କଟକ : ଜମିଜମା ବିବାଦ ସଂପର୍କିତ ମାମଲାରେ ସିଆରପିସିର ଧାରା ୧୪୪ରେ ପ୍ରଦାନ କରାଯାଇଥିବା କ୍ଷମତାକୁ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ହାଲୁକା ଭାବେ ପ୍ରୟୋଗ କରିବା ଉଚିତ ନୁହେଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ବିବାଦ ସଂପୂର୍ଣ୍ଣ ଭାବେ ଜମିଜମା ସଂପର୍କିତ ହୋଇଥିବା ବେଳେ ବିନା କୌଣସି କାରଣରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଧାରା ୧୪୪ରେ ନିର୍ଦ୍ଦେଶ ପ୍ରଦାନ କରୁଛନ୍ତି। ସଂପୃକ୍ତ ବିବାଦୀୟ ସ୍ଥାନକୁ ଯିବା ପ୍ରସଂଗରେ ପକ୍ଷମାନଙ୍କ ଉପରେ ମାଜିଷ୍ଟ୍ରେଟ୍ ଅଙ୍କୁଶ ଜାରି କରୁଛନ୍ତି ବୋଲି ଦର୍ଶାଇ ରୁଜୁ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି। ଯଦି କୌଣସି ମାମଲା ସଂପୂର୍ଣ୍ଣ ଭାବେ ଜମିଜମା ବିବାଦ ସହିିତ ଜଡିତ ତେବେ ଧାରା ୧୪୪ରେ ପ୍ରଦାନ କରାଯାଇଥିବା କ୍ଷମତାକୁ ମାଜିଷ୍ଟ୍ରେଟ୍ ସହଜରେ ପ୍ରୟୋଗ କରିବା ଉଚିତ ନୁହେଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଜଷ୍ଟିସ ସି.ଆର୍.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଜ୍ୟୋତିନ କୁମାର ସାହୁଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରମାକାନ୍ତ ଷଡଙ୍ଗୀ ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ମୌଜାରେ ଆବେଦନକାରୀଙ୍କ ଏକ ଜମି ରହିଛି। ଏହି ଜମିକୁ ଲାଗି ପି.ପଟ୍ଟନାୟକଙ୍କ ମଧ୍ୟ ଏକ ଜମି ରହିଛି। ପାଖ ଜମିର ମାଲିକ ତାଙ୍କ ଜମି ଉପରକୁ ଆସି ଭଙ୍ଗାରୁଜା କରିବା ନେଇ ଆବେଦନକାରୀ ନନ୍ଦନକାନନ ଥାନାରେ ୨୦୧୭, ଏପ୍ରିଲ ୨୨ରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ମାମଲା ରୁଜୁ କରି ନଥିଲା। ଅନ୍ୟପକ୍ଷରେ ପ୍ରତିପକ୍ଷ ଏ ନେଇ ଧାରା ୧୪୪ରେ ଭୁବନେଶ୍ୱର ଏଡିସିପି ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଅଦାଲତ ମାମଲାର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ପ୍ରଦାନ କରିବା ସହିତ ସ୍ଥାନୀୟ ଥାନାରୁ ରିପୋର୍ଟ ତଲବ କରିଥିଲେ। ଦୁଇ ପକ୍ଷ ମଧ୍ୟରେ ବିବାଦ ଜମି ଜମାକୁ ନେଇ ବୋଲି ଥାନା ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଥିଲା। କିନ୍ତୁ ଏହା ସତ୍ୱେ ଧାରା ୧୪୪ରେ ଅଦାଲତ ବିବାଦୀୟ ଜମି ଉପରକୁ ଯିବା ଉପରେ ଅଙ୍କୁଶ ଜାରି କରିଥିଲେ। ୨୦୧୭, ଜୁନ୍ ୨୧ର ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/hc-3.jpg)