ସିକ୍ୟୁରିଟି ଗାର୍ଡ଼ ଦେଖୁଛନ୍ତି ରୋଗୀ

ହିଞ୍ଜିଳିକାଟୁ : ଡାକ୍ତରଖାନାରେ ନଥିଲେ ଡାକ୍ତର। ଶେଷରେ ରୋଗୀଙ୍କ ସେବାରେ ଲାଗି ପଡ଼ିଲେ ଡାକ୍ତରଖାନାର ସୁରକ୍ଷା ଦାୟିତ୍ବରେ ଥିବା ସିକ୍ୟୁରିଟି ଗାର୍ଡ଼। ଶୁଣିବାକୁ ବିଶ୍ବାସ ଲାଗୁ ନଥିଲେ ବି ସତ। ଏ ଘଟଣା ପୁଣି ଆଉ କେଉଁଠି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହରରେ ଥିବା ଉପଖଣ୍ଡ ଡାକ୍ତରଖାନାରୁ ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ସରକାରଙ୍କ ସମସ୍ତ ଯୋଜନା କେମିତି କାର୍ଯ୍ୟକାରୀ ହେଉଛି, ତାହା ଏଥିରୁ ସ୍ପଷ୍ଟ ଅନୁମେୟ।

ଗତକାଲି ରାତିରେ ଟଙ୍କଛାଇ ଗ୍ରାମର ଜଣେ ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାରବର୍ଗ ହିଞ୍ଜିଳିକାଟୁ ଡାକ୍ତରଖାନାକୁ ଆଣିଥିଲେ। ହେଲେ ବିସ୍ମୟକର କଥା, ସେତେବେଳେ ଉପଖଣ୍ଡ ଡାକ୍ତରଖାନାରେ ଜଣେ ମଧ୍ୟ ଡାକ୍ତର କି ନର୍ସ ନଥିଲେ। ଫଳରେ ସିକ୍ୟୁରିଟି ଗାର୍ଡ଼ ନିଜେ ରକ୍ତଚାପ ମପା ଯନ୍ତ୍ର ଧରି ଚିକିତ୍ସା କରିଥିଲେ। ଏହାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍ ହେବାପରେ ଘଟଣା ନେଇ ଅଧିକ ଚର୍ଚ୍ଚା ଜୋର୍ ଧରିଛି। ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ଏଭଳି ଅବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର