ହରିଚନ୍ଦନପୁର: ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ହରିଚନ୍ଦନପୁର ବ୍ଲକ୍ ଧୁରୁଡ଼ିଆମ୍ବ ପଞ୍ଚାୟତ ଗସ୍ତରେ ଆସି କଲ୍ୟାଣୀ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ କରାଯାଇଥିବା କଲରା ଚାଷ ବୁଲି ଦେଖିଛନ୍ତି। ସୂଚନାଯୋଗ୍ୟ, ଏହି ପଞ୍ଚାୟତର ୨୧୦ଜଣ ମହିଳା କଲରା ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।
ଏହି ଚାଷୀଙ୍କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସୃଷ୍ଟି’ ବୈଷୟିକ ତାଲିମ ପ୍ରଦାନ କରୁଛି। ସଚିବ ଶ୍ରୀ ପାଢ଼ୀ ବୁନ୍ଦା ଜଳସେଚନ ଦ୍ୱାରା କଲରା ଚାଷ ଦେଖିଥିଲେ। ଏହାଛଡ଼ା ଶୀତଳଭଣ୍ଡାର, ସୌରଶକ୍ତି ଚଳିତ ଗଭୀର ନଳକୂପ ଏବଂ ଗାଁକୁ ବେପାରୀମାନେ ଆସି କଲରା କିଣୁଥିବା ଦେଖିଥିଲେ। ପଞ୍ଚାୟତର ମୁଣ୍ଡୁରିସାହିକୁ ସବୁଦିନିଆ ରାସ୍ତା ନଥିବାରୁ ବେପାରୀମାନେ ଏହି ସାହିକୁ କଲରା ସଂଗ୍ରହ କରିବାକୁ ଆସିବା ବେଳେ ହଇରାଣ ହେଉଥିବା ନେଇ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସଚିବଙ୍କ ସହିତ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ, କୃଷି ବିଭାଗର ଅଧିକାରୀ, ବିଡିଓ ପ୍ରଭୁକଲ୍ୟାଣ ଦାସ, ‘ସୃଷ୍ଟି’ର ସଂଯୋଜକ ଦେବୀପ୍ରସାଦ କର ପ୍ରମୁଖ ଉପସ୍ଥିତ ଥିଲେ।