ନାବାଳିକାଙ୍କୁ କୋର୍ଟରେ ହାଜର କରାଇବା ଘଟଣା : ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ଅଭିଯୋଗ

ବାଲିପାଟଣା : ବାଲିପାଟଣା ଥାନା ଦେଉଳିଧରପୁର ଗ୍ରାମର ଜଣେ ୮ ବର୍ଷର ନାବାଳିକା ନାମରେ ୧୦୭ ଦଫା ଲାଗିବା ଏବଂ ଗତକାଲି ଭୁବନେଶ୍ୱର ଅତିରିକ୍ତ ଡିସିପିଙ୍କ କୋର୍ଟରେ ହାଜର କରାଇବା ଘଟଣା ଭିନ୍ନ ମୋଡ଼ ନେଇଛି। ଚାଇଲ୍ଡଲାଇନ ଅଧିକାରୀ ବେଣୁଧର ସେନାପତି ଆଜି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟ୍ୟକ୍ଷାଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ଏବଂ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି।

ସୂଚନା ଅନୁସାରେ, ବନମାଳିପୁର ଫାଣ୍ଡି ଅଧୀନ ଦେଉଳିଧରପୁର ଗ୍ରାମର ଧର୍ମାନନ୍ଦ ଜେନା ଏବଂ ଅକ୍ଷୟ କୁମାର ଜେନାଙ୍କ ପରିବାର ମଧ୍ୟରେ ଗତ ଡିସେମ୍ବର ୧୫ ତାରିଖରେ ଗଣ୍ଡଗୋଳ ହୋଇଥିଲା। ଏ ନେଇ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଆଗକୁ ଗଣ୍ଡଗୋଳ ନ ବଢିବା ପାଇଁ ଉଭୟ ପରିବାରକୁ ୧୦୭ ଦଫାରେ ଲାଗୁ କରି ସମନ ଜାରି ହୋଇଥିଲା। ଏଥିରେ ୮ ବର୍ଷର ଜଣେ ନାବାଳିକାକୁ ସାମିଲ କରାଯାଇଥିଲା। ତେବେ ବାପାଙ୍କ ନାଁ ଏବଂ ଠିକଣା ଥାଇ ଉକ୍ତ ନାବାଳିକା ବୟସ ୧୯ ବର୍ଷ ଦର୍ଶାଯାଇଛି । ଧର୍ମାନନ୍ଦଙ୍କ ପରିବାର ସମନ ପାଇବା ପରେ ଗତକାଲି ଭୁବନେଶ୍ୱର ଅତିରିକ୍ତ ଡିସିପିଙ୍କ କୋର୍ଟରେ ନାବାଳିକା ଝିଅ ସହ ହାଜର ହୋଇଥିଲେ। ଅଧିକାରୀ ଘଟଣାକୁ ଭର୍ସନା କରିଥିଲେ।

ତଦନ୍ତକାରୀ ଅଧିକାରୀଙ୍କ ସ୍ବେଛାଚାରୀ ମନୋଭାବର ପ୍ରତିଫଳନ ସ୍ୱରୂପ ଏକ ୮ ବର୍ଷର ନାବାଳିକା ଉପରେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୧୦୭ ଅନୁଯାୟୀ କେସ ରୁଜୁ କରିବା ଏବଂ ପରେ ନ୍ୟାୟାଳୟରେ ତୀବ୍ର ଭର୍ସନାର ସରାଵ୍ୟ ହେବା ପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଚାଇଲଡ଼ ଲାଇନ୍‌ ଅଧିକାରୀ ବେଣୁଧର ସେନାପତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଅଧ୍ୟ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ନେଇ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି, ନିର୍ଦେଶ ଆସିଲେ ତଦନ୍ତ କରାଯିବ।

ସମ୍ବନ୍ଧିତ ଖବର