କୋରାପୁଟ: ଆନ୍ଧ୍ର ପ୍ରଦେଶର ସମିତିସଭ୍ୟ ଓ ଜିଲ୍ଲା ପରିଷଦ ନିର୍ବାଚନ ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପଟାଙ୍ଗୀ ବ୍ଲକ କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି ହୋଇଛି। ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି। ଆସନ୍ତକାଲି ଆନ୍ଧ୍ରପ୍ରଦେଶ ନିର୍ବାଚନ କରୁଥିବାବେଳେ କରୋନା ଏହି ଅଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛି। ଆଜି ଜିଲ୍ଲାରେ ୯ଜଣ କରୋନା ‌ରୋଗୀ ଚିହ୍ନଟ ହୋଇଥିବାବେଳେ ଦୁଇ ଜଣ ରୋଗୀ ପାଟୁ ସେନେରୀ ଓ ନାରେଡି ବାଲସାରେ ଚିହ୍ନଟ ହୋଇଛନ୍ତି। ଆସନ୍ତାଦିନରେ ଏହିଠାରେ ଅପ୍ରିତିକର ସ୍ଥିତି ବୃଦ୍ଧି ପାଉଥିବା ଆଶଙ୍କା କରି ଏପରି କରାଯାଇଥିବା ଜଣାପଡିଛି।

Advertisment

୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ୨୨ଟି ଗାଁରେ ୨୨ ଜଣ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଛି। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୁଲିସ ମଧ୍ୟ ମୁତୟନ ରହିବେ। ଓଡ଼ିଶାର ସୀମାନ୍ତ ଗାଁରେ ନିର୍ବାଚନ ପାଇଁ ଚେଷ୍ଟା କରୁଛି ଆନ୍ଧ୍ର ସରକାର। ଏ‌ହାସହ ଆଜି ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର, ଏଡିଏମ ଦେବେନ ପ୍ରଧାନ, କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲିଙ୍ ସହ ବହୁ ବରିଷ୍ଠ ଅଧିକାରୀ ସେଠାରେ ଉପସ୍ଥିତ ରହିଥିବା ଜଣାପଡିଛି। କୋଟିଆରେ ଅନ୍ଧ୍ର ନିର୍ବାଚନ କୁ ବିରୋଧ କରି ଗଠନ ହୋଇଥିବା ସର୍ବଦଳୀୟ କମିଟି କୋଟିଆରେ ରହିଛି। ପ୍ରଥମେ ମାଟି ପରେ ପାର୍ଟି ର ନାରା ଦେଇ କୋଟିଆରେ ଅନ୍ଧ୍ର ଓଡିଶା ସୀମାରେ ଧାରଣା ଦେଇଛନ୍ତି ସର୍ବଦଳୀୟ ନେତା। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପୋଡାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀଙ୍କ ସହ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଓ ବଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗି ସେଠାରେ ରହିଛନ୍ତି।

ଆନ୍ଧ୍ରପ୍ରଦେଶ ସରକାର ପୂରା ରାଜ୍ୟରେ ନିର୍ବାଚନ କରିବାକୁ ଯାଉଛନ୍ତି। ଏଥିପାଇଁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଓଡ଼ିଶାର କୋଟିଆରେ ମଧ୍ୟ ଭୋଟ ଗ୍ରହଣ ହେବ। ତେବେ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ କରିବାକୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ୮ ତାରିଖରେ ଭୋଟ ହେବ। କିନ୍ତୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଭୋଟ ଗଣତି କିମ୍ବା ଫଳାଫଳ ପ୍ରକାଶ ପାଇପାରିବ ନାହିଁ।

ଏନେଇ ଦାୟିତ୍ବରେ ରହିଥିବା ବରିଷ୍ଠ ପ୍ରଶାସକ ଶରତ ଧଳ କହିଛନ୍ତି ଯେ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏହାସହ ୨୨ଜଣ ବରିଷ୍ଠ ଅଧିକାରୀଙ୍କୁ ମାଜିଷ୍ଟ୍ର‌େଟ ଦାୟିତ୍ବ ପ୍ରଦାନ କରାଯାଇଛି। ଏହାସହ ପୁଲିସ ରହିବେ ବୋଲି ସେ କହିଛନ୍ତି।

ଏନେଇ ଏଏସପି ଉତ୍କଳ ରଞ୍ଜନ ଦାସ କହିଛନ୍ତି ଯେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ବଢିବା ଆଶଙ୍କା ରହିଥିବାରୁ ଏହିଠାରେ ୧୪୪ ଧାରା ଜାରି କରାଯାଇଥିବା ସେ କହିଛନ୍ତି।