ଶ୍ରୀରାମନବମୀ ପାଇଁ ପ୍ରଶାସନ ସତର୍କ : ଭଦ୍ରକରେ ୧୪୪ ଧାରା

୨୧ପ୍ଲାଟୁନ୍‌ ଫୋର୍ସ ମୁତୟନ, ଶତାଧିକ ଅଧିକାରୀ ନିୟୋଜିତ
ଆସନ୍ତା କାଲି ସକାଳେ ହେବ ଭୂମି ଓ ଗୋପୂଜନ

ଭଦ୍ରକ : ଶ୍ରୀରାମନବମୀ ମହୋତ୍ସବ ପାଇଁ ଭଦ୍ରକ ସହର ଚଳଚଞ୍ଚଳ ହୋଇ ଉଠିଛି। ଆସନ୍ତାକାଲି ସକାଳେ ଭୂମି ପୂଜନ ଓ ଗୋ-ପୂଜନ ଆରମ୍ଭ ହେବ। ଏଣେ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ସତର୍କ ହୋଇ ଉଠିଛି। ଭଦ୍ରକ ସହରରେ ଆଜି ସନ୍ଧ୍ୟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି। ୨୧ ଫ୍ଲାଟୁନ ଫୋର୍ସ ଓ ଶହେରୁ ଅଧିକ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ପୁଲିସ ସାରା ସହରରେ ପଇଁତରା ମାରୁଛନ୍ତି।

ସୂଚନା ମୁତାବକ ଆସନ୍ତାକାଲି ସକାଳେ ଭୂମି ଓ ଗୋପୂଜନ କାଯ୍ୟର୍କ୍ରମ ହେବ। ଗତବର୍ଷ ମହୋତ୍ସବ ବେଳେ ସହରରେ ଆଇନଶୃଂଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସହରରେ ସଦ୍‌ଭାବନା ବଜାୟ ରଖିବା ଓ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ଆହ୍ଵାନ ଦେଇଛି। ଆଜି ସନ୍ଧ୍ୟା ୬ରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସହରରେ ୧୪୪ ଧାରା ଜାରି କରାଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ସୂଚନା ଦେଇଛନ୍ତି। ସହରର ପରିସ୍ଥିତି ନେଇ ବାରମ୍ବାର ସମୀକ୍ଷା ବୈଠକ ଚାଲିଛି ଓ ଆଲୋଚନା ଜାରି ରହିଛି।

ଆସନ୍ତା କାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଭଦ୍ରକ ସହର ଉତ୍ସବ ମୁଖର ହୋଇପଡ଼ିବ। ସମାରୋହକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପୁଲିସ ପ୍ରଶାସନ ସଜାଗ ରହିଛି। ଏସପି ଅନୁପ କୁମାର ସାହୁଙ୍କ ନିର୍ଦ୍ଦେଶରେ ଗତ ୧୩ ତାରିଖ ସଂଧ୍ୟାରୁ ସହରରେ ବଜ୍ର ଗାଡି ପରିକ୍ରମା କରୁଛି। ଇତିମଧ୍ୟରେ ବିଶୃଂଖଳାକାରୀଙ୍କୁ ଚେତାଇବା ଉଦ୍ଦେଶ୍ୟରେ ୯ ପ୍ଲାଟୁନ୍‌ ଫୋର୍ସ ପ୍ଲାଗ୍‌ମାର୍ଚ୍ଚ କରିଛନ୍ତି। ବିଭିନ୍ନ ଛକରେ ୨୧ ପ୍ଲାଟୁନ୍‌ ଫୋର୍ସ ଓ ବଛା ବଛା ୧୦୦ରୁ ଊର୍ଦ୍ଧ୍ୱ ଅଧିକାରୀଙ୍କୁ ମୁତୟନ କରାଯାଇଛି। ସମ୍ବେଦନଶୀଳ ସ୍ଥାନ ଗୁଡିକ ଉପରେ ପୁଲିସ ଓ ଗୁଇନ୍ଦା ଅଧିକାରୀମାନେ ସତର୍କ ନଜର ରଖିଛନ୍ତି। ସବୁ ସଂପ୍ରଦାୟ ମଧ୍ୟରେ ଶାନ୍ତି ଓ ଭାଇଚାରା ରଖିବା ପାଇଁ ପୁଲିସ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛି। ବିଭିନ୍ନ ଶାନ୍ତି କମିଟି ଓ ଶ୍ରୀରାମନବମୀ ପୂଜା କମିଟି ସହ ଆଲୋଚନା ଜାରି ରହିଛି ବୋଲି ଭଦ୍ରକ ପୁଲିସ ଗଣମାଧ୍ୟକୁ ସୂଚନା ଦେଇଛି।

ସମ୍ବନ୍ଧିତ ଖବର