ସୁରକ୍ଷାକର୍ମୀ ଖୋଲିଲେ ଗୁମର: ଶର୍ମିଷ୍ଠାଙ୍କ ଫ୍ଲାଟକୁ ନିରଞ୍ଜନଙ୍କର ଥିଲା ଅବାଧ ପ୍ରବେଶ

ସପ୍ତାହକୁ ଦୁଇରୁ ତିନି ଥର ଯାଉଥିଲେ
ରେଜିଷ୍ଟରରେ ନାଁ, ଗାଡ଼ି ନମ୍ବର ଲେଖା ହେଉ ନ ଥିଲା
‘ସମ୍ପୂର୍ଣ୍ଣ’ ୱେବ୍‌ ଚ୍ୟାନେଲ ଚେୟାରମ୍ୟାନ ପରିଚୟ ଦିଆ ଯାଇଥିଲା

ଭୁବନେଶ୍ବର : କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ପ୍ରମୁଖ ଅଭିଯୁକ୍ତ ତଥା ଷଡ଼୍‌ଯନ୍ତ୍ରକାରୀ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପର୍କ କେତେ ନିବିଡ଼ ତାହାର ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଶର୍ମିଷ୍ଠାଙ୍କ ସହ ନିରଞ୍ଜନ ବାରମ୍ବାର ଫୋନରେ କଥା ହେବା ଘଟଣା ପରେ ଏବେ ନିୟମିତ ଯିବା ଆସିବା କରିବା କଥା ସାମ୍ନାକୁ ଆସିଛି। ସୁନ୍ଦରପଦା-ଜଟଣୀ ରାସ୍ତାର ସ୍କାଏ ଟାଓ୍ଵାର୍ସରେ ଥିବା ଶର୍ମିଷ୍ଠାଙ୍କ ଫ୍ଲାଟକୁ ନିରଞ୍ଜନଙ୍କର ଥିଲା ଅବାଧ ପ୍ରବେଶ। ଏପରିକି ସପ୍ତାହକୁ ଦୁଇରୁ ତିନି ଥର ଆସୁଥିଲେ। ସେଠାରେ ଚାଲୁଥିବା ‘ସମ୍ପୂର୍ଣ୍ଣ’ ଓ୍ୱେବ୍‌ ଚ୍ୟାନେଲରେ ନିରଞ୍ଜନ ଚେୟାରମ୍ୟାନ ବୋଲି ସୁରକ୍ଷାକର୍ମୀଙ୍କୁ କହିଥିଲେ ଶର୍ମିଷ୍ଠା। ସେ ଯେତେବେଳେ ବି ଆପାର୍ଟମେଣ୍ଟକୁ ଆସିବେ ରେଜିଷ୍ଟରରେ ତାଙ୍କ ନାଁ କିମ୍ବା ଗାଡ଼ି ନମ୍ବର ନ ଲେଖିବାକୁ କହିଥିଲେ। ଯଦି ଦରକାର ହୁଏ ଶର୍ମିଷ୍ଠା ନିଜେ ଲେଖିଦେବା ପାଇଁ କହୁଥିଲେ। ନିରଞ୍ଜନଙ୍କ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାହାକୁ ଦେଖି ଏଭଳି ଗୁମର ଖୋଲିଛନ୍ତି ଆପାର୍ଟମେଣ୍ଟରେ କାର୍ଯ୍ୟରତ ସୁରକ୍ଷାକର୍ମୀ।

ଖାଲି ଆପାର୍ଟମେଣ୍ଟକୁ ନୁହେଁ ‘ଦୟାଲ’ ଆଶ୍ରମକୁ ମଧ୍ୟ ନିରଞ୍ଜନ ଦୈନିକ ଯିବା ଆସିବା କରୁଥିଲେ। ଏକ ଦୋକାନ ନିକଟରେ କାର୍ ରଖି ଆଶ୍ରମକୁ ଯାଉଥିଲେ। କିଛି ସମୟ ସେଠାରେ ରହି ପୁଣି ପଳାଉଥିଲେ। ସେଠାରେ ଜଣେ ମହିଳା ଆଜି ଗଣମାଧ୍ୟମ ଆଗରେ ଏଭଳି କହିଛନ୍ତି। ପୂର୍ବରୁ ମଧ୍ୟ ଶର୍ମିଷ୍ଠାଙ୍କ ସହ ସେ ବାରମ୍ବାର ଫୋନରେ କଥାବାର୍ତ୍ତା ହେଉଥିଲେ। ଏପରିକି ମାନସଙ୍କୁ ହତ୍ୟା ଘଟଣା ପରେ ଗୋଟିଏ ଦିନରେ ୩୦ ଥର କଥାବାର୍ତ୍ତା ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର