କୋଭିଡ୍‌ ହସ୍ପିଟାଲ୍‌ରେ ଶଯ୍ୟା ବଢ଼ାଇବାକୁ ପ୍ରସ୍ତୁତ ରୁହ

ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ସଚିବ ସ୍ତରୀୟ ବୈଠକ

‘ୱାର୍କ ଫ୍ରମ୍‌ ହୋମ୍‌’ ପାଇଁ ସବୁ ବିଭାଗ ଜାରି କରିବେ ଏସ୍‌ଓପି
ଇ-ଅଭିଯୋଗ, ଅନ୍‌ଲାଇନ୍‌ ସେବା ଉପରେ ଗୁରୁତ୍ବ
ଲକ୍‌ଡାଉନ୍ ସତ୍ତ୍ବେ ଅଣଟିକସ ରାଜସ୍ବ ସଂଗ୍ରହ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ କରୋନା ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ କୋଭିଡ୍‌ ହସ୍ପିଟାଲ୍‌ରେ ଯେତିକି ଶଯ୍ୟା ଅଛି, ତାହା ନିଅଣ୍ଟ ପଡ଼ିବାର ଆ‌ଶଙ୍କା ଦେଖାଦେଲାଣି। ଲକ୍ଷଣ ନ ଥିବା ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବ ନାହିଁ। ରୋଗୀ ସଂଖ୍ୟା ବଢ଼ିଲେ ଆବଶ୍ୟକ ସ୍ଥଳରେ ଶଯ୍ୟା ବଢ଼ାଇବା ପାଇଁ ଆଗୁଆ ପ୍ରସ୍ତୁତି ରହିବାକୁ ପଡ଼ିବ।

ଆଜି ହୋଇଥିବା ସଚିବ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା‌ କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ଇଙ୍ଗିତ ଦେଇଛନ୍ତି। ଏଥି ପାଇଁ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ କୋଭିଡ୍‌ ହସ୍ପିଟାଲ୍‌ ନୁହେଁ, ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ୍‌ କେୟାର ସେଣ୍ଟ୍‌ର୍‌ଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯିବ। କୋଭିଡ୍‌ କେୟାର ସେଣ୍ଟର୍‌ରେ ରେଗୀଙ୍କ ଖାଇବା ଖର୍ଚ୍ଚ ବଢ଼ାଯାଇ ଦିନକୁ ୨୪୦ ଟଙ୍କା କରାଯାଇଛି। ରାଜ୍ୟରେ କୋଭିଡ୍‌କୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଜାଗ୍ରତ ରହିବାକୁ ପଡ଼ିବ। ହଟ୍‌ସ୍ପଟ୍‌ ଜିଲ୍ଲାର ପର୍ଯ୍ୟବେକ୍ଷକ, ସିଡିଏମ୍‌ଓ ଓ ଜିଲ୍ଲାପାଳମାନେ ଜୀବନ ରକ୍ଷାକାରୀ ଔଷଧ ଯୋଗାଣକୁ ନିଶ୍ଚିତ କରିବାକୁ ଶ୍ରୀ ତ୍ରିପାଠୀ ନି‌େର୍ଦ୍ଦଶ ଦେଇଥିଲେ।

କୋଭିଡ୍‌ ପାଇଁ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଥିବାରୁ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ସରକାର ଗୁରୁତ୍ବ ଦେଉଛନ୍ତି। ଏହାର ଏକ ଅଂଶ ଭାବେ ଆଜି ସଚିବ ସ୍ତରୀୟ ବୈଠକ ଓସ୍ବାସ୍‌ ମାଧ୍ୟମରେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ କରାଯାଇଥିଲା। କରୋନା ବିରୋଧୀ ଲଢ଼େଇ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ବିଭିନ୍ନ ବିଭାଗ ‘ୱାର୍କ ଫ୍ରମ୍ ହୋମ୍‌’ ପାଇଁ ଏସ୍‌ଓପି ପ୍ରସ୍ତୁତ କରିବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ନି‌େର୍ଦ୍ଦଶ ଦେଇଥିଲେ। ଶିଳ୍ପ, କୃଷି, ଉଦ୍ୟାନ କୃଷି ଓ ଖଣି କାରବାର ଜାର ରଖିବାକୁ ବିଭିନ୍ନ ବିଭାଗ ଓ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା।

ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ୍‌ରୁ ହାଇକୋର୍ଟକୁ ମାମଲା ସ୍ଥାନାନ୍ତର ପ୍ରକ୍ରିୟାର ସମୀକ୍ଷା କରାଯାଇଥିଲା। ବିଚାରାଧୀନ ମାମଲାର ବର୍ଗୀକରଣ କରିବାକୁ ସଂପୃକ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏଥି ପାଇଁ ଉନ୍ନୟନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଇ-ଅଭିଯୋଗରେ ଆସୁଥିବା ଆବେଦନର ସମାଧାନ ଓ ଅନ୍‌ଲାଇନ୍ ମାଧ୍ୟମରେ ନାଗରିକମାନଙ୍କୁ ଅଧିକରୁ ଅଧିକ ସେବା ଯୋଗାଇବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଥିଲେ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା ୨୦୨୦ ଜୁନ୍ ପର୍ଯ୍ୟନ୍ତ ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ସମୀକ୍ଷାରୁ ଜଣାପଡ଼ିଛି ଯେ ଜୁନ୍ ପର୍ଯ୍ୟନ୍ତ ସବୁ ବିଭାଗର କାର୍ଯ୍ୟକ୍ରମ ଖର୍ଚ୍ଚ ଗତ ବର୍ଷ ତୁଳନାରେ ୫.୦୬ ପ୍ରତିଶତ ହ୍ରାସ ପାଇଛି। ତେବେ ସାମାଜିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷରେ ଜୁନ୍ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଖର୍ଚ୍ଚ ପ୍ରାୟ ୮୯୨୩ କୋଟି ଟଙ୍କା ରହିଛି। ଗତ ବର୍ଷ ଏହି ସମୟରେ ଏହାର ପରିମାଣ ଥିଲା ୯୩୯୯ କୋଟି ଟଙ୍କା। ସ୍ବାସ୍ଥ୍ୟ ସମେତ ବିଭିନ୍ନ ସାମାଜିକ କ୍ଷେତ୍ରରେ ଜୁନ୍ ସୁଦ୍ଧା ୫୨୮୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗତ ବର୍ଷ ଏହାର ପରିମାଣ ଥିଲା ୪୨୨୫ କୋଟି ଟଙ୍କା। ସେହିପରି ଖାଦ୍ୟ ସୁରକ୍ଷା ପରି ବିଭିନ୍ନ କାର୍ଯ୍ୟକ୍ରମରେ ଜୁନ୍ ସୁଦ୍ଧା ୧୬୦୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଗତ ବର୍ଷ ଏହି ପରିମାଣ ଥିଲା ୩୦୫ କୋଟି ଟଙ୍କା।

ବିଭିନ୍ନ ଉତ୍ସରୁ ରାଜସ୍ବ ସଂଗ୍ରହ ଗତ ବର୍ଷ ତୁଳନାରେ ୨୨.୯୪ ପ୍ରତିଶତ ହ୍ରାସ ପାଇଛି। ଗତ ବର୍ଷ ପ୍ରଥମ ତିନି ମାସରେ ରାଜସ୍ବ ସଂଗ୍ରହ ୧୦,୬୪୫ କୋଟି ଟଙ୍କା ଥିଲା ବେଳେ ଚଳିତ ବର୍ଷ ଏହି ପରିମାଣ ୮୨୦୪ କୋଟି ଟଙ୍କା ରହିଛି। ଟିକସ ସଂଗ୍ରହ ୩୫% ହ୍ରାସ ପାଇଥିଲା ବେଳେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସତ୍ତ୍ବେ ଅଣଟିକସ ରାଜସ୍ବ ୩% ବୃଦ୍ଧି ପାଇଛି।

ବୈଠକରେ ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର, ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କ ସ‌େମତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର