ଦାବି ନେଇ ଏକାଠି ହେଲେ ସଚିବାଳୟ କର୍ମଚାରୀ

ଭୁବନେଶ୍ବର : ବିଭିନ୍ନ ଦାବି ନେଇ ଓଡ଼ିଶା ସଚିବାଳୟ ସେବା ସଂଘ ପକ୍ଷରୁ ଆଜି ଲୋକସେବା ଭବନରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ପଞ୍ଚାୟତିରାଜ ବିଭାଗ ନିକଟ ଲନ୍‌ରେ ଅନୁଷ୍ଠିତ ସଭାରେ କର୍ମଚାରୀମ‌ାନେ ଏକାଠି ହୋଇ ଦାବି ଉପସ୍ଥାପନ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ଓଡ଼ିଶା ସଚିବାଳୟ ସେବା ବର୍ଗର କ୍ୟାଡର ପୁନର୍ଗଠନ କରାଯାଇ ପ୍ରଥମ ଦଫାରେ ୨୨୫ଟି ଗ୍ରୁପ୍‌ ‘ଏ’ ପଦବି ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ସଂଘ ପକ୍ଷରୁ ବର୍ଷକରୁ ଅଧିକ ସମୟ ଧରି ସରକାରୀ ଓ ପ୍ରଶାସନିକସ୍ତରରେ ନିରବଚ୍ଛିନ୍ନ ଉଦ୍ୟମ ହୋଇଛି। ଏହାପରେ ପରିସ୍ଥିତି ଓ ସରକାରୀ ବାଧ୍ୟବାଧକତା ଦୃଷ୍ଟିରେ ରଖି ପ୍ରଥମ ଦଫାରେ କୌଣସି ମୂଳ ପଦବି ଉଚ୍ଛେଦ ନକରି ୧୫୧ଟି ଗ୍ରୁପ୍‌ ‘ଏ’ ପଦବି ସୃଷ୍ଟି କରିବା ଲାଗି ଗତ ୮ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘ ପକ୍ଷରୁ ନିବେଦନ କରାଯାଇଥିଲା।

କିନ୍ତୁ ପରିତାପର ବିଷୟ ଯେ ଗତ ୨୬ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ନିଷ୍ପତ୍ତି ଅନୁଯାୟୀ ସଂଘର ଦାବିକୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇ ତଳ ପଦବି ଉଚ୍ଛେଦ କରି ପାଖାପାଖି ୧୦୦ ଗ୍ରୁପ୍‌ ‘ଏ’ ପଦବି ସୃଷ୍ଟି କରିବାକୁ ସ୍ଥିର ହୋଇଛି। ଇତିମଧ୍ୟରେ ଅର୍ଥ ବିଭାଗର ମଧ୍ୟ ଅନୁମୋଦନ ନିଆସରିଲାଣି। ଏଥିସହ ଅତିରିକ୍ତ ଶାସନ ସଚିବ ଓ ଯୁଗ୍ମ ଶାସନ ସଚିବ ସ୍ତରରେ ଅତ୍ୟନ୍ତ ନଗଣ୍ୟ ପଦବି ସୃଷ୍ଟି ପାଇଁ ସୁପାରିଶ ହୋଇଛି। ପ୍ରଶାସନର ଏଭଳି ନିଷ୍ପତ୍ତି ସଂଘ ଦ୍ବାରା ଆଦୌ ଗ୍ରହଣୀୟ ନୁହେଁ। ଇତି ମଧ୍ୟରେ ସରକାର ୧୫ଟିରୁ ଅଧିକ କ୍ୟାଡର ପୁନର୍ଗଠନ କରି ଉପରସ୍ତରରେ ଗଦା ଗଦା ପଦବି ସୃଷ୍ଟି କରିଥିବା ବେଳେ ଆମ୍ଭମାନଙ୍କ କ୍ଷେତ୍ରରେ ଏପରି ହୀନମନ୍ୟତା କ’ଣ ପାଇଁ ବୋଲି ସଂଘ ପ୍ରଶ୍ନ କରିଛି।

ସମ୍ବନ୍ଧିତ ଖବର