ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସ ତରଫରୁ ନକ୍ସଲଙ୍କ ଏକ ବଡ଼ଧରଣର ଆକ୍ରମଣକୁ ଭଣ୍ଡୁର କରାଯାଇଛି। ନକ୍ସଲଙ୍କ ସହିଦ ସପ୍ତାହ ପାଳନକୁ ଆଉ ତିନି ଦିନ ରହିଥିବା ବେଳେ ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏକ ବଡ଼ଧରଣର ହଇଚଇ ସୃଷ୍ଟି କରିବାର ଯୋଜାନ କରିଥିଲେ ନକ୍ସଲ।

Advertisment

ଆଜି ସକାଳୁ ୨୧୯ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ ପାର୍ଥୋ ଘୋଷଙ୍କ ନେତୃତ୍ବରେ ଏକ ଟିମ ଭେଜ୍ଜି ଏବଂ କୋତାବେରୁ ମଧ୍ୟରେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ରାସ୍ତାର ଏକ କଲଭର୍ଟ ଆଗରେ ନକ୍ସଲ ରାସ୍ତର ଗୋଟିଏ ପଟେ ମାଟି ତଳେ ସୁଡଙ୍ଗ ଖୋଳୁଥିଲେ। ଏହି ସୁଡଙ୍ଗରେ ନକ୍ସଲ ବୋମା ଖଞ୍ଜି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଥାନ୍ତେ।

ତେବେ ସର୍ଚ୍ଚ ଅପରେସନ ବେଳେ ଯବାନ ଏହି ସୁଡଙ୍ଗକୁ ଦେଖିବା ପରେ ହତବାକ ହୋଇଯାଇଥିଲେ। ତୁରନ୍ତ ଏହି ଅଂଚଳକୁ ସିଲ କରିବା ସହ ମୁରୁମ ମାଟି ଆଣି ପୁଣି ସୁଡଙ୍ଗକୁ ବନ୍ଦ କରିଦେଇଥିଲେ। ଏକ ବଡ଼ଧରଣର ଅଘଟଣକୁ ଏଡାଇ ଦିଆଯାଇଥିବା କମାଣ୍ଡାଣ୍ଟ ଶ୍ରୀ ଘୋଷ କହିଛନ୍ତି। ନକ୍ସଲ ଏବେ ଘାଇଲା ବାଘ ଭଳି ଘୁରି ବୁଲୁଛନ୍ତି।ଯବାନଙ୍କ ଟିକେ ବି ଦୁର୍ବଳ କିମ୍ବା ଖାମଖିଆଲି ଦେଖାଇଲେ ନକ୍ସଲ ଆକ୍ରମଣ କରିବାକୁ ପଛେଇବେ ନାହିଁ ବୋଲି କୁହାଯାଇଛି। ସହିଦ ସପ୍ତାହରେ ନକ୍ସଲ ରକ୍ତମୁଖା ହୁଅନ୍ତି।ତେଣୁ ଯବାନ ଅତି ସତର୍କତାର ସହ ନକ୍ସଲ ଦମନ ଅଭିଯାନକୁ କରିବାକୁ ପଡ଼ିବ ବୋଲି ଗୁଇନ୍ଦା ପକ୍ଷରୁ ସତର୍କ କରାଯାଇଛି।