ଯାଜପୁରସଦର/ବିଂଝାରପୁର : ଯାଜପୁର ତହସିଲର ୪ କୋଟି ୯୪ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ମାମଲାରେ ଭିଜିଲାନ୍ସ ଆଜି ଆଉ ଜଣେ ସରକାରୀ କର୍ମଚାରୀଙ୍କୁ ନିଜ ହେପାଜତକୁ ନେଇଛି। ଯାଜପୁର ଭିଜିଲାନ୍ସ ଡିଏସ୍‌ପି ସୁଶୀଲ କୁମାର ଏକ୍କାଙ୍କ ଉପସ୍ଥିତିରେ ଏକ ଟିମ୍‌ ଚଢ଼ଉ କରି ବର୍ତ୍ତମାନ ବିଂଝାରପୁର ତହସିଲରେ କାର୍ଯ୍ୟରତ ସେକ୍ସନ ଅଫିସର ଅଜୟ କୁମାର ସାହୁଙ୍କୁ ଗିରଫ କରିଛି।

Advertisment

ବୁଧବାର ପୂର୍ବାହ୍ନରେ ସେକ୍ସନ ଅଫିସର ଅଜୟ କୁମାର ସାହୁ ବିଂଝାରପୁର ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଠିକ୍ ଏତିକିବେଳେ ଯାଜପୁର ଭିଜିଲାନ୍ସ କାର୍ଯ୍ୟାଳୟର ଅଧିକାରୀମାନେ ୨ଟି ଗାଡ଼ିରେ ସେଠାରେ ପହଞ୍ଚିଥିଲେ। ତେବେ, କେହି କିଛି ଜାଣିବା ପୂର୍ବରୁ ଭିଜିଲାନ୍ସ ଅଧିକାରୀମାନେ ଅଜୟଙ୍କୁ ନିଜ ଗାଡ଼ିରେ ବସାଇ ନେଇଯାଇଥିଲେ। ପୂର୍ବରୁ ଶ୍ରୀ ସାହୁ ଯାଜପୁର ତହସିଲରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରିଥିଲେ। ଅଡିଟ ରିପୋର୍ଟ ଅନୁସାରେ, ତାଙ୍କ ସମୟରେ ୩ କୋଟି ୭୬ ଲକ୍ଷ ୬୧ ଟଙ୍କା ହେରଫେର ସାମ୍‌ନାକୁ ଆସିଥିଲା। ଏହି ଘଟଣାରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଦୃଷ୍ଟାନ୍ତମୂଳକ ହୋଇନଥିବାବେଳେ ସମାଜସେବୀ ‌ସର୍ବେଶ୍ବର ବେହୁରା ୨୦୧୯ ରେ କେସ ନଂ ୩୭୧/୨୦୧୯ଜରିଆରେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ। ସମସ୍ତ ତଥ୍ୟକୁ ବିଚାର କରି ଲୋକାୟୁକ୍ତ ୨୦୨୦ ମାର୍ଚ୍ଚ ୨୦ ରେ ଏହି ଘଟଣାକୁ ନେଇ ଭିଜିଲାନ୍ସକୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୭ ତାରିଖ ଦିନ ଯାଜପୁର ତହସିଲ ଅଧୀନରେ ୨୦୦୬ରୁ ୨୦୧୬ ମସିହା ମଧ୍ୟରେ ହୋଇଥିବା ଅର୍ଥ ହେରଫେର ଅଭିଯୋଗର ମୁଖ୍ୟ କାର୍ପଟଦାର ତଥା ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ କଟକ ଭିଜିଲାନ୍ସ ଟିମ୍‌ ଗିରଫ କରିଥିଲା। ଯାଜପୁର ତହସିଲର ଏହି ମହାଦୁର୍ନୀତିରେ ମୋଟ ୨୧ ଜଣଙ୍କ ସଂପୃକ୍ତି ରହିଥିଲାବେଳେ ୨ଜଣ ଟଙ୍କା ଫେରାଇଛନ୍ତି।