ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଓଡ଼ିଶା ସଚିବାଳୟ ସେବା କ୍ୟାଡରର ଶତାଧିକ ଅଧିକାରୀ ଫେବ୍ରୁଆରି ୧୩ରୁ ଲୋକସେବା ଭବନ ପରିସରରେ ଆନ୍ଦୋଳନ କରୁଛନ୍ତି। ଏଥିପାଇଁ ଲୋକସେବା ଭବନ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାମ ଠପ୍ ହୋଇଯାଇଛି। ଆଗକୁ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗିବାକୁ ଥିବାରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଠାରୁ ଆରମ୍ଭ କରି ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇପାରୁନି। ତେଣୁ ଆନ୍ଦୋଳନରତ ଅଧିକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଏନେଇ ଗୃହ ବିଭାଗର ଅତିରିକ୍ତ ସଚିବ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବଙ୍କୁ ଚିଠି ଲେଖିଛନ୍ତି।
ଏଥିରେ କୁହାଯାଇଛି ଯେ ଓଡ଼ିଶା ସଚିବାଳୟ ସେବା କ୍ୟାଡର ଅଧିକାରୀମାନେ ଫେବ୍ରୁଆରି ୧୩ରୁ ଆନ୍ଦୋଳନ କରୁଥିବାବେଳେ କାର୍ଯ୍ୟାଳୟରେ ଅନଧିକୃତ ଅନୁପସ୍ଥିତି ଯୋଗୁ ବିଭିନ୍ନ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟରେ ଅସୁବିଧା ଓ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଗୃହ ବିଭାଗକୁ ଜଣାନ୍ତୁ। ଯେଉଁ ଅଧିକାରୀମାନେ ଅଫିସକୁ କାମ କରିବାକୁ ଆସୁନାହାନ୍ତି ଏବଂ ଅନଧିକୃତ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କର ଏହି ଦିନଗୁଡ଼ିକୁ ବିନା ଦରମା ଓ ସେବା ନିବୃତ୍ତ ବୋଲି ଧରାଯିବ। ଏହାସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଗୃହ ବିଭାଗକୁ ପ୍ରସ୍ତାବ ଦେବାକୁ କୁହାଯାଇଛି। ସେହିପରି ଯେଉଁ ନବନିଯୁକ୍ତ ଏଏସ୍ଓମାନେ ସେମାନଙ୍କର ଜଏନିଂ ରିପୋର୍ଟ ଦେଇଛନ୍ତି କିନ୍ତୁ କାର୍ଯ୍ୟରେ ଯୋଗଦେଉନାହାନ୍ତି ସେମାନଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିବାକୁ ସେମାନଙ୍କର ସବିଶେଷ ତଥ୍ୟ ଗୃହ ବିଭାଗକୁ ପଠାଯାଉ। ଏହାସହ ଯେଉଁ ନୂଆ ଏଏସ୍ଓମାନେ ବର୍ତ୍ତମାନ ସୁଦ୍ଧା ଚାକିରିରେ ଯୋଗ ଦେଇନାହାନ୍ତି ସେମାନଙ୍କର ବି ସବିଶେଷ ତଥ୍ୟ ଗୃହ ବିଭାଗକୁ ପଠାଇବାକୁ କୁହାଯାଇଛି।
ଆଜି ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହେବା ପରେ ଓଡ଼ିଶା ସଚିବାଳୟ ସେବା କ୍ୟାଡର ଅଧିକାରୀ ସଂଘ କହିଛି ଯେ ଆମେ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛୁ। ସୋମବାର ରାତିରେ ଆମ ଦାବି ପୂରଣ ନେଇ ଆମକୁ ପ୍ରତିଶ୍ରୁତି ମିଳିଥିଲା, ଆଜି ପୂର୍ବାହ୍ନରେ ଆମେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲୁ। ହେଲେ ଏହାପରେ ଗୃହ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ବାହାରିଛି।