ରାଜସ୍ୱ ସଂଗ୍ରହରେ ୧୯% ଅଭିବୃଦ୍ଧ, ଅଗ୍ରାଧିକାର ଭିତ୍ତିରେ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗ ମାନଙ୍କୁ ନିର୍ଦ୍ଦେଶ

ବୈଠକରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ମେ’ ମାସ ଶେଷ ସୁଦ୍ଧା ଓଡ଼ିଶାର ରାଜସ୍ୱ ସଂଗ୍ରହରେ ୧୯ ପ୍ରତିଶତ ଅଭିବୃଦ୍ଧ ଘଟିଛି। ମୁଖ୍ୟ ଶାସନ ସଚିବ ଆଦିିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକର ଆଲୋଚନାରୁ ଏହା ଜଣାପଡିଛି। ବିଭିନ୍ନ ବିଭାଗର ରାଜସ୍ୱ ପରିଚାଳନା କାର୍ଯ୍ୟ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଜୁନ୍‌ ଓ ଜୁଲାଇ ମାସରେ ବଜେଟ୍‌ ବିନିଯୋଗ ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ଵୟନ ତ୍ୱରାନ୍ଵିତ କରିବା ପାଇଁ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ମାସ ୧୭ ତାରିଖ ସୁଞ୍ଚା ଅଗ୍ରାଧିକାର ଭିତ୍ତିରେ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମଧ୍ୟ ବିଭାଗ ମାନଙ୍କୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଆରୋପ କରି ଉନ୍ନୟନ କମିଶନର ଅସୀତ କୁମାର ତ୍ରିପାଠୀ କହିଥିଲେ ଯେ, ଏଥିପାଇଁ ଜାତୀୟ ସ୍ତରରେ ୩୦୬ଟି ମାନାଙ୍କ ଚିହ୍ନଟ କରାଯାଇଛି। ଏଗୁଡିକ ପ୍ରାୟ ୧୮ଟି ବିଭାଗର କାର୍ଯ୍ୟ ଅନ୍ତର୍ଭୁକ୍ତ। ତନ୍ମଧ୍ୟରୁ ଓଡ଼ିଶା ପାଇଁ ପ୍ରଯୁଜ୍ୟ ଲକ୍ଷ୍ୟ ଗୁଡିକୁ ଚିହ୍ନଟ କରି ସେଗୁଡିକର ହାସଲ ନିମନ୍ତେ ସମୟ ଅନୁବନ୍ଧିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ପାଇଁ ଶ୍ରୀ ତ୍ରିପାଠୀ ବିଭିନ୍ନଙ୍କୁ ପରାମର୍ଶ ଦେଇଥିଲେ।

ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ବାର୍ଷିକ ବଜେଟ୍‌ ବିଧାନସଭାରେ ଚଳିତ ଜୁନ୍‌ ମାସ ୨୮ ତାରିଖରେ ଉପସ୍ଥାପନ କରାଯିବ ବୋଲି ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଜଣାଇଥିଲେ। ଏଥି ନିମନ୍ତେ ନିଜ ନିଜ ବିଭାଗର ନୂଆ ପଦକ୍ଷେପ ବା କାର୍ଯ୍ୟ ଯୋଜନା ବିଷୟରେ ତୁରନ୍ତ ଅର୍ଥ ବିଭାଗଙ୍କୁ ଅବଗତ କରାଇବାକୁ ଶ୍ରୀ ମୀନା କହିଥିଲେ। ବିଭିନ୍ନ ସରକାରୀ ବିଭାଗ, ସ୍ୱୟଂ ଶାସିତ ସଂସ୍ଥା ଏବଂ ସାଧାରଣ ଉଦ୍ୟୋଗମାନେ ନିଜ ନିଜ ବିଭାଗ ପାଇଁ ଆବଶ୍ୟକୀୟ କ୍ରୟ ଅନ୍ଲାଇନ୍‌ ଜେମ୍‌ ପୋର୍ଟାଲ୍‌ ମାଧ୍ୟମରେ କରିବା ପାଇଁ ମଧ୍ୟ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥି ନିମନ୍ତେ ଆବଶ୍ୟକୀୟ ତାଲିମ ଓ ସହାୟତା କୋଷାଗାର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଥିବା ଜେମ୍‌ ପୋର୍ଟାଲ୍‌ ୟୁନିଟ୍‌ ଯୋଗାଇଦେବେ। ବର୍ତ୍ତମାନ ସୁଦ୍ଧା ଏହି ପୋର୍ଟାଲରେ ୯୧୮ଟି ବ୍ୟବହାରକାରୀ ସଂସ୍ଥା ବିଭାଗ ପଂଜିକୃତ ହୋଇଛନ୍ତି।

ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ମୀନା ମେ’ ମାସ ଶେଷସୁଦ୍ଧା ରାଜସ୍ୱ ସ୍ଥିତି ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ସମୀକ୍ଷାରୁ ଜଣାପଡିଥିଲା ଯେ ଚଳିତ ମାସ ଶେଷସୁଦ୍ଧା ରାଜସ୍ୱ ସଂଗ୍ରହ ପୂର୍ବ ବର୍ଷର ଏହି ସମୟ ଅପେକ୍ଷା ୧୯% ଅଧିକ ହୋଇଛି। ୨୦୧୮ ମସିହା ମେ’ ମାସ ସୁଦ୍ଧା ରାଜସ୍ୱ ସଂଗ୍ରହ ସମୁଦାୟ ୫୪୬୬ କୋଟି ଟଙ୍କା ହୋଇଥିବା ବେଳେ ଚଳିତ ବର୍ଷ ମେ’ ମାସ ସୁଦ୍ଧା ଏହା ୬୫୦୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ମଧ୍ୟରୁ ନିଜସ୍ୱ ଟିକସ ବାବଦରେ ୪୨୫୭ କୋଟି ଟଙ୍କା ସଂଗ୍ରହ ହୋଇ ୯.୨୫% ଏବଂ ଅଣ ଟିକସ ବାବଦରେ ୨୨୪୭ କୋଟି ଟଙ୍କା ସଂଗ୍ରହ ହୋଇ ୪୩.୨୧% ବୃଦ୍ଧିି ଘଟିଛି। ଅଣ ଟିକସ ରାଜସ୍ୱ ବାବଦରେ ଇସ୍ପାତ ଓ ଖଣି ବିଭାଗର ଖଣି ରୟାଲଟିରେ ସର୍ବାଧିକ ୫୧.୧୮% ଏବଂ ଜଳ ସଂପଦ ବିଭାଗର ଶିଳ୍ପ ପାଇଁ ଜଳ ଦେୟରେ ୧୬.୨୨% ବୃଦ୍ଧି ଘଟିଛି।

ନିର୍ବାଚନ ଆଚରଣ ବିଧି ଯୋଗୁଁ ଗତ ମାସରେ ଯୋଜନା ଓ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ପରିମାଣ ପୂର୍ବ ବର୍ଷ ତୁଳନାରେ କମ୍‌ ରହିଛି। ମେ’ ମାସ ଶେଷସୁଦ୍ଧା ଯୋଜନା ବାବଦରେ ବଜେଟ୍‌ ବିନିଯୋଗ ୮୭୪୬ କୋଟି ହୋଇଛି, ଯାହାକି ପୂର୍ବ ବର୍ଷ ଏହି ସମୟ ତୁଳନାରେ ୧୯% ଭାଗ କମ୍‌। ଜୁନ୍‌ ଓ ଜୁଲାଇ ମାସରେ ବଜେଟ୍‌ ବିନିଯୋଗ ସହ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଓ ସେବା ଯୋଗାଣ ତ୍ୱରାନ୍ଵିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉନ୍ନୟନ କମିଶନର ଅସୀତ କୁମାର ତ୍ରିପାଠୀ, କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ସ୍ୱତନ୍ତ୍ର ଶାସନ ସଚିବ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର