ଓଏମ୍‌ସି ସୁକୁରଙ୍ଗି ଖଣିରେ ୧୪୪ ଧାରା ଜାରି

ବସ୍ତିବାସିନ୍ଦା-ଖଣି କର୍ତ୍ତୃପକ୍ଷ ମୁହାଁମୁହିଁ

କାଳିଆପାଣି : ଓଡ଼ିଶା ଖଣି ନିଗମ (ଓଏମ୍‌ସି) କ୍ରୋମ୍‌ ଜୋନ ଅଧୀନ ସୁକୁରଙ୍ଗି କ୍ରୋମାଇଟ୍ ଖଣିରେ ବିସ୍ଥାପନ ଓ ଥଇଥାନକୁ ନେଇ ସାରୁଆବିଲ ଚିରୁସାହି ବସ୍ତି ବାସିନ୍ଦା ଓ ଖଣି କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଛନ୍ତି। ପ୍ୟାକେଜ୍ ଦାବିରେ ବସ୍ତିବାସିନ୍ଦା ଗତ ୮ ତାରିଖଠୁ ଏହି କ୍ରିୟାଶୀଳ ଖଣିର ଡମ୍ପିଂୟାର୍ଡ ରାସ୍ତାକୁ ଅବରୋଧ କରି ରଖିଥିଲେ। ୩୦ ରୁ ଅଧିକ ମହିଳା ଓ ପୁରୁଷ ରାସ୍ତା ଉପରେ ମାଟି ପକାଇ ଓଏମ୍‌ସିର ଖଣି କାର୍ଯ୍ୟକୁ ବିରୋଧ କରିଥିଲେ। ଫଳରେ ଖଣିର ଉତ୍ପାଦନ ଠପ୍‌ ହୋଇଯିବା ସହ ଓଏମ୍‌ସି ବ୍ୟାପକ କ୍ଷତି ସହିଥିବା ଜଣାପଡ଼ିଛି।

ଗତକାଲି କଳିଙ୍ଗନଗର ଅତିରିକ୍ତ ଏସ୍‌ପି ଜୟରାମ ଶତପଥୀ ଓ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବଳ ଖଣିକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ। ଏ କ୍ଷେତ୍ରରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସ୍‌ପି ରାହୁଲ ପିଆର୍‌ଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଆଜିଠୁ ଖଣିରେ ୧୪୪ ଧାରା ଜାରି କରାଯାଇଛି। ତହସିଲଦାର ବୁଲବୁଲ୍‌ ବେହେରାଙ୍କ ଉପସ୍ଥିତିରେ ଥାନା ଅଧିକାରୀଙ୍କ ନେତୃତ୍ବରେ ଦୁଇ ସେକ୍ସନ ପୁଲିସ ଫୋର୍ସ ଖଣି ପରିସରରେ ମୁତୟନ ହୋଇଛନ୍ତି। ଏଥିସହ ୫ ଦିନ ପରେ ଆଜିଠୁ ଏଠାରେ ଖଣି କାର୍ଯ୍ୟ ପୁଣି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର