ଝାରସୁଗୁଡ଼ା/କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଭାଲୁପତ୍ରା ରାସ୍ତାର ପୁଡ଼ିଡିହି ନିକଟରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତକ ହେଲେ ସ୍ଥାନୀୟ ନୂଆଡ଼ିହି ଗ୍ରାମର ସନ୍ତୋଷ ନାୟକ(୩୭)। କୋଲାବିରା ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପରିବାର ଲୋକଙ୍କ ଏତଲା ଆଧାରରେ କୋଲାବିରା ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ତେବେ ସନ୍ତୋଷଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।
ସନ୍ତୋଷ ଝାରସୁଗୁଡ଼ାର ପଣ୍ଡରିପଥରସ୍ଥିତ ଆକ୍ସନ ଇସ୍ପାତରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ସକାଳେ ସେ ନିକଟସ୍ଥ ଏକ ଗାଁକୁ ସମ୍ପର୍କୀୟ ଭିଣୋଇଙ୍କ ଶୁଦ୍ଧିକାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ରାତିରେ ଡ୍ୟୁଟି ପାଇଁ ବାଇକ୍ (ଓଡି୨୩ଏମ୍-୮୧୦୦) ଯୋଗେ ବାହାରିଥିଲେ। କିନ୍ତୁ ସେ କମ୍ପାନିରେ ଆଉ ପହଞ୍ଚିନଥିଲେ। ରାତି ପ୍ରାୟ ୧୨ଟାରେ ପୁଡ଼ିଡିହି ବଜର ନିକଟ ରାସ୍ତାକଡ଼ରେ ଜଣେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍ ଓ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ପରେ ସନ୍ତୋଷଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
ସନ୍ତୋଷଙ୍କ ଛାତି ଓ ପିଠିରେ ଛୁରି ଭୁସାଯାଇଥିବା କ୍ଷତ ଚିହ୍ନ ରହିଛି। ସେହିପରି ତାଙ୍କ ହାତ ଆଙ୍ଗୁଠି ନିକଟରେ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିବା ଚିହ୍ନ ରହିଛି। ଆଜି ସକାଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେଠାରେ ସନ୍ତୋଷଙ୍କ ବାଇକ୍ ପଡ଼ିଥିବା ବେଳେ ଜୋତା ମଧ୍ୟ ଖଣ୍ଡେ ଦୂରରେ ପଡ଼ିଥିଲା। ତେବେ ତାଙ୍କର ମୋବାଇଲ୍ଟି ଘଟଣାସ୍ଥଳରୁ ଗାଏବ୍ ହୋଇଯାଇଛି। ପକେଟରେ ଥିବା କିଛି ଟଙ୍କା ମଧ୍ୟ ନେଇଯାଇଛନ୍ତି। ଏଭଳି ସ୍ଥିତିରେ ସନ୍ତୋଷଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ହୋଇଛି। ପୂର୍ବ ଶତ୍ରୁତାରୁ କେହି ହତ୍ୟା କରିଥିଲେ ସନ୍ତୋଷଙ୍କ ମୋବାଇଲ୍ କାହିଁକି ସେମାନେ ନେଇଥାନ୍ତେ, ଯଦି ଲୁଟ୍ ପାଇଁ ହତ୍ୟା ହୋଇଛି ତେବେ କେବଳ ମୋବାଇଲ୍ ଓ ଟଙ୍କା ନେଇ ବାଇକ୍ କିଭଳି ଛାଡ଼ିଦେଲେ? ନା ସେ ମୋବାଇଲ୍ରେ ଏଭଳି କିଛି ଚିତ୍ର ରହିଥିଲା, ଯେଉଁଥିପାଇଁ ସନ୍ତୋଷଙ୍କୁ ହତ୍ୟା କରାଯାଇଛି; ତାକୁ ନେଇ ପୁଲିସ୍ ତଦନ୍ତ ଚଳାଇଛି।