ଆର୍‌ଡବ୍ଲୁଏସ୍‌ଏସ୍‌ ଡିଭିଜନର ଗୁପ୍ତଟେଣ୍ଡର କେଳେଙ୍କାରୀ: ତଦନ୍ତ କରିବେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଯାଜପୁର : ଯାଜପୁର ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ୍(ଚଣ୍ଡିଖୋଲ)ର ଏକାଧିକ କେଳେଙ୍କାରୀ ପର୍ଦ୍ଦାଫାସ ହେବାରେ ଲାଗିଛି। ଏହାକୁ ନେଇ ବିଭାଗୀୟ ସର୍ବୋଚ୍ଚ ଅଧିକାରୀମାନେ ଚିନ୍ତାରେ। ପିଇବା ପାଣି ପରୀକ୍ଷା ନେଇ ମିଛ ରିପୋର୍ଟ‌ ହେଉ କି ବସୁଧା ଯୋଜନାରେ ନିମ୍ନମାନର କାମ, କାମ ନକରି ଅନୁଦାନ ହଡ଼ପ, ହୋର୍ଡିଂ କେଳେଙ୍କାରୀ ଘଟଣା ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ (ଇଂଜିନିୟର ଇନ୍ ଚିଫ୍) ବାରମ୍ବାର କୈଫିୟତ ତଲବ କରିଥିଲେ। ଏବେ ୧୫୯ ଗୁପ୍ତଟେଣ୍ଡର ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କଟକର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଦ୍ବାରା ଏହାର ତଦନ୍ତ କରିବାକୁ ଗତକ‌ାଲି ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଯାଜପୁର ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ୍‌ର ପକ୍ଷରୁ ଯାଜପୁର ଜିଲ୍ଲାର ୩ଟି ବ୍ଲକ୍‌ ବିଂଝାରପୁର, ଯାଜପୁର ଓ ଦଶରଥପୁରରେ ଗତ ୩ବର୍ଷରେ ୧୫୯ଟି ଗୁପ୍ତଟେଣ୍ଡର କରାଯାଇ ୨କୋଟି ୮୨ଲକ୍ଷ ୮୦ ହଜାର ୯୪୭ ଟଙ୍କାର ବିଲ୍ ପୈଠ କରାଯାଇଛି। ବିଂଝାରପୁର ବ୍ଲକରେ ୨୦୧୯-୨୦,୨୦୨୦-୨୧ ଓ ୨୦୨୧-୨୨ ବର୍ଷରେ ୫୦ଟି ଗୁପ୍ତ ଟେଣ୍ଡର କାମ କରାଯାଇ ୧୧ଜଣ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ୬୮ଲକ୍ଷ ୧୩ହଜାର ୪୮୯ଟଙ୍କା ବିଲ୍ ପୈଠ ହୋଇଛି। ୫୦ଟି ମଧ୍ୟରୁ ୩୪ଟି ଗୁପ୍ତଟେ‌ଣ୍ଡର ମାତ୍ର ଜଣେ ଠିକାଦାର ପାଇଛନ୍ତି। ସେହିପରି ଦଶରଥପୁର ବ୍ଲକରେ ଏହି ତିନି ବର୍ଷରେ ୬୩ଟି ଗୁପ୍ତ ଟେଣ୍ଡର କରାଯାଇ ୫ଜଣ ଠିକାଦାରଙ୍କ ଜରିଆରେ ୧କୋଟି ୧୯ଲକ୍ଷ ୯୧ହଜାର ୮୪୬ଟଙ୍କା ବ୍ୟୟ ହୋଇଥିବାର ଦର୍ଶାଯାଇଛି। ଏପରିକି ଯାଜପୁର ବ୍ଲକକୁ ମଧ୍ୟ ଏହି ଅସାଧୁମେଣ୍ଟ ଛାଡ଼ି ନାହାନ୍ତି। ଏଠାରେ ୨୦୧୯-୨୦,୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ମାତ୍ର ୮ଜଣ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ନାମରେ ମରାମତି ଆଳରେ ୪୬ଟି ଗୁପ୍ତଟେଣ୍ଡର କରି ୯୪ଲକ୍ଷ ୭୫ ହଜାର ୬୧୨ ଟଙ୍କା ପୈଠ କରାଯାଇଛି। ଏ ସଂପର୍କରେ ଗତ ୧୧ତାରିଖରେ ‘ସମ୍ବାଦରେ ୩ବର୍ଷରେ ୧୫୯ ଗୁପ୍ତଟେଣ୍ଡର ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହି ଖବର ଉପରେ ଗତକାଲି ସର୍ବୋଚ୍ଚ ଯନ୍ତ୍ରୀ ଚିଠି ନମ୍ବର ୪୮୬୩ ତା ୧୭/୬/୨୨ରେ ତଦନ୍ତ କରିବା ପାଇଁ କଟକର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର