ବେଦବ୍ୟାସ ପୀଠରେ ୫୦ ଘଣ୍ଟା ପାଇଁ ଧାରା ୧୪୪, କୌଣସି ଶିବ ମନ୍ଦିରରେ ହେବନି ଜାଗର-ଭଜନ ସଂଧ୍ୟା

ରାଉରକେଲା: କୋଭିଡ୍‌ ସଂକ୍ରମଣ ଆଶଙ୍କା କରି ମହାଶିବରାତ୍ରୀ ଉପଲକ୍ଷେ ପବିତ୍ର ବେଦବ୍ୟାସ ପୀଠରେ ପୂଜାଚ୍ଚର୍ନା ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। କେବଳ ପୂଜକ ହିଁ ପୂଜାର୍ଚ୍ଚନା କରିପାରିବେବୋଲି ପୂର୍ବରୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ଏହାକୁ କିନ୍ତୁ ସହଜରେ ଗ୍ରହଣ କରିପାରିନଥିଲେ ଶ୍ରଦ୍ଧାଳୁ। ତେବେ ନିର୍ଦ୍ଦେଶ ସତ୍ତ୍ବେ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶଙ୍କା କରି ଜିଲ୍ଲା ପ୍ରଶାସନ ଆଜି ଆଉ ଏକ ପଦକ୍ଷେପ ନେଇଛି।

ବେଦବ୍ୟାସ ପୀଠ ଓ ଆଖପାଖ ୫ଶହ ମିଟର ପରିମିତ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି। ଏହାଦ୍ବାରା ଶ୍ରଦ୍ଧାଳୁମାନେ ଶୈବ ପୀଠ ଓ ମେଳଣ ପଡ଼ିଆରେ ପ୍ରବେଶ କରିପାରିବେ ନାହିଁ। ପାନପୋଷ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଦୌଲତ ଚନ୍ଦ୍ରାକାର ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ବେଦବ୍ୟାସ ଶୈବ ପୀଠରେ ଆଜି ଅପରାହ୍ନ ୩ଟାରୁ ଧାରା ୧୪୪ ଲାଗୁ ହୋଇଛି। ଏହା ଆସନ୍ତା ୧୨ ତାରିଖ ୫ଟା ପର୍ଯ୍ୟନ୍ତ; ଅର୍ଥାତ୍‌ ୫୦ ଘଣ୍ଟା ଯାଏଁ ବଳବତ୍ତର ରହିବ। ନିର୍ଦ୍ଦେଶାନାମାର ଉଲ୍ଲଂଘନ ଯେଭଳି ନ ହୁଏ, ସେନେଇ ଲାଠିକଟା ତହସିଲଦାର ସ୍ବତନ୍ତ୍ର ଦୃଷ୍ଟି ରଖିବେ। ନିର୍ଦ୍ଦେଶାନାମାର କଡ଼ା ପାଳନ ପାଇଁ ବ୍ରାହ୍ମଣୀତରଙ୍ଗ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ। ମନ୍ଦିର ଭିତରକୁ ନଗଲେ ବି ବାହାରୁ ଦର୍ଶନ ପାଇଁ ଚାହିଁବସିଥିଲେ ଶ୍ରଦ୍ଧାଳୁ। ମାତ୍ର ଧାରା ୧୪୪ ଲାଗୁ ହେବାପରେ ଏହି ସୁଯୋଗ ବି ହାତଛଡ଼ା ହେବା ଜାଣି, ଶ୍ରଦ୍ଧାଳୁଙ୍କ ଗହଣରେ ନିରାଶା ଖେଳିଯାଇଛି।

ପ୍ରକାଶଥାଉକି, ବର୍ତ୍ତମାନ ଜିଲ୍ଲାରେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବାରୁ ଐତିହାସିକ ବେଦବ୍ୟାସ ମେଳା ଏଥର ମଧ୍ୟ ଆୟୋଜିତ ହେବବୋଲି ଆଶା କରାଯାଉଥିଲା। ବେଦବ୍ୟାସ ପୀଠରେ ମହାଶିବରାତ୍ରୀ ଦିନ ପୂଜାର୍ଚ୍ଚନା ସହ ବେଦବ୍ୟାସ ମେଳାର ମଜା ନେବାକୁ ସଜବାଜ ହେଉଥିବାବେଳେ ଜିଲ୍ଲା ଗତ ୨ ତାରିଖରେ ଜିଲ୍ଲା ପ୍ରଶାସନର ମାର୍ଗଦର୍ଶିକା, ହଜାର ହଜାର ଭକ୍ତଙ୍କୁ ନିରାଶ କରିଥିଲା। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ, ଆସନ୍ତାକାଲି ମହାଶିବରାତ୍ରୀ ଦିନ କେବଳ ୧୧ ଜଣ ପୂଜକ ଯଥାରୀତି ଅନୁଯାୟୀ ପୂଜାର୍ଚ୍ଚନା କରିବେ। ପୂଜାର୍ଚ୍ଚନାବେଳେ କୌଣସି ଶ୍ରଦ୍ଧାଳୁ, ମନ୍ଦିର ପରିଚାଳନା କମିଟି ସଦସ୍ୟ, ସେମାନଙ୍କର ପ୍ରିୟଜନ ମଧ୍ୟ ଉପସ୍ଥିତ ରହିପାରିବେ ନାହିଁ। ପୂର୍ବରୁ ଆର୍‌ଏସ୍‌ପି ସିଇଓ, ବିଧାୟକ ହିଁ ମହାଦୀପ ଉଠାଉଥିଲେ। କିନ୍ତୁ ଏଥର ଏହାକୁ ବି ବନ୍ଦ କରିଦିଆଯାଇଛି। ଏଥର କେବଳ ରାଉରକେଲା ତହସିଲଦାର ହିଁ ମହାଦୀପ ଉଠାଇବେ। ଏତଦ୍‌ବ୍ୟତୀତ ମେଳା, ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ କରାଯାଇଛି। କେବଳ ବେଦବ୍ୟାସ ଶୈବ ପୀଠ ନୁହେଁ, ବରଂ ପାନପୋଷ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଶିବ ମନ୍ଦିର ପରିସରରେ ଏଥର ଜାଗର ପାଇଁ ବାରଣ କରାଯାଇଛି। ମନ୍ଦିର ପରିସର ଭିତରେ ଓ ବାହାରେ ଶ୍ରଦ୍ଧାଳୁଙ୍କ ସମାବେଶ ତଥା ନାମ ସଂକୀର୍ତ୍ତନ, ଭଜନ ସଂଧ୍ୟା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ନିଷେଧ କରାଯାଇଛି।

ସମ୍ବନ୍ଧିତ ଖବର