ଧର୍ମଶାଳା : ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରୁ କଳାପଥର ଚୋରି ରୋକିବା ପାଇଁ ପ୍ରଶାସନ ପୁଣି ୧୪୪ ଧାରା ଜରି କରିଛି। ତହସିଲଦାର ଦେବୀପ୍ରସାଦ ମହାନ୍ତି ଓ ଥାନାଧିକାରୀ ସରୋଜ କୁମାର ସାହୁ ବୁଧବାର ସଦଳବଳ ଏଠାରେ ପହଞ୍ଚି ନାଲି ପତାକା ଉଡ଼ାଇବା ସହିତ ପ୍ରବେଶ ନିଷିଦ୍ଧ କରିଛନ୍ତି।
ପୂର୍ବରୁ ଏଠାରେ ଗତ ୨୦୧୯ ଅଗଷ୍ଟ ୨୦ତାରିଖରେ ମଧ୍ୟ ୧୪୪ଧାରା ଜାରି କରାଯିବା ସହ ପାହାଡ଼ ପ୍ରବେଶ ପଥ ରାସ୍ତାକୁ ଖୋଳି ଦିଆଯାଇଥିଲା। ତଥାପି କଳାପଥର ଚୋରି ବନ୍ଦ ହେଉନାହିଁ। ୧୫୩ଏକର ପରିମିତ ଆରୁହା ପାହାଡ଼ରୁ ମାତ୍ର ୩ ଏକର କଳାପଥର ଖାଦାନକୁ ତ୍ରିନାଥ ଜେନାଙ୍କୁ ଦୀର୍ଘ ମିଆଦି ସୂତ୍ରରେ ଲିଜ୍ ଦିଆଯାଇଛି। ଲିଜ୍ ପ୍ରଦାନ କରାଯାଇନଥିବା ୧୫୦ଏକର ପାହାଡ଼କୁ ଖୋଳି ଶହଶହ ଟ୍ରିପ୍ କଳାପଥର ନିୟମିତ ଚୋରାଚାଲାଣ କରାଯାଉଛି। ସେହିପରି ପାହାଡ଼ ସଂଲଗ୍ନ ୩ଟି ରାସ୍ତାରେ ଫାଟକ କରାଯାଇ କଳାପଥର ଚୋରା ଚାଲାଣ କରୁଥିବା ଟ୍ରକ୍, ହାଇୱା ଓ ଟ୍ରାକ୍ଟର ଆଦି ଗାଡିଗୁଡିକରୁ ରୟାଲିଟି ନାଁରେ ବେଆଇନ ବଟି ଆଦାୟ କରାଯାଉଛି।
ପାହାଡରେ ଆଉ ୩ଟି କଳାପଥର ଖାଦାନ ପାଇଁ ଚଳିତବର୍ଷ ତହସିଲ ପକ୍ଷରୁ ନିଲାମ୍ ଡକା ଯାଇଥିଲା। ହେଲେ ଏସବୁ ସୈରାତ୍ ନିଲାମ୍ ନେବାପାଇଁ ତହସିଲ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଅର୍ଥରାଶି ମାତ୍ରାଧିକ ବୋଲି ଆଳ କରି କେହି ନିଲାମ୍ ନେଲେ ନାହିଁ ବୋଲି କୁହାଯାଉଛି। ଏଥିରେ ମଧ୍ୟ ପଥର ମାଫିଆମାନେ କାରସାଦି କରିଥିବା ଅଭିଯୋଗ ଉଠିଛି। ଯୋଜନାବଦ୍ଧ ଭାବେ ମିଳିମିଶି ଲୁଟିବା ପାଇଁ କେହି ନିଲାମ୍ ଡାକି ନଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/aruha-hill.jpg)