ବିଜୁଳି ଛାଟ: ଚତୁର୍ଥ ଦିନରେ ୩ କୋଟି ୬୨ ଲକ୍ଷ ଆଦାୟ, ୧୧୫୨ ସଂଯୋଗ ବିଚ୍ଛିନ୍ନ

ଭୁବନେଶ୍ୱର : ସେସୁ ପକ୍ଷରୁ ବକେୟା ବିଦ୍ୟୁତ ବିଲ୍‌ ଆଦାୟ ଓ ସଂଯୋଗ ବିଚ୍ଛିନ୍ନ ଅଭିଯାନର ଆଜି ଚତୁର୍ଥ ଦିନରେ ୧୧୫୨ଟି ବାଣିଜ୍ୟିକ ପ୍ରତିଷ୍ଠାନର ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଏହାସହ ୩ କୋଟି ୬୨ ଲକ୍ଷ ଟଙ୍କା ବକେୟା ବିଲ୍ ଆଦାୟ ହୋଇଛି। ୪ ଦିନରେ ଅନ୍‌ଲାଇନ୍‌ରେ ୧ କୋଟି ୧ ଲକ୍ଷ ଓ ନଗଦ ୧୮ କୋଟି ୫୩ ଲକ୍ଷ ଏଭଳି ୪ ଦିନରେ ମୋଟ ୧୯କୋଟି ୫୪ ଲକ୍ଷ ଟଙ୍କା ବକେୟା ରାଶି ଆଦାୟ ହୋଇଛି ଏବଂ ୬ହଜାର ୨୭୫ଟି ବିଜୁଳି ସଂଯୋଗ ବିଚ୍ଛିନ୍ନ କାରାଯାଇଛି। ଆଜି ବକେୟା ରାଶି ଆଦାୟ କରିବା ପାଇଁ ୪୭୮ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ୨୪୭ଟି ସେକ୍ସନରେ ୮ ହଜାର ୮୮୦ ବାଣିଜ୍ୟିକ ପ୍ରତିଷ୍ଠାନରେ ଚଢ଼ଉ କରିଥିଲେ। ଆଜି ସୁଦ୍ଧା ୪୦ ହଜାର ୪୦୬ଟି ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ଚଢ଼ଉ ସରିଥିବା ସେସୁ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହା ଯାଇଛି।

ବାକି ପଡ଼ିଥିବା ଅର୍ଥ ଜମା କରିବାକୁ ଲୋକମାନଙ୍କର ଆଗ୍ରହ ଦେଖି ଆଜି ରବିବାର ସମସ୍ତ ଡିଭିଜନ ଓ ସେକ୍ସନ କାର୍ଯ୍ୟାଳୟ ଖୋଲା ରହିଥିଲା। ଅନ୍ୟ ଦିନ ଅପେକ୍ଷା ଆଜି ହିଁ ଅଧିକ ଉପଭୋକ୍ତା ବିଜୁଳି ବିଲ୍‌ ଜମା କରିବା ପାଇଁ ଧାଡ଼ି ବାନ୍ଧିଥିବା ପରିଲକ୍ଷିତ ହୋଇଥିଲା। ଆଜିର ଅଭିଯାନରେ ମାର୍ଶାଘାଇ କେଇଡି-୨ରେ ସର୍ବନିମ୍ନ ୬ଟି ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ସର୍ବନିମ୍ନ ୨ ଲକ୍ଷ ୩୪ ହଜାର ଆଦାୟ ହୋଇଥିଲା। ଢେଙ୍କାନାଳରେ ସର୍ବାଧିକ ୧୨୧ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ଭୁବନେଶ୍ବର ବିସିଡିଡି-୨ ଅଞ୍ଚଳରେ ସର୍ବାଧିକ ୫୧ ଲକ୍ଷ ୨୬ ହଜାର ଟଙ୍କା ବକେୟା ରାଶି ଆଦାୟ ହୋଇଛି।

ସମ୍ବନ୍ଧିତ ଖବର