସାବରେ କରୁଥିବା ବେ‌ଳେ ଅଧିକ ଏଗ୍ରିମେଣ୍ଟ ହେଲେ କାଳେ ସନ୍ଦେହ ହେବ, ସେଥିପାଇଁ ନିଜ ପତ୍ନୀଙ୍କ ନାମରେ ମଧ୍ୟ ଅନ୍ୟ ଏକ ଠିକା ସଂସ୍ଥା ପ୍ରିୟା ଷ୍ଟିଲ ଇଣ୍ଡଷ୍ଟ୍ରିଜ୍‌ ନାମରେ ମଧ୍ୟ ପ୍ରତିବର୍ଷ କୋଟି କୋଟି ଟଙ୍କାର କାମ ନେଇଛନ୍ତି।

ସୂଚନା ଅଧିକାର ତଥ୍ୟ ଅନୁସାରେ, ପ୍ରିୟା ଷ୍ଟିଲ ଇଣ୍ଡଷ୍ଟ୍ରିଜ୍‌ ୨୦୧୬-୧୭ ମସିହାରେ ୧୫ଟି ଏଗ୍ରିମେଣ୍ଟ କରି ୫୦ ଲକ୍ଷ ୧୭ ହଜାର ୨୨୧ ଟଙ୍କାର କାମ କରିଥିବା ବେଳେ ୨୦୧୭-୧୮ ମସିହାରେ ପ୍ରିୟା ଷ୍ଟିଲ ଇଣ୍ଡଷ୍ଟ୍ରିଜ୍‌ ୧୧ଟି ଏଗ୍ରିମେଣ୍ଟ କରି ୩୬ ଲକ୍ଷ ୪୫ ହଜାର ୩୨୪ ଟଙ୍କାର କାମ ହାତେଇଛି। ୨୦୧୮-୧୯ରେ ଏହି ସଂସ୍ଥା ୬ଟି ଏଗ୍ରିମେଣ୍ଟ ମାଧ୍ୟମରେ ୧୫ ଲକ୍ଷ ୯୪ ହଜାର ୫୫୧ ଟଙ୍କାର କାମ ହାତେଇଥିବା ବେଳେ ୨୦୧୯-୨୦ରେ ୧୦ଟି ଏଗ୍ରିମେଣ୍ଟ କରି ମୋଟ ୨୩ ଲକ୍ଷ ୧୦ ହଜାର ୪୧୯ ଟଙ୍କାର କାମ ହ‌ାତେଇଛି। ମୋଟାମୋଟି ଭାବେ ପ୍ରମୋଦ କୁଅଁରଙ୍କ ଠିକା ସଂସ୍ଥା ଦେବ ଇଞ୍ଜିନିୟରିଂ ଏବଂ ତାଙ୍କ ପତ୍ନୀଙ୍କ ଠିକା ସଂସ୍ଥା ପ୍ରିୟା ଷ୍ଟିଲ ଇଣ୍ଡଷ୍ଟ୍ରିଜ୍‌ ପ୍ରତିବର୍ଷ ଅନ୍‌ଲାଇନ୍‌ ଟେଣ୍ଡରରେ ଭାଗ ନ ନେଇ ନିୟମିତ ଭାବେ ଏଭଳି ଟେଣ୍ଡର ଫିକ୍ସିଂ କରି ଶାଳପଡା ମେକାନିକାଲ ଡିଭିଜନରେ ଏକଚାଟିଆ କାରବାର ଚଳାଇ ଆସିଛନ୍ତି। ଏ ସଂପର୍କରେ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିହାର ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏତେ ପରିମାଣର କାମ ଅଫ୍‌ଲାଇନ୍‌ରେ ଏଗ୍ରିମେଣ୍ଟ ହୋଇ ନାହିଁ। ମାତ୍ର ୭/୮ଟି କାମ ଏଗ୍ରିମେଣ୍ଟ ମାଧ୍ୟମରେ ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର