ଜନ ସମାଗମ ରୋକିବାକୁ ପଦକ୍ଷେପ : କରୋନା ସଂକ୍ରମଣକୁ ରୋକିବା ଲାଗି ୭ ଜିଲ୍ଲାରେ ୧୪୪ ଧାରା

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ଲାଗି ସୋମବାର ରାଜ୍ୟର ୭ଟି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଜନସମାଗମ ରୋକିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ଭଦ୍ରକ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ଏଥିସହିତ, ପାରାଦୀପରେ ଏବଂ ପୁରୀ ବେଳାଭୂମିରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି।

ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୋମବାର ଠାରୁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କ ଛୁଟି ବାତିଲ କରି ଦିଆ ଯାଇଥିବାବେଳେ ସଭା ଶୋଭାଯାତ୍ରା ଉପରେ ରୋକ୍‌ ଲଗାଯାଇଛି। ଭଦ୍ରକ ସମେତ ଯାଜପୁରରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛନ୍ତି। ବିରଜା ମନ୍ଦିରକୁ ଆସୁଥିବା ସମସ୍ତ ବାହାର ରାଜ୍ୟର ପର୍ଯ୍ୟଟକ ଗାଡିକୁ କୁଆଖିଆ ଠାରୁ ଫେରାଇ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଥିବା ମହାବାରୁଣୀ ସ୍ନାନ ଯାତ୍ରାକୁ ପ୍ରଶାସନ ବାତିଲ୍‌ କରିଛି। ସଂପୃକ୍ତ ଅଂଚଳରେ ୧୪୪ ଧାରା ଜାରି ହୋଇଛି। ସମଗ୍ର ଜିଲ୍ଲାରେ ମଧ୍ୟ ଏହି କଟକଣା ବଳବତ୍ତର ରହିଛି।

କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ କରୋନା ମୁକାବିଲା ପାଇଁ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲାର ସବୁ ସପିଙ୍ଗ ମଲ୍‌ ଓ ୨ଟି ବିଜ୍ଞାନ କେନ୍ଦ୍ରକୁ ବନ୍ଦ କରାଯିବା ସହିତ କପିଳାସ ମନ୍ଦିର ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ଅନୁଗୁଳରେ ଯାନିଯାତରା ଉପରେ କଟକଣା ଲଗାଇବା ପାଇଁ ୧୪୪ ଧାରା ଲାଗୁ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାରେ ଆଜି ୧୪୪ ଧାରା ଜାରି ହେବା ସହ ସମସ୍ତ ସପିଂ ମଲ, ଜିମ୍ନାସିୟମ୍‌ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଜଟଣୀ ଓ ଖୋର୍ଦ୍ଧା ପୌରାଞ୍ଚଳରେ ସମ୍ଭାବ୍ୟ ସଂକ୍ରମିତଙ୍କୁ ରଖିବାକୁ ୩୭୯ ଶଯ୍ୟାବିଶିଷ୍ଟ ୭ଟି କ୍ବାରେଣ୍ଟାଇନ୍ କେନ୍ଦ୍ର ସ୍ଥାପନ କରାଯିବା ସହ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।

କରୋନା ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାରେ ମେଳା, ଯାତ୍ରା, ସଭାସମିତି ସହ ଜନସମାଗମକୁ ନିଷିଦ୍ଧ କରିବା ପାଇଁ ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ୧୪୪(୨) ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି କରାଯାଇଛି। ସାପ୍ତାହିକ ବଜାର ଓ ଲୋକଙ୍କ ଘର ଭିତର ଛଡା ବାହାରେ କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କ ସମାଗମକୁ ପ୍ରଶାସନ ନିଷିଦ୍ଧ କରିଛି। ସେହିପରି ବିବାହ, ବ୍ରତ ଭଳି ବିଭିନ୍ନ ପାରମ୍ପରିକ ଯାନିଯାତ୍ରା, ଦଣ୍ଡନାଚ, ଅପେରାକୁ ମଧ୍ୟ ବନ୍ଦ କରାଯାଇଛି।

ଗତକାଲି ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା।

ସମ୍ବନ୍ଧିତ ଖବର