କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଜଳସମ୍ପଦ ବିଭାଗରେ ପରିସ୍ଥିତି ଉଦ୍ବେଗଜନକ ହୋଇପଡ଼ିଛି। କେତେବେଳେ ଠିକାଦାରଙ୍କୁ ଧମକଚମକ ଦିଆଯାଉଛି ତ କେତେବେଳେ ମୋଟା ଅଙ୍କର ଚାନ୍ଦା ନଦେଲେ ବୋମା ପକାଇ ଉଡ଼ାଇ ଦିଆଯିବାର ଧମକ ଦେଉଛି। ଯାହାଫଳରେ, କୌଣସି ଅଧାପନ୍ତରିଆ କାମ ଆଗେଇ ପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ସଚିବ ରାଜ୍ୟ ପୁଲିସ୍ ଡିଜିଙ୍କୁ ଚିଠି ଲେଖିଛନ୍ତି। ଚିଠିର ନକଲ ମଧ୍ୟ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ନିକଟକୁ ପଠାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ସଚିବ ଶ୍ରୀ ଜେନା ଚିଠିରେ ଜଳସମ୍ପଦ ବିଭାଗ କାର୍ଯ୍ୟସ୍ଥଳୀରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇଛନ୍ତି। ଗତ ୧୭ ତାରିଖରେ କେନ୍ଦ୍ରାପଡ଼ାର ୪ଟି କାର୍ଯ୍ୟ କ୍ଷେତ୍ରରେ ଏପରି ଡନ୍ରାଜ୍ ଦେଖିବାକୁ ମିଳିଥିଲା। ଅସାମାଜିକ ତତ୍ତ୍ୱମାନେ ସେସବୁ ସ୍ଥାନରେ ବୋମାମାଡ଼ କରିଥିଲେ। ଗରଦପୁରରେ ଜଣେ ଠିକାଦାରଙ୍କ କାମରେ ଲାଗିଥିବା ମେସିନ୍ ସରଂଜାମ ଦୁର୍ବୃତ୍ତମାନେ ପୋଡ଼ି ଦେଇଥିଲେ।
ଜିଲ୍ଲାର ଡ୍ରେନେଜ୍ ଡିଭିଜନ୍ରେ ମଧ୍ୟ ଡନ୍ରାଜ୍ ତଥା ଧମକ ଚମକ ଲାଗି ରହିଛି। ୨୦୧୫-୧୬ରେ ଏପରି ଅସାମାଜିକ ତତ୍ୱଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଫଳରେ ସେମାନେ ଦବି ଯାଇଥିଲେ। କିନ୍ତୁ ପୁଣି ଯଥାସ୍ଥିତି ହୋଇଯାଇଛି ବୋଲି ସଚିବ କ୍ଷୋଭ ପ୍ରକାଶ କରିଛନ୍ତି।
ଜିଲ୍ଲାରେ ପୁନର୍ବାର ଅସାମାଜିକ ତତ୍ତ୍ୱଙ୍କ ଧମକ ଚମକ ଯୋଗୁଁ ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା, ସୁରୁଖୁରୁରେ କାମ ଶେଷ କରିବା ବ୍ୟାହତ ହେଉଛି। ଧନଜୀବନ ହାନି ଆଶଙ୍କାରେ ଠିକାଦାର, ତଳସ୍ତରର କର୍ମଚାରୀମାନେ ଭୟଭୀତ ହୋଇ କେହି ଲିଖତି ଅଭିଯୋଗ ଦେଉନାହାନ୍ତି। ଏପରି ସ୍ଥିତି ଜାରି ରହିଲେ ଆଗକୁ ସ୍ଥିତି ଅସମ୍ଭାଳ ହୋଇ ପଡ଼ିବ। ସର୍ବସାଧାରଣରେ ଲୋକଙ୍କ ମନରୁ ଭୟ ଦୂର କରିବା ଓ ଅସାମାଜିକ ତତ୍ତ୍ୱଗୁଡ଼ିକୁ ଜବତ କରିବା ଉଦ୍ଦେଶ୍ୟରେ ପୁଲିସ୍ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ନହେଲେ, ଆଗକୁ ବିଭାଗୀୟ କର୍ମଚାରୀ କିମ୍ବା ଠିକାଦାରମାନେ କାମ କରିବାକୁ ଭୟ କରିବେ ଓ କାମ୍ ବନ୍ଦ ହୋଇଯିବ ବୋଲି ସଚିବ ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/KDP-LAW-AND-ORDER-KENDRAPARA-Copy1-copy.jpg-ff.jpg)