ବାରିପଦା/ଉଦଳା-୧: ଶିମିଳିପାଳର କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଗୋଟିଏ ରାତିରେ ପାଦରେ ଦଳିଦେ‌ଲେ ଶିକାରୀ। ବନ ବିଭାଗ ଓ ସଶସ୍ତ୍ର ପୁଲିସ ପହରାକୁ ଫୁ’ କରି ଦେଶୀ ବନ୍ଧୁକ, ଧନୁତୀର, ବର୍ଚ୍ଛା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଦଳବଳ ସହ ଖାଲି ଅଭୟାରଣ୍ୟରେ ପଶିଲେନି, ଅଖଣ୍ଡ ଶିକାର ବି କଲେ। ଖବର ପାଇ ସୁରକ୍ଷା ବଳ ଚଢ଼ଉ କରିବାରୁ ମାତ୍ର ୯ ଜଣ ଧରାପଡ଼ିଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇ ଖସି ପଳାଇଛନ୍ତି। ଶୁକ୍ରବାର ରାତିରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଜେନାବିଲା ରେଞ୍ଜରେ ଏମିତି ଆତଙ୍କ ଖେଳାଇଥିଲେ ୪୦ରୁ ଊର୍ଦ୍ଧ୍ବ ଶିକାରୀ।

Advertisment

ଉଦଳା ଥାନା ଅନ୍ତର୍ଗତ ଉପରତାଳଡ଼ିହା, ଜାମଡ଼ିହା ଓ ଖଲିଡ଼ିଆ ଗାଁର ୪୦ରୁ ଅଧିକ ଶିକାରୀ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଧରି ଜେନାବିଲ ରେଞ୍ଜ ଅଧୀନ ଜଙ୍ଗଲରେ ପଶି ଶିକାରରେ ମାତିଥିଲେ। ପ୍ରାୟ ୪୦ କେଜି ଓଜନର ଏକ ସମ୍ବରକୁ ମାରିବା ପରେ ମାଂସ କାଟି ବ୍ୟାଗ୍‌ରେ ଭର୍ତ୍ତି କରିଥିଲେ ଓ ନୂଆ ଶିକାର ସନ୍ଧାନରେ ଥିଲେ। ଏହି ସମୟରେ ଶିମିଳିପାଳ ଏସ୍‌ଟିପିଏଫ୍‌ କୌଣସି ସୂତ୍ରରୁ ଖବର ପାଇ ପୋଡ଼ାଡ଼ିହା ଓ ଡୁକୁରା ରେଞ୍ଜର ବନ କର୍ମଚାରୀଙ୍କୁ ଧରି ଶିକାରୀମାନଙ୍କୁ ଚାରିପଟୁ ଘେରି ଯାଇଥିଲେ। ହେଲେ ଅନ୍ଧାରର ସୁଯୋଗ ନେଇ ୩୧ ଜଣ ଖସି ପଳାଇଥିବା ବେଳେ ୯ ଜଣଙ୍କୁ ମାଡ଼ି ବସିଥିଲା ଏସ୍‌ଟିପିଏଫ୍। ସେମାନଙ୍କ ପାଖରୁ ୯ଟି ଦେଶୀ ବନ୍ଧୁକ ସହ ୩୦ କିଲୋ ସମ୍ବର ମାଂସ ଜବତ କରାଯାଇଛି। ଧରାପଡ଼ିଥିବା ଶିକାରୀମାନେ ହେଲେ ଅଞ୍ଜନ କୁମାର ସିଂ (୨୮), ଲୁଗୁ ମାହାଲି (୩୫), ମୋଚିରାମ ସୋରେନ୍‌ (୪୦), ତୁରାମ ସିଂ (୩୫), ଫକୀରମୋହନ ସିଂ (୨୦), ସୋମୟ ସୋରେନ (୨୮), ରାଇସେନ ମୁର୍ମୁ (୨୦), ମଙ୍ଗଲ ସିଂ (୩୦) ଓ ସତାତନ ମାହାଲି (୪୫। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଶିମିଳିପ‌ାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ।

ଗତବର୍ଷ ଶିକାରୀଙ୍କ ଗୁଳିରେ ୨ ଜଣ ବନ କର୍ମଚାରୀ ପ୍ରାଣ ହରାଇବା ପରେ ଶିମିଳିପାଳ ସୁରକ୍ଷାକୁ ପ୍ରାଥମିକତା ଦେଇଥିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର। ଅଭୟାରଣ୍ୟ ସୁରକ୍ଷାରେ ପୁଲିସ ଫୋର୍ସ ମୁତୟନ, ବନ କର୍ମଚାରୀଙ୍କୁ ବନ୍ଧୁକ, ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ସହିତ ଆଭ୍ୟନ୍ତରୀଣ ଅଞ୍ଚଳରେ ସହଜରେ ପହଞ୍ଚିବା ପାଇଁ ‘କ୍ୟାମ୍ପର୍‌’ ଭଳି ଅତ୍ୟାଧୁନିକ ଜିପ୍‌ ପ୍ରଦାନ କରାଯାଇଛି। ଏହାଛଡ଼ା ଜଙ୍ଗଲ ପାଖ ଗାଁଗୁଡ଼ିକରେ ବ୍ୟାପକ ତଲାସି କରାଯାଇ ବର୍ଷକ ମଧ୍ୟରେ ୫ ଶହରୁ ଅଧିକ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଏହା ସତ୍ତ୍ବେ ଶୁକ୍ରବାର ରାତିର ଘଟଣା ଶିମିଳିପାଳ ସୁରକ୍ଷାରେ ଏବେ ବି ତ୍ରୁଟି ଥିବାର ପ୍ରମାଣ ଦେଉଛି।