ଭୁବନେଶ୍ବର: ଡିଜିପି-ଆଇଜିପି ସମ୍ମିଳନୀର ଆଜି ଥିଲା ଦ୍ବିତୀୟ ଦିବସ। ଆଜିର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତି ଥିଲା ଗୁରୁତ୍ବପୂର୍ଣ୍ଣ। ପୁଲିସ ବିଭାଗର ସମସ୍ତ ମୁଖିଆଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଭ୍ୟନ୍ତରୀଣ ସୁରକ୍ଷା, ପୁଲିସ ବ୍ୟବସ୍ଥା ଓ ସୁରକ୍ଷା ଉପରେ ଗୁରୁମନ୍ତ୍ର ଦେଇଥିଲେ। କେବଳ ସେତିକି ନୁହେଁ, ଅପରାଧ କ୍ଷେତ୍ରରେ ଶୂନ ସହନଶୀଳ ନୀତି ଅବଲମ୍ବନ କରିବାଲାଗି ପ୍ରଧାନମନ୍ତ୍ରୀ ରୋକ୍‌ଠୋକ୍ ଜଣାଇଥିଲେ। ଅନ୍ୟପକ୍ଷରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତକୁ ସୁରକ୍ଷିତ ରଖିବା ଲାଗି ଯେ କୌଣସି ସ୍ତର ପର୍ଯ୍ୟନ୍ତ ଯିବାକୁ ହେବ। ବିଶେଷକରି ଆତଙ୍କବାଦକୁ ଦମନ କରାଯିବ। ଅନୁରୂପ ଭାବେ ଆଭ୍ୟନ୍ତରୀଣ ସୁରକ୍ଷାକୁ ବିଗାଡୁଥିବା ଶକ୍ତିକୁ ଦମନ କରିବା ଲାଗି ପୁଲିସ ଫୋର୍ସକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ପ୍ରତି ରାଜ୍ୟ ପୁଲିସ ମଧ୍ୟରେ ସହଯୋଗ ହିଁ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବ ବୋଲି ଶ୍ରୀ ଶାହ କହିଥିଲେ। 

Advertisment

ଯୋଗରୁ ଆରମ୍ଭ ହୋଇ ୧୩ ଘଣ୍ଟା ଧରି ଚାଲିଲା

ଏହି ସମ୍ମିଳନୀର ଦ୍ବିତୀୟ ଦିନର ଅଧିବେଶନ ଆଜି ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଥିଲା। ପ୍ରଥମେ ଯୋଗ କରିଥିଲେ ପୁଲିସ ମହାନିର୍ଦ୍ଦେଶକ ଓ ମହାନୀରିକ୍ଷକମାନେ। ପରେ ସକାଳ ୮ଟା ବେଳକୁ ପ୍ରଧାନମନ୍ତ୍ରୀ ରାଜଭବନରୁ ବାହାରି ବୈଠକସ୍ଥଳରେ ପହଞ୍ଚିଥିଲେ। ଆରମ୍ଭ ହୋଇଥିଲା ମାନସମନ୍ଥନ। ରାତି ୭ଟା ପର୍ଯ୍ୟନ୍ତ ଚାଲିଥିଲା ତନାଘନା ଆଲୋଚନା। ଶ୍ରୀ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌ ବାଂଲାଦେଶୀ ଅନୁପ୍ରବେଶ ରୋକିବା,  ୨୦୨୬ ସୁଦ୍ଧା ମାଓମୁକ୍ତ ଦେଶ ପରିକଳ୍ପନା ସଂପର୍କରେ କୌଶଳ ନିର୍ଣ୍ଣୟ କରିଥିଲେ।  କେବଳ ସେତିକି ନୁହେଁ, ସାଇବର ଅପରାଧକୁ କିଭଳି ରୋକିବାକୁ ହେବ ଏବଂ ସାଇବର ପୁଲିସ ବ୍ୟବସ୍ଥାକୁ କିଭଳି ଅଧିକ ଶକ୍ତିଶାଳୀ କରାଯିବ, ତାହା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ପୁଲିସ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଲାଗି ଭିତ୍ତିଭୂମି ପ୍ରତିଷ୍ଠା କରିବା ଓ ଅତ୍ୟାଧୁନିକ ଯନ୍ତ୍ରପାତି ଓ ତାଲିମ ଯୋଗାଇବାକୁ ସରକାର ସବୁ ସହଯୋଗ କରିବେ ବୋଲି ଜଣାଇଥିଲେ। ଏହି ଅବସରରେ କିଛି ପୁଲିସ ଅଧିକାରୀ ନୂଆ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ବୈଠକର ନିଷ୍ପତ୍ତି ସଂପର୍କରେ କିନ୍ତୁ ସରକାରୀ ଭାବେ କିଛି କୁହାଯାଇନାହିଁ।

ପୁଣି ଧମକ ଦେଲା ପନ୍ନୁ, ଡିସେମ୍ବର ୧ ଡି ଡେ

ଭୁବନେଶ୍ବର: ଭୁବନେଶ୍ବରରେ ଚାଲିଥିବା ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀକୁ ଖଲିସ୍ତାନୀ ଆତଙ୍କୀ ଗୁରୁପତଵନ୍ତ ସିଂ ପନ୍ନୁ ପୁଣି ଧମକ ଦେବା ଅଭିଯୋଗ ପରେ ପୁଲିସ ଚିନ୍ତା ବଢ଼ିଛି।  ରାଜ୍ୟର ଦୁଇଜଣ ବରିଷ୍ଠ ସାମ୍ବାଦିକଙ୍କ ପାଖକୁ ଇ-ମେଲ୍‌ ଓ ଅଡିଓରେ ଆସିଛି ପନ୍ନୁର ଧମକ। ପୂର୍ବରୁ ଭୁବନେଶ୍ବରକୁ ଟେରର୍‌ ସିଟି କହିଥିବା ପନ୍ନୁ ଏଥର ଡିସେମ୍ବର୧ କୁ ଡି ଡେ ଘୋଷଣା କରିଛି। ଡି ଡେ କ’ଣ ବୋଲି ବୁଝାପଡ଼ୁ ନଥିଲେ ହେଁ ଏହା ଖଲିସ୍ତାନୀ ଆତଙ୍କବାଦୀ ସଂଗଠନର କୌଣସି ବଡ଼ଧରଣର ଭୟଙ୍କର ଅପରେସନ୍‌ ବୋଲି ଚର୍ଚ୍ଚା ହେଉଛି। ସେହିଭଳି ଡିସେମ୍ବର ୧ତାରିଖ ଦିନ ଭୁବନେଶ୍ବର ବିମାନବନ୍ଦରରୁ ଉଡ଼ାଣ ବନ୍ଦ କରିବାକୁ ପନ୍ନୁ ଚେତାବନୀ ଦେଇଛି। ସେଦିନ କୌଣସି ବିମାନ ଉଡ଼ାଣ କଲେ, ପରିଣତି ଭୟଙ୍କର ହେବ ବୋଲି ତା’ର ଧମକପୂର୍ଣ୍ଣ ବାର୍ତ୍ତାରେ ରହିଛି। ଏଥିସହିତ କୌଣସି ବ୍ୟକ୍ତି ଭୁବନେଶ୍ବରରେ ଖଲିସ୍ତାନୀ ପତାକା ଉଡ଼ାଇଲେ, ତାକୁ ପୁରସ୍କାର ଆକାରରେ ୨୫ ଲକ୍ଷ ଟଙ୍କା ମିଳିବ ବୋଲି ସେ ଅଡିଓ ବାର୍ତ୍ତାରେ କହିଛି। 

ଡିଜି-ଆଇଜି ସମ୍ମିଳନୀକୁ ଟାର୍ଗେଟ୍‌ କରି ପନ୍ନୁ ଦେଇଥିବା ଦ୍ବିତୀୟ ଧମକକୁ ଗୁରୁତ୍ବର ସହ ନେଇଛି ପୁଲିସ। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଓ ସାଇବର ପୁଲିସ ଇ-ମେଲ୍‌ ଓ ଅଡିଓକୁ ନେଇ ଖୋଳତାଡ଼ ଆରମ୍ଭ କରିଦେଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଏନ୍‌ଏସ୍‌ଏ ଅଜିତ୍‌ ଡୋଭାଲ୍‌ ଭୁବନେଶ୍ବରରେ ଅଛନ୍ତି। ତେଣୁ ପନ୍ନୁର ଧମକକୁ ଦେଶର ସୁରକ୍ଷା ଦାୟିତ୍ବରେ ଥିବା ସମସ୍ତ ସଂସ୍ଥା ଗୁରୁତ୍ବର ସହ ନେଇଛନ୍ତି। ଆଜି ସକାଳେ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଏହି ମେଲ୍ ଆସିଥିଲା। ହଠାତ୍ ଏଭଳି ଏକ ମେଲ୍‌ ଦେଖି ସେ ଭୟଭୀତ ହୋଇପଡ଼ିଥିଲେ। ତୁରନ୍ତ ସେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂଙ୍କୁ ଜଣାଇଥିଲେ। ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ମେଲ୍‌କୁ ମଧ୍ୟ ଅନୁରୂପ ମେଲ୍ ଆସିଛି। ଏହାପରେ ଆରମ୍ଭ ହୋଇଥିଲା ତନାଘନା। ଖଲିସ୍ତାନୀ ଆତଙ୍କୀ ପନ୍ନୁ ଏହି ମେଲ୍‌ ପଠାଇଛି ନା ଏହା ପଛରେ ଆଉ କିଏ ଅଛି ଏବଂ ମେଲ୍‌ଟି କେଉଁଠୁ ଆସିଛି, ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଥିଲା। ଆଇପି ଆଡ୍ରେସ୍‌ ନେଇ ଯାଞ୍ଚ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ୍‌। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପନ୍ନୁର ଧମକପୂର୍ଣ୍ଣ ମେସେଜ୍‌ରେ ଓଡ଼ିଆ ଥମ୍ବନେଲ୍ ରହିଛି। ଏହାକୁ ନେଇ ତଦନ୍ତକାରୀ ଟିମ୍‌ର ସନ୍ଦେହ ବଢ଼ିଛି। ଏହା ଏକ ଫେକ୍‌ ମେଲ୍‌ କି? କେହି ଦୁଷ୍ଟବୁଦ୍ଧି ପ୍ରୟୋଗ କରି ଏଭଳି କରିଛି କି? ଆତଙ୍କୀ ପନ୍ନୁ ପାଇଁ ଓଡ଼ିଶାରେ କିଏ କାମ କରୁଛି କି? ପନ୍ନୁର ନେଟ୍‌ୱର୍କ  କ’ଣ ଓଡ଼ିଶାକୁ ଲମ୍ବିଛି କି? ଦେଶରେ ଛପି ରହିଥିବା ଖଲିସ୍ଥାନୀ ଆତଙ୍କୀଙ୍କ ସ୍ଲିପର୍‌ ସେଲ୍‌ ଏଭଳି କରି ସରକାରକୁ ଭୟଭୀତ କରାଉଛନ୍ତି କି? ଏଭଳି ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି  କ୍ରାଇମ୍‌ବ୍ରାଞ୍ଚ ଟିମ୍। 

ତଦନ୍ତ କରୁଥିବା ଟିମ୍‌ର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ବରିଷ୍ଠ ସାମ୍ବାଦିକଙ୍କ ପାଖକୁ ଏହି ମେଲ୍‌ ଆସିଥିବା ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ ହୋଇଯାଇଛି। ପୂର୍ବରୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ଦେଇଥିଲା। ପ୍ରଥମ ଥର ଭିଡିଓ ବାର୍ତ୍ତାରେ ଧମକ ଆସିଥିଲା। ଆଜି ପୁଣି ଦ୍ବିତୀୟ ଥର ପାଇଁ ଧମକ ମିଳିଛି। ଏହାକୁ ହାଲୁକା ଭାବେ ନିଆଯାଇ ନ ପାରେ। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ସେହିଭଳି ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି ଡିଜି-ଆଇଜି ସମ୍ମିଳନୀ ପାଇଁ ଯେକୌଣସି ପ୍ରକାର ଚ୍ୟାଲେଞ୍ଜ୍‌କୁ ପୁଲିସ ସାମ୍ନା କରିବାକୁ ପ୍ରସ୍ତୁତ ରହିଛି। ସହର ସାରା ହାଇଆଲର୍ଟ ଜାରି ହୋଇଛି ଏବଂ କୌଣସି ଅଘଟଣକୁ ଠିକଣା ଭାବେ ମୁକାବିଲା କରାଯିବ।