୪ କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲା: ଯାଜପୁର ତହସିଲର ସେକ୍ସନ ଅଫିସର ଗିରଫ

ଯାଜପୁର: ୨୦୦୬ରୁ ୨୦୧୬ ମସିହା ମଧ୍ୟରେ ଯାଜପୁର ତହସିଲରେ ୪ କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ଅର୍ଥ ଅପବ୍ୟବହାର ଘଟଣାରେ ଯାଜପୁର ଭିଜିଲାନ୍ସ ଦ୍ୱାରା ଅଜୟ କୁମାର ସାହୁ ଗିରଫ ହୋଇଛନ୍ତି। ଏସେ ସେ ବିଂଝାରପୁର ତହସିଲରେ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ଯାଜପୁର ତହସିଲରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରୁଥିଲେ।

ପୂର୍ବରୁ ସେହି ଘଟଣାର ମୁଖ୍ୟ କାର୍ପଟଦାର ରଜତ ରାଉତରାୟଙ୍କୁ କିଛି ଦିନ ପୂର୍ବରୁ ଭିଜିଲାନସ ଗିରଫ କରିଥିଲା। ଯାଜପୁର ତହସିଲ ୪କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଭିଜିଲାନ୍ସ ଗିରଫ କରି  କୋର୍ଟଚାଲାଣ କରିଥିଲା। ରଜତ ୬ ବର୍ଷ ହେଲା ଫେରାର ଥିଲେ। ସେ ବାରମ୍ବାର ମୋବାଇଲ ନମ୍ବର ବଦଳାଇବା ସହ ଘର ସହିତ ଯୋଗାଯୋଗ ରଖିନଥିଲେ। ଏପରିକି ନାମ ପରିବର୍ତ୍ତନ କରି ରଜତ ମହାପାତ୍ର ନାମରେ ଦ୍ବିତୀୟ ପତ୍ନୀଙ୍କ ସହିତ କଟକ ସିଡିଏରେ ଆତ୍ମଗୋପନ କରିଥିଲେ। ଭିଜିଲାନ୍ସ ଟିମ୍ ବାରମ୍ବାର ଉଦ୍ୟମ କରି ମଧ୍ୟ ରଜତଙ୍କ ପତ୍ତା ପାଉନଥିଲେ। ରଜତଙ୍କୁ ଧରିବାପାଇଁ ଭିଜିଲାନ୍ସର ସତନ୍ତ୍ର ଟିମ୍ ଗଠନ ହୋଇଥିଲା। ଗତ ୭ତାରିଖ ଭୋର ସମୟରେ ରଜତ ରହୁଥିବା ସିଡିଏର ଭଡ଼ାଘରେ ଚଢ଼ାଉ କରାଯାଇଥିଲା। ମାତ୍ର, ଅନ୍ଧାର ସୁଯୋଗରେ ଖସିଯିବାକୁ ବସିଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୦୦୬ ରୁ ୨୦୧୬ ମଧ୍ୟରେ ଯାଜପୁର ତହସିଲ‌ରେ ବିଭିନ୍ନ ବିଭାଗରୁ ଆଦାୟ ହୋଇଥିବା ରାଜସ୍ବରୁ ୪କୋଟି ୯୫ଲକ୍ଷ ଟଙ୍କା ହଡ଼ପ ‌ହୋଇଥିଲା। ଏହି ମାମଲାରେ ଯାଜପୁର ତହସିଲର ୩ଜଣ ପୂର୍ବତନ ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଗୌରହରି ବେହେରା, ମମତା ବାରିକ, ପୂର୍ବତନ ନାଜିର ଶରତ ଚନ୍ଦ୍ର ବାରିକ ଏବଂ ଅନ୍ୟମାନେ ସଂପୃକ୍ତ ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର