ଭଦ୍ରକରେ୨୫ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସଂଗରୋଧ କେନ୍ଦ୍ରରେ ୧୪୪ ଧାରା

ଭଦ୍ରକ/ତିହିଡି : ପୁଣି ଜଣେ ସୁରତ ଫେରନ୍ତା କରୋନା ପଜିଟିଭ୍। ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ଆଜି କୁବେରା ପଞ୍ଚାୟତରେ ଜଣେ କରୋନା ପଜିଟିଭ୍ ବାହାରିବା ପରେ ମେଡିକାଲର ସ୍ବତନ୍ତ୍ର ଟିମ୍ ସେଠାରେ ପହଞ୍ଚି ସଂପୃକ୍ତ ଆକ୍ରାନ୍ତଙ୍କୁ କଟକର ଅଶ୍ବିନୀ ହସ୍‌ପିଟାଲକୁ ପଠାଇଥିଲେ। ଏହା ସହିତ କୁବେରାକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ଏ ଅଞ୍ଚଳର ସବୁ ସୀମା ସିଲ୍ କରାଯାଇଛି। କୁବେରା କଣ୍ଟେନମେଣ୍ଟ ଅଞ୍ଚଳକୁ ମିଶାଇ ଭଦ୍ରକରେ କଣ୍ଟେନମେଣ୍ଟ ଅଞ୍ଚଳ ୨୪ରେ ପହଞ୍ଚିଛି। ପୁଣି ଜଣେ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ତେଣୁ ସମସ୍ତ କ୍ବାରାଣ୍ଟିନ୍ ସେଣ୍ଟରରେ ୧୪୪ ଧାରାକୁ ବଳବତ୍ତର ରଖାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୂଚନାରୁ ପ୍ରକାଶ ଯେ, ପ୍ରଥମେ ଜଣେ ଦୁବାଇ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦୁଇଜଣ ଦିଲ୍ଲୀ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ କୋଲକାତାରୁ ଲୋକେ ଫେରିବା ପରେ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨ ଦିନ ହେଲା ସୁରତ ଫେରନ୍ତାଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଜିଲ୍ଲାକୁ ଫେରିଥିବା ୪୦୦ରୁ ଅଧିକ ସୁରତ ଫେରନ୍ତାଙ୍କ ନମୁନା ପରୀକ୍ଷଣ ପାଇଁ ଯାଇଛି। ଏପର୍ଯ୍ୟନ୍ତ ରିପୋର୍ଟ ଆସି ନ ଥିବାରୁ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ଜିଲ୍ଲାରେ ଭଦ୍ରକ ବ୍ଲକ ଓ ପୌରାଞ୍ଚଳରେ ୩ ପଜିଟିଭ୍ ବାହାରିଥିବା ବେଳେ ବାସୁଦେବପୁର ବ୍ଲକ ଓ ପୌରାଞ୍ଚଳରେ ୧୨ ପଜିଟିଭ୍ ବାହାରିଥିଲା। ସେହିପରି ଭଣ୍ଡାରିପୋଖରୀ ବ୍ଲକରେ ୨, ବନ୍ତ ବ୍ଲକରେ ଜଣେ, ଧାମନଗର ବ୍ଲକରେ ୪ ଓ ତିହିଡି ବ୍ଲକରେ ୩ କରୋନା ପଜିଟିଭ୍ ବାହାରିଛନ୍ତି। କେବଳ ଚାନ୍ଦବାଲି ବ୍ଲକକୁ ଛାଡ଼ି ଦେଲେ ବାକି ସବୁ ବ୍ଲକକୁ କରୋନା ଛୁଇଁଛି।

ସମ୍ବନ୍ଧିତ ଖବର