ପୁରୀ : ଶ୍ରୀମନ୍ଦିର ପରେ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗି ଦିଆଗଲା। ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବିଘ୍ନ ଘଟାଇବାକୁ ଅପଚେଷ୍ଟା କରାଗଲା। ଏହାସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ନିରବ। ଏହା ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ବଡ଼ ପ୍ରଶ୍ନବାଚୀ ଠିଆ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ବଦଳରେ ନିରବ ବସିଛି ପ୍ରଶାସନ। ନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇଛି, ନା ଜିଲ୍ଲା ପୁଲିସ ଏ ଦିଗରେ ନିଜ ତରଫରୁ କିଛି କାର୍ଯ୍ୟାନୁଷ୍ଠାନ ନେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅପରପକ୍ଷେ ମାଙ୍କଡ଼ଙ୍କ ଉପରେ ସବୁ ଦୋଷ ଲଦି ଚୁପ ବସିଛି ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ। କଞ୍ଚା ମାଟି ବୋଲି ମାଙ୍କଡ଼ ନଷ୍ଟଦେଇଥିବା କହି ଘଟଣାରେ ପୂର୍ଣ୍ଣଛେଦ ପକାଇବାକୁ ଚେଷ୍ଟା କରାଯାଇଛି। ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା କ୍ଷେତ୍ରରେ ଏଭଳି ଆଚରଣ ଭକ୍ତ ଓ ସେଦିନ ଖୋଲାଖୋଲି ଅଭିଯୋଗ ଆଣିଥିବା ସେବାୟତଙ୍କ ମହଲରେ ଅସନ୍ତୋଷ ଭରି ଦେଇଛି। ଅନ୍ୟପଟେ ଚୁଲି ଭଙ୍ଗା ଘଟଣାରେ ସେବକ ସମ୍ପୃକ୍ତ ଥିବାରୁ ଜାଣିଶୁଣି ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ନିରବତା ଅବଲମ୍ବନ କରୁଛି ବୋଲି ଅଭିଯୋଗ ହୋଇଛି।
ଏବେ ବି ରହସ୍ୟ ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିର ଚୁଲି ଭଙ୍ଗା ଘଟଣା
ସେବାୟତ ବିବାଦକୁ ଘଣ୍ଟ ଘୋଡ଼ାଯାଉଥିବା ଅଭିଯୋଗ
ଚଳିତ ବର୍ଷ ଏପ୍ରିଲ ୨ ତାରିଖରେ ଶ୍ରୀମନ୍ଦିର ରୋଷଘରେ ପଶି ରାତି ଅଧରେ ୪୩ଟି ଚୁଲି ଭାଙ୍ଗି ଦିଆଗଲା। ଯେଉଁଥିରେ ଥିଲା ପିଠା ଆଡ଼ର ୧୦ଟି, ଥାଳି ଆଡ଼ର ୬ଟି, ସାତପୁରୀର ୨୫ଟି, ଅହିଆ(ଡାଲି, ତରକାରୀ ରନ୍ଧା ପାଇଁ ବଡ଼ ଚୁଲି) ଗୋଟେ ଓ କୋଠଭୋଗର ଗୋଟିଏ ଚୁଲି। ପ୍ରଥମେ ଏହାକୁ କେହି ଶାବଳରେ ତାଡ଼ି ଦେଇଥିବା ଅନୁମାନ କରାଯାଉଥିଲା। କିନ୍ତୁ ଅଭିଯୁକ୍ତ ଧରାପଡ଼ିବା ପରେ ସେ ହାତରେ ଏହାକୁ ଭାଙ୍ଗି ଦେଇଥିବା କହିଥିଲା। ଏହି କାଣ୍ଡ ଘଟାଇଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦେଉଳି ଗାଁର ଜଗନ ମହାପାତ୍ର ଯେଉଁ ଢଙ୍ଗରେ ରୋଷଘରେ ପ୍ରବେଶ କରିଥିଲା ଓ ଯେମିତି ଚୁଲି ସବୁ ଭାଙ୍ଗିଥିବା କହୁଥିଲା, ତାହା ଆଜି ବି ଭକ୍ତ, ସେବାୟତଙ୍କୁ ଦ୍ବନ୍ଦ୍ବରେ ରଖିଛି। ଜଣେ ବ୍ୟକ୍ତି ଶ୍ରୀମନ୍ଦିର ରୋଷଘରର ଏତେ ବଡ଼ ବଡ଼ ଚୁଲି କିଭଳି ହାତରେ ଭାଙ୍ଗିଲା, ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଶ୍ରୀମନ୍ଦିରର ଏତେ ବଡ଼ ବଡ଼ ଚୁଲି ହାତରେ ଭାଙ୍ଗିବା ଅସମ୍ଭବ ବୋଲି ସୁଆର ମହାସୁଆର ସେବକମାନେ ବି ସ୍ପଷ୍ଟ କରି ସାରିଛନ୍ତି। ଏହାସତ୍ତ୍ବେ ଶ୍ରୀମନ୍ଦିରରେ ବୁଲୁଥିବା ଜଗନକୁ ଚୁଲି ଭଙ୍ଗା ଅଭିଯୁକ୍ତ ସଜାଇ ଦିଆଗଲା। ଜଗନ ରୋଷଘରକୁ ଯାଇଥିଲା କି ଯାଇନଥିଲା, ତାର ପ୍ରମାଣ ବି ଆଜି ପର୍ଯ୍ୟନ୍ତ ପୁଲିସ ପାଖରେ ନାହିଁ।
ଏଭଳି ସ୍ଥିତିରେ ପୁଣିଥରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମାନ ଢ଼ଙ୍ଗରେ ୨୨ଟି ଚୁଲି ଭାଙ୍ଗି ଦିଆଯିବା ପୂର୍ବ ସନ୍ଦେହକୁ ଦ୍ବିଗୁଣିତ କରି ଦେଇଛି। ପୂର୍ବରୁ ବି ସୁଆର ମହାସୁଆର ସେବକମାନେ ଅଭିଯୋଗ କରୁଥିଲେ କି ସେବାୟତଙ୍କ ଚୁଲି କଳି ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାର ଅନ୍ୟତମ କାରଣ ହୋଇପାରେ। କିନ୍ତୁ ପୁଲିସ କି ଶ୍ରୀମନ୍ଦିର ପ୍ରଶାସନ, ଏହାକୁ ଗୁରୁତ୍ବର ସହ ନେଲାନି। ସେଦିନ ଶୋଧ ଦାୟିତ୍ବରେ ଥିବା ୪ଜଣ ଜେଟିପିଙ୍କୁ ନାମକୁ ମାତ୍ର କାରଣଦର୍ଶାଅ ନୋଟିସ୍ ଜାରି କରି ଛାଡ଼ି ଦିଆଗଲା। ଏବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚୁଲି ଭଙ୍ଗା ପରେ ସୁଆର ମହାସୁଆର ସେବକମାନେ ସମାନ ଅଭିଯୋଗ ଆଣିଛନ୍ତି। ସୁଆର ମହାସୁଆର ସେବକ ରଂଜିତ ସୁପକାର ସିଧାସଳଖ କହିଛନ୍ତି, ସୁଆର ମହାସୁଆର ବିବାଦ ହିଁ ଶ୍ରୀଗୁଣ୍ଡିଚା ମନ୍ଦିର ଚୁଲି ଭଙ୍ଗାର ମୁଖ୍ୟ କାରଣ। ଯେଉଁ ସୁଆର ମହାସୁଆରମାନେ ଏଭଳି ଘଟଣାରେ ସମ୍ପୃକ୍ତ ସେମାନଙ୍କୁ ଶ୍ରୀମନ୍ଦିର ସେବା ଦାୟିତ୍ବରୁ ସମ୍ପୂର୍ଣ୍ଣ ବିତାଡ଼ିତ କରାଯାଉ। ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ ଅନୁମତି ବନ୍ଦ କରାଯାଉ। ଏହା ସତ୍ତ୍ବେ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ନିରବ ବସିଛି। ଘଟଣାକୁ ୪ ଦିନ ବିତିଥିଲେ ବି ଅଭିଯୁକ୍ତଙ୍କୁ ଧରିବା ତ ଦୂରର କଥା, ତିଳେ ମାତ୍ର ତଦନ୍ତ ବି ଆଗେଇନି। ଅନ୍ୟପକ୍ଷରେ ମାଙ୍କଡ଼ ଚୁଲି ଭାଙ୍ଗିଛି କହି ଘଟଣାକୁ ଭିନ୍ନମୋଡ଼ ଦେବା ଆରମ୍ଭ ହୋଇଛି। ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ନିଯୋଗ ସମ୍ପାଦକ କହିଛନ୍ତି ମାଙ୍କଡ଼ ଚୁଲି ଭାଙ୍ଗି ଦେଇଛନ୍ତି। ତେଣୁ ସେଠି ଆଉ କ’ଣ ତଦନ୍ତ ହେବ ବୋଲି ଶ୍ରୀ ଜେନା କହିଛନ୍ତି।