ଭୁବନେଶ୍ବର: ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାରୋ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଅଟକ ରଖିଛି। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏହି ସୂଚନା ଦେଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଆହତ ହୋଇଥିବା ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ସୁସ୍ଥ ହେବା ପରେ ଗିରଫ କରାଯିବ। ଏହା ପୂର୍ବରୁ ବାଣପୁରରେ ଏନ୍ଏସିରେ ଉତ୍ତେଜନା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ଖୋର୍ଦ୍ଧା ଉପଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ବାଣପୁର ଏନ୍ଏସିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ ରହିବ ବୋଲି ସେ କହିିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପଟରେ ବିଧାୟକ ଗାଡ଼ି ଚଢ଼ାଇବା ଘଟଣା ପରେ ସେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
ସୂଚନାଯୋଗ୍ୟ, ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିର୍ବାଚନ ମଣ୍ଡଳୀକୁ ନିଜେ ଗାଡ଼ି ଚଳାଇ ଯାଉଥିଲେ ଓ ତାଙ୍କ ଗାଡ଼ି କିଛି ବିଜେପି କର୍ମୀ ଓ ପୁଲିସ କର୍ମଚାରୀଙ୍କ ଉପରେ ଚଢ଼ିଯାଇଥିଲା। ଏଥିରେ ୧୫ ଜଣ ବିଜେପି କର୍ମୀ, ୭ ଜଣ ପୁଲିସ ଓ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସ୍ଥାନୀୟ ଲୋକଙ୍କ ଉପରେ ଗାଡ଼ି ଚଢ଼ିଯିବା ଘଟଣାର ପ୍ରତିବାଦ କରାଯାଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏ ନେଇ ହୋଇଥିବା ଅଭିଯୋଗ ଅନୁସାରେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ଚଢ଼ାଇବା ଫଳରେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଫଳରୋ ଲୋକେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଆକ୍ରମଣ କରିଥିଲେ ଓ ତାଙ୍କ ଗାଡ଼ିକୁ ବାଡେଇ ଚୁରମାର କରିଦେଇଥିଳେ। ବିଧାୟକ ଲହୁଲୁହାଣ ହୋଇ ପ୍ରଥମେ ବାଣପୁର ଓ ପରେ ଟାଙ୍ଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି।
ଏହାପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି। ବାଣପୁରରେ ଗାଡ଼ି ଚଢ଼ାଇବା ଘଟଣା ଉପରେ ପ୍ରତିକ୍ରିୟା ରଖି ବିଜେଡିର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟ ଅତି ବୀଭତ୍ସ ଏବଂ ବର୍ବରୋଚିତ। ବର୍ବାରୋଚିତ କାଣ୍ଡ ଘଟାଇବା ଦୁର୍ଭାଗ୍ୟଜନକ। ଏଭଳି କାର୍ଯ୍ୟକୁ ବିଜେଡି ତୀବ୍ର ନିନ୍ଦା କରୁଛି। ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ।। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଅତୀତରେ ଦଳ ତାଙ୍କୁ ଏଭଳି ନିଲମ୍ବନ କରିଛି। ପୁଲିସ ଏବଂ ପ୍ରଶାସନ ଦୃଢତାର ସହ କାର୍ଯ୍ୟ କରିବା ସହ ଆଇନଗତ ଭାବେ ଦୃଢତାର ସହ କାର୍ଯ୍ୟ କରିବ। ଆଶା କରୁଛୁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଡକ୍ଟର ସସ୍ମିତ ପାତ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/68765ba0-66e9-488a-856f-b80019ce0334-1.jpg)