ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଗୁଳିରୁ ବର୍ତ୍ତିବା ପାଇଁ ଛତିଶଗଡ଼ରୁ ଖସି ଓଡ଼ିଶା ପଶିବା ସମୟରେ ଫସିଗଲେ ଆମ୍ବୁସ୍ରେ। ସାବେରୀ ନଦୀ ପାର୍ ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି ଜଣେ ନକ୍ସଲ। ଅନ୍ଧାରର ସୁଯୋଗ ନେଇ ୧୫ରୁ ଅଧିକ ନକ୍ସଲ ଘଞ୍ଚ ଜଙ୍ଗଲରେ ଆତ୍ମଗୋପନ କରିଛନ୍ତି। ଏସ୍ଓଜି ଏବଂ ଡିଭିଏଫ୍ ଯବାନ ଚାରିପଟୁ ଘେରି ସର୍ଚ ଅପରେସନକୁ ଜୋର୍ଦାର କରିଛନ୍ତି।
ଛତିଶଗଡ଼ରେ ନକ୍ସଲ ଦମନ ଅଭିଯାନ ଜୋର୍ଦାର ହେବାପରେ ଲୁଚିବାକୁ ସୁଦ୍ଧା ସ୍ଥାନ ମିଳୁନି। ବଞ୍ଚିବା ପାଇଁ ଜୀବନ ବିକଳରେ ନକ୍ସଲ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛନ୍ତି। ଦୁଇ ଦିନ ତଳେ ଗୋଟିଏ ପଟୁ ନକ୍ସଲଙ୍କୁ ଘଉଡ଼ାଇବା ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ। ସବୁ ରାସ୍ତା ବନ୍ଦ ହୋଇଯିବାରୁ ଓଡ଼ିଶା ମୁହାଁ ହେବା ବ୍ୟତୀତ ଆଉ କୌଣସି ବିକଳ୍ପ ନଥିଲା। ରାତିରେ ଛତିଶଗଡ଼ ସୀମା ଅତିକ୍ରମ କରିବାକୁ ନକ୍ସଲ ନିଷ୍ପତ୍ତି ନେଇଥିଲେ। ତେବେ ଗୁଇନ୍ଦା ସୂତ୍ରରୁ ଏହି ଖବର ପ୍ରାୟ ୧୨ଘଣ୍ଟା ପୂର୍ବରୁ ହିଁ ମାଲକାନଗିରି ପୁଲିସକୁ ମିଳିଯାଇଥିଲା।
ତେଣୁ ଏମ୍ଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡ଼ା ନିକଟସ୍ଥ ସାବେରୀ ନଦୀ କୂଳରେ ଏସ୍ଓଜି ଏବଂ ଡିଭିଏଫ୍ ଯବାନ ଜାଲ ବିଛାଇ ବସିଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏରେ ୧୫ରୁ ଅଧିକ ନକ୍ସଲ ନଦୀ ଅତିକ୍ରମ କରୁଥିଲେ। କୂଳରେ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ନକ୍ସଲ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯାହାର ପାଲଟା ଜବାବ ଦିଆଯିବାରୁ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଥିଲା। ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିଥିଲା। ତେବେ ଅନ୍ଧାରର ସୁଯୋଗ ନେଇ ଘଞ୍ଚ ଜଙ୍ଗଲରେ ଲୁଚି ଯାଇଥିଲେ ନକ୍ସଲ।
ଏନ୍କାଉଣ୍ଟରରେ ଜଣେ ନକ୍ସଲ ନିହତ
ଯବାନଙ୍କ ଆମ୍ବୁସ୍ରେ ଫସିଲେ
ଛତିଶଗଡ଼ରୁ ଓଡ଼ିଶା ଆସୁଥିଲେ
ଗୁରୁତର ଯବାନଙ୍କୁ ଏୟାର୍ ଲିପ୍ଟ
ଗୁଳି ବିନିମୟ ସଂପୂର୍ଣ୍ଣ ବନ୍ଦ ହେବାପରେ ସର୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରୁ ଜଣେ ନକ୍ସଲଙ୍କ ମୃତଦେହ ମିଳିଥିଲା। ଅନ୍ୟପକ୍ଷରେ ନକ୍ସଲଙ୍କ ଗୁଳିରେ ଜଣେ ଡିଭିଏଫ୍ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଶରୀରରୁ ଗୁଳି ନ ବାହାରିବାରୁ ହେଲିକପ୍ଟର ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା। ନିହତ ନକ୍ସଲଙ୍କ ପରିଚୟ ମିଳିପାରିନି। ତେବେ ଆଖପାଖ ଅଞ୍ଚଳରେ ନକ୍ସଲଙ୍କ ସନ୍ଧାନ ଚାଲିଛି। ଏପରିକି ବିଏସ୍ଏଫ୍ ଯବାନଙ୍କୁ ମଧ୍ୟ ଅପରେସନ୍ରେ ସାମିଲ କରାଯାଇଛି। ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯିବା ସହ ସମ୍ଭାବ୍ୟ ସ୍ଥାନରେ ଚଢ଼ଉ ଜାରି ରହିଛି।
ବହୁଦିନ ପରେ ମାଲକାନଗିରି ଜିଲ୍ଲାରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ତେବେ ଏମାନେ ଛତିଶଗଡ଼ କ୍ୟାଡର ନକ୍ସଲ ହୋଇଥିବାରୁ ଆତ୍ମଗୋପନ ପାଇଁ ଓଡ଼ିଶାରେ ପଶିଥିଲେ। ଏଥିରୁ ଛତିଶଗଡ଼ରେ ନକ୍ସଲ ଅପରେସନ୍ର ବଡ଼ ସଫଳତା ନେଇ ସଂକେତ ମିଳୁଛି। ସେହିପରି ଗୁଇନ୍ଦା ବିଭାଗ ସତର୍କ ରହିଥିବାରୁ ଏହି ଅପରେସନ୍ରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଘଟଣାସ୍ଥଳରୁ ତିନିଟି ବନ୍ଧୁକ ସହ ବିସ୍ଫୋରକ ଜବତ ହୋଇଛି। ଅପରେସନ୍ ସାରି ଯବାନ ଫେରିବା ପରେ ସବିଶେଷ ବିବରଣୀ ଦିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ନକ୍ସଲ କ୍ୟାମ୍ପରୁ ବନ୍ଧୁକ ଓ ବିପୁଳ ସାମଗ୍ରୀ ଜବତ
ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଦୁଇ ରାଜ୍ୟ ପୁଲିସର ମିଳିତ କମ୍ବିଂ ଅପରେସନ୍ ବେଳେ ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ସେଠାରୁ ଏକ ଦେଶୀ ବନ୍ଧୁକ ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ଓଡ଼ିଶାର ନୂଆପଡ଼ା ଓ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଜିଲ୍ଲା ସୀମାନ୍ତରେ ମାଓବାଦୀମାନେ କ୍ୟାମ୍ପ ତିଆରି କରି ରହୁଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଗୁରୁବାର ନୂଆପଡ଼ା ଜିଲ୍ଲାର ୫ଟି ଏସ୍ଓଜି ଟିମ୍ ସହ ନବରଙ୍ଗପୁର ଜିଲ୍ଲା ଓ ପଡୋଶୀ ଛତିଶଗଡ଼ ରାଜ୍ୟର ଯବାନ ସାମିଲ ହୋଇ ଦୁଇ ରାଜ୍ୟ ସୀମାନ୍ତରେ କମ୍ବିଂ ଅପରେସନ୍ କରିଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ତଲାସି ଅଭିଯାନ ସମୟରେ କ୍ୟାମ୍ପରୁ ଏକ ଦେଶୀ ବନ୍ଧୁକ ସହ ବହୁ ରାସନ ଓ ମାଓ ସାମଗ୍ରୀ ଜବତ କରାଯାଇଛି। ଏବେ ବି ନୂଆପଡା ଜିଲ୍ଲାର ଏସ୍ଓଜି ଟିମ୍ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ନୂଆପଡ଼ା ଏସପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/22/lKvZvtrFF4dIioMqZCG8.jpg)